Venkateswara Temple In Andhra Pradesh. Photograph: (sambad.in)
ପାରଳାଖେମୁଣ୍ଡି (ସୁଜିତ୍ ବିଷୋୟୀ): ଗଜପତି ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର କାସିବୁଗାସ୍ଥିତ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଆଜି ପୂର୍ବାହ୍ଣରେ ଘଟିଥିବା ଦଳାଚକଟା ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି ଅନେକ ଶ୍ରଦ୍ଧାଳୁ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏବେ କୁହାଯାଉଛି ଯେ, ମନ୍ଦିରକୁ ଯେତିକି ଶ୍ରଦ୍ଧାଳୁ ଆସିବା କଥା, ତା’ଠାରୁ ଯଥେଷ୍ଟ ଅଧିକ ଭକ୍ତ ପହଞ୍ଚି ଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ପୂର୍ବରୁ ବିସ୍ତୃତ ଯୋଜନା କରାଯାଇ ନଥିଲା। ପ୍ରଶାସନିକ ଅନୁମତି ନିଆଯାଇ ନଥିଲା। ଫଳରେ ଦର୍ଶନ ସମୟରେ ଅଘଟଣ ଘଟିଥିଲା।
ଗୋଟିଏ ପଥରେ ପ୍ରବେଶ ଓ ପ୍ରସ୍ଥାନ
ମନ୍ଦିରରେ ଅତ୍ୟଧିକ ଭକ୍ତଙ୍କ ସମାଗମ ଥିଲା। କିନ୍ତୁ ପ୍ରବେଶ ଓ ପ୍ରସ୍ଥାନ ପଥ ଗୋଟିଏ ରହିଥିଲା। ଭକ୍ତମାନେ ପାହାଚରେ ଯିବାଆସିବା କରୁଥିଲେ। ସେହି ସମୟରେ ବିଶୃଙ୍ଖଳା ଯୋଗୁଁ ଲୋକେ ଅଟକି ରହିଯିବାରୁ ସମସ୍ଯା ସୃଷ୍ଟି ହେବା ସହ ସ୍ଥିସ୍ତି ବିଗିଡ଼ି ଯାଇଥିଲା। ଲୋକେ ଭିଡ଼ରୁ ବାହାରିବା ପାଇଁ ସିଡିରେ ଲାଗିଥିବା ରେଲିଙ୍ଗକୁ ଉପାଡ଼ି ଥିଲେ ଏବଂ ଏହି ସମୟରେ ପଡ଼ି ଦୁର୍ଘଟଣା ଘଟିଥିଲା। ତାପରେ ସ୍ଥିତି ଅସମ୍ଭାଳ ହୋଇ କିଛି କ୍ଷଣ ମଧ୍ୟରେ ଦଳାଚକଟା ହୋଇଥିଲା। ମୃତକଙ୍କ ବ୍ୟତୀତ ଅନେକ ଶ୍ରଦ୍ଧାଳୁ ଆହତ ହୋଇ ଚିକିତ୍ସାଧିନ ଅଛନ୍ତି। ମୃତ୍ତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଶ୍ରଦ୍ଧାଳୁ ଅଛନ୍ତି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି।
୨୦ କୋଟି ଟଙ୍କାରେ ମନ୍ଦିର ନିର୍ମାଣ
ଆଜି କାର୍ତ୍ତିକ ଏକାଦଶୀ ଅବସରରେ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଠାକୁର ଦର୍ଶନ କରିବାକୁ ଭିଡ଼ ଲାଗିଥିଲା। ମହିଳା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଧିକ ଥିଲା। ସେତେବେଳେ କୌଣସି ଏକ କାରଣରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା, ଯାହା ଫଳରେ ଠେଲାପେଲାରୁ ଦଳଚକଟା ଆରମ୍ଭ ହୋଇଥିଲା। ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ଏକ ନୂଆ ମନ୍ଦିର। ହରିମୁକୁନ୍ଦ ପଣ୍ଡା ନାମକ ଜଣେ ବ୍ୟକ୍ତି ୨୦ କୋଟି ଟଙ୍କା ବ୍ୟୟରେ ୧୨ ଏକର ଜମିରେ ଏହି ମନ୍ଦିର ନିର୍ମାଣ କରିଛନ୍ତି, ଯାହାର କାମ ଏବେବି ଜାରି ରହିଛି। ଭବ୍ୟ ମନ୍ଦିର ହୋଇଥିବାରୁ ପ୍ରତି ଶନିବାର ଏଠାରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ରହୁଛି। କିନ୍ତୁ ଆଜି କାର୍ତ୍ତିକ ଏକାଦଶୀ କାରଣରୁ ଭିଡ଼ ନିୟନ୍ତ୍ରଣ ବାହାରକୁ ପଳାଇଥିଲା। ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ନାହିଁ।
ଅଧିକ ପଢ଼ନ୍ତୁ: Stampede At Venkateswara Swamy Temple: ଆନ୍ଧ୍ରପ୍ରଦେଶର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା; ୯ ଜଣଙ୍କର ମୃତ୍ୟୁ
ପୁଲିସ ଜାଣିପାରିଲାନି କେମିତି?
ଲୋକଙ୍କ ଭିଡ଼ କିମ୍ବା ଉତ୍ସବ ସକାଶେ କୌଣସି ସରକାରୀ ଅନୁମତି ନିଆଯାଇ ନଥିଲା କିମ୍ବା ସ୍ଥାନୀୟ ପୁଲିସ ଓ ପ୍ରଶାସନକୁ ମଧ୍ୟ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆ ଯାଇନଥିଲା। ସକଳ ୮ ଘଣ୍ଟା ଠାରୁ ଦୁର୍ଘଟଣା ଘଟିବା ପର୍ଯ୍ୟନ୍ତ ହଜାରହଜାର ଲୋକ ଏକତ୍ରିତ ହେଉଥିଲେ। କିନ୍ତୁ ପୁଲିସ କିଭଳି ଜାଣି ପାରିଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠୁଛି।
ଅଧିକ ପଢ଼ନ୍ତୁ: Temple Accident Story: ୨୦ବର୍ଷରେ ଦେଶର ବିଭିନ୍ନ ମନ୍ଦିରରେ ଘଟିଛି ଛାତିଥରା ଦୁର୍ଘଟଣା
ହୃଦୟ ବିଦାରକ ଥିଲା ଦୃଶ୍ୟ
ସେତେବଳର ମନ୍ଦିର ପରିସରର ଦୃଶ୍ୟ ହୃଦୟ ବିଦାରକ ଥିଲା, ଯାହା ସମସ୍ତଙ୍କୁ ବ୍ୟଥିତ କରିଛି। ଦଳାଚକଟା ପରେ ଭକ୍ତମାନେ ଭୂମିରେ ନିଶ୍ଚଳ ଅବସ୍ଥାରେ ପଡ଼ିଥିଲେ। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏକ ଘରୋଇ ମନ୍ଦିରରେ ବିଭ୍ରାଟ କାରଣରୁ ଦଶ ଜଣକ ଜୀବନ ଯିବା ଅତ୍ଯନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଆଲୋଚନା ହେଉଛି। ଘଟଣା ସଭିଙ୍କୁ ମର୍ମାହତ କରିଛି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ପାଇଁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ନିର୍ଦ୍ଦେଶ ଦେଇଛନ୍ତି।
Follow Us