ନୂଆଦିଲ୍ଲୀ: କୃଷି ଋଣ ଛାଡ଼ ପ୍ରତିଶ୍ରୁତି ଦେଇ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଥିବା କଂଗ୍ରେସ ଏବେ ଚାଷୀମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ଅଧିକ ତତ୍ପର ହୋଇଉଠିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଦେଶର ଚାଷୀମାନଙ୍କୁ ସିଧା ସଂସଦରୁ ଉଦ୍ବୋଧନ ଦେବା ପରିପ୍ରେକ୍ଷୀରେ ସେମାନଙ୍କ ସବୁ କୃଷିଋଣ ଛାଡ଼ ପାଇଁ ସରକାରଙ୍କ ଉପରେ ଚାପ ପକାଇଛନ୍ତି। ସେ କହିଛନ୍ତି, ଦେଶର ସମସ୍ତ ଚାଷୀଙ୍କ କୃଷିଋଣ ଛାଡ଼ ନହେବା ଯାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଆଇ ଦିଆଯିବ ନାହିଁ।
ବିଜେପି ନେତୃତ୍ବାଧୀନ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି, ଦେଶର ୧୫ ବଡ଼ ଶିଳ୍ପପତିଙ୍କୁ ହଜାର ହଜାର କୋଟି ଟଙ୍କା ଋଣ ଦିଆଯାଇଛି। ସେମାନେ ଋଣ ଖିଲାପ କଲେ ସୁଦ୍ଧା ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାର୍ହି। ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅମ୍ବାନିଙ୍କ ଭଳି ଶିଳ୍ପପତି ସରକାରଙ୍କ ଦ୍ବାରା ଉପକୃତ ହୋଇଛନ୍ତି। କିନ୍ତୁ ଚାଷୀମାନଙ୍କ ଦୁଃଖ ଯନ୍ତ୍ରଣାକୁ ସରକାର ଆଖି ବୁଜିଦେଇଛନ୍ତି। ବିଗତ ୪ ବର୍ଷ ମଧ୍ୟରେ ଚାଷୀମାନେ ଯେଉଁ ଯନ୍ତ୍ରଣାରେ ଶଢ଼ୁଛନ୍ତି, ସେଥିପ୍ରତି କାହାର ନଜର ନାହିଁ। ୧୦ ଦିନ ମଧ୍ୟରେ କୃଷି ଋଣ ଛାଡ଼ କରିବୁ ବୋଲି ଆମେ ପ୍ରତିଶ୍ରୁତି ଦେଇଥିଲୁ। ୬ ଘଣ୍ଟା ମଧ୍ୟରେ ଆମେ ଦୁଇଟି ରାଜ୍ୟ ଯଥା ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ କୃଷି ଋଣ ଛାଡ଼ କରିଛୁ। ଦେଶର ସମସ୍ତ ଚାଷୀଙ୍କ ଋଣ ଛାଡ଼ ନହେବା ଯାଏ ଆମର ଏହି ଅଭିଯାନ ଜାରି ରହିବ। ସଂସଦ ବାହାରେ ସାମ୍ବାଦିକଙ୍କୁ ସୂଚନା ଦେଇ ରାହୁଲ ଆହୁରି କହିଛନ୍ତି ଯେ ୧୫ ଜଣଙ୍କର ୩.୫ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିବା କ୍ଷେତ୍ରରେ ସରକାରଙ୍କୁ ବାଧିଲା ନାହିଁ। କିନ୍ତୁ ଚାଷୀଙ୍କ ଋଣ ଛାଡ଼ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି। ସରକାର ଗରିବ ଲୋକ, ଛୋଟ ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଗୋଟିଏ ଦୃଷ୍ଟିରେ ଦେଖୁଥିବା ବେଳେ ଶିଳ୍ପପତିଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିବାକୁ ଚେଷ୍ଟା କରୁଛନ୍ତି। ଏହା ଆଉ ସହ୍ୟ କରାଯିବ ନାହିଁ ବୋଲି ରାହୁଲ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ଶୁଆଇ ଦେବୁନାହିଁ
Advertisment
Follow Us