ପାଟନା: ବିହାରରେ ନୂତନ ସରକାର ଗଠନର ଆନୁଷ୍ଠାନିକ ପ୍ରକ୍ରିୟା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆରମ୍ଭ ହେବ। ଜେଡିୟୁର ଜଣେ ବରିଷ୍ଠ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋମବାର ତାଙ୍କ ପଦରୁ ଇସ୍ତଫା ଦେବେ। ଏହା ପରେ ନୂତନ ଏନଡିଏ ସରକାର ଗଠନ ପାଇଁ ପଥ ପରିଷ୍କାର ହେବ।

Advertisment

ନୀତିଶ କୁମାର ସୋମବାର ସକାଳେ ତାଙ୍କ ସରକାରଙ୍କ ଶେଷ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିବେ। ଏହା ପରେ ସେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିବା ପାଇଁ ରାଜଭବନ ଯିବେ। ତା'ପରେ ସେ ଏକ ଦଳୀୟ ବୈଠକରେ ଯୋଗଦେଇ ଜେଡିୟୁର ୮୫ ଜଣ ନବନିର୍ବାଚିତ ବିଧାୟକ ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବେ। ଜେଡିୟୁ ବୈଠକ ପରେ, ଏକ ପୃଥକ ଏନଡିଏ ବୈଠକ ଅନୁଷ୍ଠିତ ହେବ। ତେବେ ଏନଡିଏ ବୈଠକର ସମୟ ଏବଂ ସ୍ଥାନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

ଆହୁରି ପଢ଼ନ୍ତୁ:Firing on RSS Worker: ପଞ୍ଜାବରେ ଆରଏସଏସ କର୍ମୀଙ୍କ ଉପରେ ଗୁଳି ମାଡ଼: ସିସିଟିଭି ଫୁଟେଜ ଯାଞ୍ଚ୍, ଆକ୍ରମଣକାରୀଙ୍କ ସନ୍ଧାନ ଜାରି


 ନୀତିଶଙ୍କୁ ନେତା ଭାବରେ ନିର୍ବାଚିତ କରାଯିବ

୮୯ ଜଣ ବିଧାୟକଙ୍କ ସହିତ ଏନଡିଏର ସବୁଠାରୁ ବଡ଼ ଦଳ ବିଜେପି ରବିବାର କିମ୍ବା ସୋମବାର ଦିନ ସରକାର ଗଠନ ସମ୍ପର୍କରେ ଏକ ଆନୁଷ୍ଠାନିକ ବିବୃତି ଜାରି କରିବ ବୋଲି ଆଶା କରାଯାଉଛି। ସୂତ୍ର ଅନୁସାରେ ବିଜେପି ଘୋଷଣା ପରେ, ଏନଡିଏ ବିଧାୟକମାନେ ନୀତିଶ କୁମାରଙ୍କୁ ସେମାନଙ୍କର ନେତା ଭାବରେ ନିର୍ବାଚିତ କରିବେ। ଯାହା ଫଳରେ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ପୁନଃନିର୍ବାଚନ ପ୍ରାୟତଃ ନିଶ୍ଚିତ ହେବ। ଏନଡିଏର ଜଣେ ବରିଷ୍ଠ ନେତାଙ୍କ ଅନୁଯାୟୀ,ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ବୁଧବାର କିମ୍ବା ଗୁରୁବାର ଦିନ ହେବାର ସମ୍ଭାବନା ରହିଛି।


