OpIndia
ପାଟନା: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗତକାଲି ବିହାର ଗସ୍ତରେ ଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସହ ସେ ପାଟନାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ। ଏହି ସମୟରେ କେସିଆର ବିଜେପି ମୁକ୍ତ ଭାରତ ପାଇଁ ଆହ୍ବାନ ଦେବାବେଳେ ସାମ୍ବାଦିକମାନେ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଯୋଜନା ନେଇ ତାଙ୍କୁ ପ୍ରଶ୍ନ କରିଥିଲେ। ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ କେସିଆର୍ ସମର୍ଥନ କରୁଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ ହୋଇଥିଲା। ଏଥିରେ ହଡ଼ବଡ଼େଇ ଯାଇଥିବା କେସିଆର ଏହି ପ୍ରଶ୍ନକୁ ଏଡ଼ାଇବାକୁ ପ୍ରୟାସ କରିଥିଲେ। ଏଭଳି ଏକ ସମୟରେ ନୀତୀଶ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ନଦେଇ ସେଠାରୁ ପଳାଇବାକୁ ହଠାତ ଆସନ ଛାଡ଼ି ଉଠିପଡ଼ିଥିଲେ। ତେବେ ନୀତୀଶ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି କେସିଆର ଚାହିଥିଲେ ଏବଂ ସେ ତାଙ୍କୁ ‘ପ୍ଲିଜ୍ ସିଟ୍ ଡାଉନ୍’ ବୋଲି ବାରମ୍ବାର କହିଥିଲେ।
ହେଲେ ନୀତୀଶ କେସିଆରଙ୍କ ଅନୁରୋଧ ରଖିବା ବଦଳରେ ତାଙ୍କୁ ‘ଆପ୍ ଚଲିୟେ (ଆପଣ ଚାଲନ୍ତୁ), ଆପ୍ ଉଠିୟେ (ଆପଣ ଉଠନ୍ତୁ) ବୋଲି କହିବା ସହ ଗଣମାାଧ୍ୟମ ପାଲରେ ପଡ଼ିବା ଆବଶ୍ୟକ ନାହିଁ ବୋଲି କହିଥିଲେ। ଏହାର ଏକ ଭିଡିଓ ଆଜି ଭାଇରାଲ୍ ହେବାରେ ଲାଗିଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ ଏ ବାବଦ ଭିଡିଓ ସେୟାର କରି କହିଛନ୍ତି, କେସିଆର୍ଙ୍କୁ ଅପମାନିତ କରି ନୀତୀଶ ତାଙ୍କ ଆତ୍ମଗର୍ବ ଦେଖାଇଛନ୍ତି । ୨୦୨୪ ନିର୍ବାଚନରେ ନୀତୀଶଙ୍କୁ ବିରୋଧୀ ଦଳଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବା ପ୍ରସଙ୍ଗରେ କେସିଆର କହିଥିଲେ ଯେ ଏ ବାବଦରେ ନିଷ୍ପତ୍ତି ନେବାପାଇଁ ମୁଁ କେହି ନୁହେଁ। ସମସ୍ତ ବିରୋଧୀ ଦଳ ଏକାଠି ବସିଲେ ହିଁ ନିଷ୍ପତ୍ତି ହୋଇପାରିବ। ତେବେ ନୀତୀଶଙ୍କୁ ନେଇ କେସିଆର୍ ପାଟନାରେ ଯେଉଁ ଅଡ଼ୁଆର ସମ୍ମୁଖୀନ ହୋଇଥିଲେ ତାହା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
Follow Us