ଉତ୍ତର କୋରିଆ ବିବାଦର କୂଟନୈତିକ ସମାଧାନ ପାଇଁ ଉଦ୍ୟମ:ନରମିଲେ ଟ୍ରମ୍ପ୍‌, ଜିନ୍‌ପିଙ୍ଗ୍‌ଙ୍କ ଭୂମିକାକୁ ପ୍ରଶଂସା

Advertisment
ଉତ୍ତର କୋରିଆ ବିବାଦର କୂଟନୈତିକ ସମାଧାନ ପାଇଁ ଉଦ୍ୟମ:ନରମିଲେ ଟ୍ରମ୍ପ୍‌, ଜିନ୍‌ପିଙ୍ଗ୍‌ଙ୍କ ଭୂମିକାକୁ ପ୍ରଶଂସା

ସିଓଲ :  ଜାପାନ ଗସ୍ତ ସାରି ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ପହଞ୍ଚିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଉତ୍ତର କୋରିଆ ନେଇ ତାଙ୍କର ଆଭିମୁଖ୍ୟକୁ ନରମ କରିଛନ୍ତି।  ଟ୍ରମ୍ପ୍‌ ଜାପାନ ଗସ୍ତ ସମୟରେ ଦୁଇଦିନ ତଳେ ସିଧାସଳଖ ଉତ୍ତର କୋରିଆକୁ ଚୋତବନୀ ଦେଇ ଆମେରିକା ବିରୋଧରେ ପ୍ରତ୍ୟେକଟି ପଦକ୍ଷେପକୁ ଦମନ କରାଯିବ ବୋଲି କହିଥିବା ବେଳେ ଏବେ ଏହି ଉତ୍ତେଜନାର କୂଟନୈତିକ ସମାଧାନ ପାଇଁ ସଙ୍କେତ ଦେଇଛନ୍ତି। ଉତ୍ତର କୋରିଆକୁ ନିୟନ୍ତ୍ରଣ କରିବା ଏବଂ ଏହା ସହ ଆଲୋଚନା ଜାରି ରଖିବା ମାମଲାରେ  ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଭୂମିକାକୁ ଟ୍ରମ୍ପ୍‌ ଭୂୟସୀ ପ୍ରଶଂସା କରିଛନ୍ତି। ଏ ବାବଦରେ ଜିନ୍‌ପିଙ୍ଗଙ୍କ ଭୂମିକା ଅତ୍ୟନ୍ତ ସହାୟକ ସାବ୍ୟସ୍ତ ହୋଇଛି ବୋଲି ଟ୍ରମ୍ପ୍‌ କହିଛନ୍ତି। ଉତ୍ତର କୋରିଆର ଘନିଷ୍ଠ ସହଯୋଗୀ ଚୀନ୍‌ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ଅଧିକ ପଦକ୍ଷେପ ନେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଉତ୍ତର କୋରିଆର ୯୦ ପ୍ରତିଶତ ବାଣିଜ୍ୟ ଚୀନ୍‌  ଉପରେ ନିର୍ଭରଶୀଳ ଥିବାରୁ ଚୀନ୍‌ ହିଁ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ନିର୍ଣ୍ଣାୟକ ଭୂମିକା ନେଇପାରିବ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି   ଟ୍ରମ୍ପ୍‌ଙ୍କ ମାରାଥନ ଏସିଆ ଗସ୍ତ ଉପରେ ଏବେ ସମଗ୍ର ବିଶ୍ୱର ନଜର ରହିଥିବା ବେଳେ ଏବେ ଟ୍ରମ୍ପ୍‌ଙ୍କ ନରମ ଆଭିମୁଖ୍ୟ କୂଟନୈତିକ ଆଲୋଚନା ପାଇଁ ରାସ୍ତା ଖୋଲିବ ବୋଲି କୁହାଯାଉଛି ।  କିଛିଦିନ ତଳେ ଉତ୍ତର କୋରିଆର ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟକଳାପକୁ ରୋକିବାରେ ଚୀନ୍‌ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଥିବା ଟ୍ରମ୍ପ୍‌  ଏବେ ତାଙ୍କର ସ୍ୱର ବଦଳାଇ ଦେଇଛନ୍ତି। ତେବେ ଉତ୍ତର କୋରିଆର ଆମେରିକା ସମେତ ପୂରା ବିଶ୍ୱପାଇଁ ବିପଦ ବୋଲି ଟ୍ରମ୍ପ୍‌ କହିଛନ୍ତି। ଏହାର ପରମାଣୁ, ରାସାୟନିକ ଏବଂ ଜୈବିକ ଅସ୍ତ୍ରର ମୁକାବିଲା ପାଇଁ ଏବେ ଆମେରିକା ପ୍ରତିରକ୍ଷା ବିଭାଗ ତା’ର ରଣନୀତି ଚୂଡ଼ାନ୍ତ କରିସାରିଛି। ଆବଶ୍ୟକସ୍ଥଳେ ଉତ୍ତର କୋରିଆର ସମସ୍ତ ପରମାଣୁ ଅସ୍ତ୍ରକୁ ନିଜ ନିୟନ୍ତ୍ରଣକୁ ନେବାପାଇଁ ଆମେରିକା ତା’ର କମାଣ୍ଡୋ ବାହିନୀକୁ ଉତ୍ତର କୋରିଆରେ ଅବତରଣ କରାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।  ଦକ୍ଷିଣ କୋରିଆ ଗସ୍ତ ପରେ ଟ୍ରମ୍ପ୍‌  ଚୀନ ଗସ୍ତ ଆରମ୍ଭ କରିବେ ଏବଂ ପରେ ଭିଏତନାମ ଏବଂ ଫିଲିପାଇନ୍‌ସ ଗସ୍ତ କରିବେ। ଟ୍ରମ୍ପ୍‌ଙ୍କ   ପତ୍ନୀ ମେଲାନିଆ ଏବଂ ତାଙ୍କ ଝିଅ ତଥା ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ୍‌ ମଧ୍ୟ ଏହି ଗସ୍ତରେ ସାମିଲ ଅଛନ୍ତି।  ବିଗତ ୨୫ ବର୍ଷ ମଧ୍ୟରେ କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କ ଏଭଳି ଲମ୍ବା ଏସିଆ ଗସ୍ତ ପ୍ରଥମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe