India Today
ନୂଆଦିଲ୍ଳୀ: ମଣିପୁର ପ୍ରସଙ୍ଗରେ ଲୋକସଭାରେ କ୍ଷମତାସୀନ ବିଜେପି ମେଣ୍ଟ ସରକାର ବିରୋଧରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାର ନେତୃତ୍ବ ନେଇ ପ୍ରଥମେ ବିତର୍କ ଆରମ୍ଭ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ଏଥିରେ ପରିବର୍ତ୍ତନ କରାଯାଇ କଂଗ୍ରେସର ଅନ୍ୟତମ ବରିଷ୍ଠ ସାଂସଦ ଗୌରବ ଗୋଗୋଇ ଆଲୋଚନାର ଅୟମାରମ୍ଭ କରିଥିଲେ। ବର୍ତ୍ତମାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଜାରି ରହିଛି।
ଗୋଗୋଇ ତାଙ୍କ ବକ୍ତବ୍ୟରେ କହିଛନ୍ତି, ‘ଆମେ ଆଣିଥିବା ଅନାସ୍ଥା ପ୍ରସ୍ତାବର ଲକ୍ଷ୍ୟ ସଂଖ୍ୟା ପାଇଁ ନୁହେଁ, ବରଂ ମଣିପୁରକୁ ନ୍ୟାୟ ଦେବା ପାଇଁ। ଗୃହ ସରକାରଙ୍କୁ ବିଶ୍ବାସ କରୁନାହିଁ। ମଣିପୁରକୁ ନ୍ୟାୟ ଦେବାକୁ ଇଣ୍ଡିଆ ଏହି ପ୍ରସ୍ତାବ ଆଣିଛି। ଆମେ ମଣିପୁର ପାଇଁ ନ୍ୟାୟ ଚାହୁଁ।’ ଏଥିସହ ସେ କହିଛନ୍ତି ଯେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମୌନବ୍ରତ’ ଭାଙ୍ଗିବାକୁ ଆମେ ଏହି ପ୍ରସ୍ତାବ ଆଣିଛୁ।
ତେବେ ପୂର୍ବରୁ ରାହୁଲ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା କରିବେ ବୋଲି କଂଗ୍ରେସ ପକ୍ଷରୁ ଟ୍ବିଟ୍ କରାଯାଇ କୁହାଯାଇଥିଲା। ଶେଷରେ ରାହୁଲ ଗାନ୍ଧୀଙ୍କ ସ୍ଥାନ ଗୋଗୋଇ ନେବାରୁ ବିଜେପି ଏହାକୁ କଟାକ୍ଷ କରିଛି।
ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ କହିଛନ୍ତି, ‘ଆମେ ରାହୁଲଙ୍କୁ ଶୁଣିବାକୁ ଚାହୁଁ। ଏହି ୫ ମିନିଟ୍ ମଧ୍ୟରେ କ’ଣ ହୋଇଗଲା ଯେ ତାଙ୍କ ସ୍ଥାନରେ ଗୌରବ ଗୋଗୋଇ କହିବେ ବୋଲି ଘୋଷଣା ହେଲା?’
ଉଲ୍ଲେଖଯୋଗ୍ୟ, ୨୬ ଦଳ ବିଶିଷ୍ଟ ବିରୋଧୀ ଇଣ୍ଡିଆ ମେଣ୍ଟ ଗତ ଜୁଲାଇ ୨୬ ତାରିଖରେ ଲୋକସଭାରେ ଅନାସ୍ଥା ନୋଟିସ ଆଣିଥିଲେ। ମଣିପୁର ଘଟଣାରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟିପ୍ପଣୀ ଦାବି କରି ବିରୋଧୀ ସାଂସଦମାନେ ଏହି ନୋଟିସ ଆଣିଥିଲେ। ସଂଖ୍ୟାକୁ ଦୃଷ୍ଟିରେ ରଖିଲେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ବିଫଳ ହେବ। କିନ୍ତୁ ବିରୋଧୀ ସଦସ୍ୟମାନେ ଦାବି କରିଛନ୍ତି ଯେ ସେମାନେ ମଣିପୁର ପ୍ରସଙ୍ଗରେ ସରକାରଙ୍କ ଉପରେ ଚାପ ପକାଇ ଏହି ଲଢ଼େଇରେ ଜିତିପାରିବେ। ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏବେ ୫ଟି ଆସନ ଖାଲି ପଡ଼ିଛି। ବିଜେପି ନେତୃତ୍ବାଧୀନ ଏନ୍ଡିଏର ଲୋକସଭାରେ ୩୩୧ ସଦସ୍ୟ ଥିବାବେଳେ ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟ ସଂଖ୍ୟା ୧୪୪। ତେବେ ଲୋକସଭାରେ ପାଖାପାଖି ୬୦ ଜଣ ସଦସ୍ୟ ଏନ୍ଡିଏ ଏବଂ କିମ୍ବା ଇଣ୍ଡିଆ ମେଣ୍ଟ କୌଣସିରେ ନାହାନ୍ତି।
Follow Us