ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ରାଜ୍ୟପାଳ ଅରିଫ୍ ମହମ୍ମଦ ଖାନ୍ଙ୍କକୁ ଭେଟି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ରାଜ୍ୟପାଳ ଇସ୍ତଫାପତ୍ର ଗ୍ରହଣ କରିବା ସହ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବା ପାଇଁ ଅନୁରୋଧ କରିଛନ୍ତି। ନୀତୀଶ କୁମାର ମଧ୍ୟ ବର୍ତ୍ତମାନର ବିଧାନସଭାକୁ ଭଙ୍ଗ କରିବା ପାଇଁ ସୁପାରିସ କରି ଏକ ଚିଠି ଦେଇଛନ୍ତି ଯାହା ନଭେମ୍ବର ୧୯ ତାରିଖରେ କାର୍ଯ୍ୟକାରୀ ହେବ। ସପ୍ତଦଶ ବିଧାନସଭା କାର୍ଯ୍ୟକାଳ ୨୨ ନଭେମ୍ବରରେ ଶେଷ ହେଉଛି। ଏହା ପୂର୍ବରୁ ନୂଆ ସରକାର ଗଠନ ହେବ। ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା ସମୟରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧାରୀ ଏବଂ ବିଜୟ ସିହ୍ନା ଉପସ୍ଥିତ ଥିଲେ।
ନିର୍ବାଚନଫଳ ଘୋଷଣା ହେବାର ୩ ଦିନ ପରେ ନୀତୀଶ କୁମାର ଆଜି ସଚିବାଳୟର କ୍ୟାବିନେଟ୍ ହଲ୍ରେ ଏକ କ୍ୟାବିନେଟ୍ ବୈଠକ କରିଛନ୍ତି। ବୈଠକରେ ବର୍ତ୍ତମାନର ବିଧାନସଭା ଭଙ୍ଗ କରିବାପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଛି। ବୈଠକ ପରେ ବିଜୟ ସିହ୍ନା କହିଛନ୍ତି, କ୍ୟାବିନେଟ୍ ୩ଟି ପ୍ରସ୍ତାବ ଗୃହୀତ କରିଛି। ପ୍ରଥମ ପ୍ରସ୍ତାବରେ ୧୯ ତାରିଖରେ ବିଧାନସଭା ଭଙ୍ଗ ପାଇଁ ସୁପାରିସ କରାଯାଇଛି। ଦ୍ବିତୀୟଟିରେ ବର୍ତ୍ତମାନର ସରକାର ଅଧୀନରେ ବିହାରର ମୁଖ୍ୟ ସଚିବଙ୍କ ସମେତ ଅଧିକାରୀ ଏବଂ କର୍ମଚାରୀଙ୍କ ସେବାକୁ ପ୍ରଶଂସା କରି ଏକ ପ୍ରସ୍ତାବ ଗୃହୀତ ହୋଇଛି ଏବଂ ତୃତୀୟରେ ନୀତୀଶ କୁମାରଙ୍କ ନେତୃତ୍ବରେ ଏନ୍ଡିଏର ବିଜୟ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇ ପ୍ରସ୍ତାବ ଗୃହୀତ ହୋଇଛି।
ବିହାର ବିଜେପି ସଭାପତି ଦିଲୀପ ଜୟସ୍ବାଲ କହିଛନ୍ତି, ବିଧାୟକ ଦଳ ନେତା ନିର୍ବାଚିତ କରିବାପାଇଁ ବିଜେପିର ନବ ନିର୍ବାଚିତ ବିଧାୟକମାନେ ମଙ୍ଗଳବାର ପାଟନା ରାଜ୍ୟ ମୁଖ୍ୟାଳୟରେ ଏକ ବୈଠକ କରିବେ। ନବ ନିର୍ବାଚିତ ବିଧାୟକ ଏବଂ ସମସ୍ତ ଏନ୍ଡିଏ ସହଯୋଗୀମାନଙ୍କର ମିଳିତ ବୈଠକ ପୂର୍ବରୁ ଏହି ବୈଠକ କରାଯିବ। ନଭେମ୍ବର ୧୯ ତାରିଖରେ ନୀତୀଶ କୁମାର ସରକାର ଗଠନ ପାଇଁ ଦାବି କରିବେ ଏବଂ ନଭେମ୍ବର ୨୦ ତାରିଖରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପାଟନାରେ ଐତିହାସିକ ଗାନ୍ଧୀ ମଇଦାନରେ ଶପଥଗ୍ରହଣ ପାଇଁ ପ୍ରସ୍ତୁତି ଜୋର୍ଦାର ଚାଲିଛି। ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଗାନ୍ଧୀ ମଇଦାନକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଏଥିପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି।
Follow Us