ନୂଆଦିଲ୍ଲୀ: ଗୃହିଣୀମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର | ଏଣିକି ଘରର ଗୃହିଣୀ ନିଜେ ସଂଚୟ କରିଥିବା ଅର୍ଥରାଶି ଉପରେ କୌଣସି ଇନକମ ଟ୍ୟାକ୍ସ ଲାଗୁ କରାଯାଇପାରିବ ନାହିଁ | ଇନକମ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲ୍ (ITAT) କହିଛି ଯେ ଘରଣୀମାନଙ୍କ ଜମା ରାଶିକୁ ଆୟ ଭାବରେ ଗ୍ରହଣ କରାଯାଇପାରିବ ନାହିଁ। ସୂଚନା ଥାଉ କି ଗ୍ୱାଲିଅରର ଜଣେ ଗୃହିଣୀ ଉମା ଅଗ୍ରୱାଲ ୨୦୧୬-୧୭ ପାଇଁ ତାଙ୍କ ଆୟକର ରିଟର୍ଣ୍ଣରେ ୧,୩୦,୮୧୦ ଟଙ୍କା ଘୋଷଣା କରିଥିବାବେଳେ ବିମୁଦ୍ରାକରଣ ପରେ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨.୧୧ ଲକ୍ଷ ଟଙ୍କା ଜମା କରିଥିଲେ। ଏହି ପରିମାଣକୁ ନେଇ ଆୟକର ବିଭାଗ ଏହା ଉପରେ ଟିକସ ଦେବାକୁ କହିଥିଲା ।
ଏହା ପରେ ମହିଳାଜଣକ ଆୟକର ଆବେଦନ ଟ୍ରିବ୍ୟୁନାଲରେ ପହଞ୍ଚିଥିଲେ। ଉମା ଅଗ୍ରୱାଲ କହିଛନ୍ତି ଯେ ତାଙ୍କ ସ୍ୱାମୀ, ପୁଅ, ସମ୍ପର୍କୀୟମାନେ ଦେଇଥିବା ଟଙ୍କାରୁ ସେ ଏହି ରାଶି ଜମା କରିଛନ୍ତି। ଆଗ୍ରାରେ ଥିବା ଇନକମ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲ୍ ଜୁଡିସିଆଲ୍ ସଦସ୍ୟ ଲଲିତ କୁମାର ଏବଂ ଆକାଉଣ୍ଟସ୍ ସଦସ୍ୟ ଡକ୍ଟର ମିଥା ଲାଲ ମୀନା କହିଛନ୍ତି ଯେ ବିମୁଦ୍ରାକରଣ ସମୟରେ ଉକ୍ତ ମହିଳାଙ୍କ ଦ୍ୱାରା ଜମା ହୋଇଥିବା ୨ ଲକ୍ଷ ୧୧ ହଜାର ଟଙ୍କା ଅଢେଇ ଲକ୍ଷ ସୀମା ମଧ୍ୟରେ ରହିଛି | ତେଣୁ ଏହାକୁ ଆକ୍ସେସ ଇନକମ ଭାବରେ ବିବେଚନା କରାଯାଇପାରିବ ନାହିଁ |
ଅର୍ଥାତ୍ ଏହି ଟଙ୍କାକୁ ସେ ରୋଜଗାର କରିନାହାନ୍ତି | ତେଣୁ ଏଥିରେ କୌଣସି ଟିକସ ଦେବାକୁ ପଡିବ ନାହିଁ | ଟ୍ରିବ୍ୟୁନାଲ ତାଙ୍କ ଆଦେଶରେ କହିଛନ୍ତି ଯେ ମହିଳା ଜଣକ ତାଙ୍କ ସ୍ୱାମୀ, ପିଲା ଏବଂ ସମ୍ପର୍କୀୟ ଦେଇଥିବା ଟଙ୍କାରୁ ଅଳ୍ପ ଅଳ୍ପ ଜମା କରିଛନ୍ତି | ଯେହେତୁ ଏହାକୁ ସେ ଉପାର୍ଜନ କରିନାହାନ୍ତି ତେଣୁ ଇନକମ ଟ୍ୟାକ୍ସ ଲାଗିପାରିବ ନାହିଁ | ଟ୍ରିବ୍ୟୁନାଲ କହିଛନ୍ତି ଯେ ୨୦୧୬ରେ ହୋଇଥିବା ବିମୁଦ୍ରାକରଣ ପରଠାରୁ ଅଢେଇ ଲକ୍ଷ ଟଙ୍କା ଯାଏଁ ଜମା ରଖିଥିବା ଗୃହିଣୀଙ୍କୁ କୌଣସି ଇନକମ ଟ୍ୟାକ୍ସ ଦେବାକୁ ପଡିବ ନାହିଁ |
Follow Us