 ନୀତିଶଙ୍କୁ ଭେଟୁଛନ୍ତି ବଡ଼ ନେତା

ଶନିବାର ସକାଳଠାରୁ ନୀତିଶ କୁମାରଙ୍କ ବାସଭବନରେ ଧାରାବାହିକ  ବୈଠକର  ଜାରି ରହିଛି । କେନ୍ଦ୍ର ମନ୍ତ୍ରୀ ଏବଂ ଏଲଜେପି (ଆରଏଲଡି) ମୁଖ୍ୟ ଚିରାଗ ପାସୱାନ ତାଙ୍କ ସହିତ ସାକ୍ଷାତ କରି ନୂତନ ସରକାର ବିଷୟରେ ଆଲୋଚନା କରିଛନ୍ତି। ଲଲ୍ଲନ ସିଂହ, ସଞ୍ଜୟ ଝା, ବିଜୟ କୁମାର ଚୌଧୁରୀ, ଶ୍ୟାମ ରାଜକ, ନୀତିନ ନବୀନ, କୃଷ୍ଣ କୁମାର ମଣ୍ଟୁ ଏବଂ ଉମେଶ ସିଂହ କୁଶୱାହାଙ୍କ ସମେତ ଏନଡିଏ ସହଯୋଗୀ ଦଳର ଦୁଇ ଡଜନରୁ ଅଧିକ ବରିଷ୍ଠ ନେତା ମଧ୍ୟ ନୀତିଶଙ୍କ ସହିତ ସାକ୍ଷାତ କରିଛନ୍ତି।

ସରକାର ଗଠନ ପ୍ରୟାସ ଆରମ୍ଭ

ଶନିବାର ଦିଲ୍ଲୀ ଏବଂ ପାଟନା ଉଭୟରେ ନୂତନ ସରକାର ଗଠନ ସମ୍ପର୍କରେ ବୈଠକ ଜାରି ରହିଥିଲା। ରବିବାର ମଧ୍ୟ ଏପରି ବୈଠକ ଜାରି ରହିବାର ସମ୍ଭାବନା ଅଛି। ଦିଲ୍ଲୀରେ ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ସଭାପତି ସଞ୍ଜୟ କୁମାର ଝା ଏବଂ କେନ୍ଦ୍ର ମନ୍ତ୍ରୀ ଲଲନ ସିଂହ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହି ବୈଠକ ସମୟରେ ମନ୍ତ୍ରଣାଳୟ ବଣ୍ଟନ ଏବଂ ନୂତନ ସରକାରଙ୍କ ଗଠନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ:Political quake in Maharashtra: ସବୁକିଛି ପୂର୍ବରୁ ଫିକ୍ସ୍‌ ଥିଲା, ଦେଢ଼ ଘଣ୍ଟା ମଧ୍ୟରେ ଚିତ୍ର ବଦଳିଗଲା: ବିହାର ପରାଜୟ ନେଇ ଏମଭିଏର ବିବୃତି

ସଞ୍ଜୟ ଝା କହିଛନ୍ତି ଯେ, ବିହାରର ଲୋକମାନେ ସୁଶାସନ ଉପରେ ସେମାନଙ୍କର ବିଶ୍ୱାସ ପ୍ରକାଶ କରିଛନ୍ତି। ରାଜ୍ୟବାସୀଙ୍କ ନୀତିଶ କୁମାରଙ୍କ ଉପରେ ସବୁଠାରୁ ଅଧିକ ବିଶ୍ୱାସ ରହିଛି। ଏହି ସମୟରେ, ପାଟନାରେ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆରଏଲଡି ମୁଖ୍ୟ ଉପେନ୍ଦ୍ର କୁଶୱାହା ଏବଂ ତାଙ୍କର ଚାରି ଜଣ ବିଧାୟକଙ୍କୁ ଭେଟିଥିଲେ। ବୈଠକ ପରେ, ସେ କହିଥିଲେ ଯେ, ଏନଡିଏର ବିଜୟ ଅତ୍ୟନ୍ତ ବିପୁଳ ଏବଂ ନିର୍ଣ୍ଣାୟକ ଥିଲା ଏବଂ ମହାଗଠବନ୍ଧନ ସମ୍ପୂର୍ଣ୍ଣ ଭାବରେ ପରାଜିତ ହୋଇଯାଇଛି।