ଲୁଟେରାଙ୍କ ପାଇଁ ସ୍ଥାନ ନାହିଁ: ପ୍ରଧାନମନ୍ତ୍ରୀ

ଦୁର୍ନୀତି ଦୂର କରିବାକୁ ଟେକ୍ନୋଲୋଜି କାମ କରିବ, ସିଭିସି ଓ ସିବିଆଇର ଯୁଗ୍ମ ସମ୍ମିଳନୀ

ଲୁଟେରାଙ୍କ ପାଇଁ ସ୍ଥାନ ନାହିଁ: ପ୍ରଧାନମନ୍ତ୍ରୀ

Image Courtesy of India Today

ନୂଆଦିଲ୍ଲୀ: ଯେଉଁମାନେ ଦେଶ ପ୍ରତି ଓ ଏହାର ଜନତାଙ୍କ ପ୍ରତି ବିଶ୍ବାସଘାତକତା କରୁଛନ୍ତି ସେମାନଙ୍କ ଲାଗି କୌଣସି ସୁରକ୍ଷିତ ସ୍ଥାନ ରହିବା ଉଚିତ ନୁହେଁ ବୋଲି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ (ସିଭିସି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଗୁଜରାଟରେ ଅନୁଷ୍ଠିତ ଏକ ଯୁଗ୍ମ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମୋଦୀ କହିଲେ ଯେ, ଦେଶକୁ ପ୍ରତାରଣା କରୁଥିବା ଲୋକକୁ ଦୟା ପ୍ରଦର୍ଶନ କରିବା ଉଚିତ ନୁହେଁ।

ମୋଦୀ କହିଲେ ଯେ, ଲୋକ ଯେତେ ଶକ୍ତିଶାଳୀ ହେଉ ନା କାହିଁକି, ଦେଶକୁ ଠକୁଥିବା ବା ଲୁଟୁଥିବା ଲୋକକୁ ଦୟା ପ୍ରଦର୍ଶନ କରାଯାଉ ନାହିଁ। ସେ ଯେଉଁଠି ରହିଲେ ବି ତାକୁ ସରକାର ଛାଡ଼ିବେ ନାହିଁ ବୋଲି ଦେଶବାସୀ ବିଶ୍ବାସ କଲେଣି। ଦୁର୍ନୀତି ଦୂର କରିବା ପାଇଁ ସରକାର ଯାହା କରୁଛନ୍ତି ସେ ବିଷୟରେ ମୋଦୀ ଆଲୋକପାତ କରିଥିଲେ। ପୂର୍ବ ସରକାରଙ୍କ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ଦୁର୍ନୀତିର ଚେର ବହୁତ ଗଭୀରକୁ ମାଡ଼ିଯାଇଥିଲା। ଏବେ ସେ ଚେରସବୁ ଉପୁଡ଼ାଯାଉଛି। ପ୍ରଶାସନିକ ସ୍ତରରେ ନିରବଚ୍ଛିନ୍ନ ଉନ୍ନତି କରାଯାଉଛି ବୋଲି ମୋଦୀ କହିଥିଲେ। ତେବେ ଏକବିଂଶ ଶତାବ୍ଦୀରେ ଦୁର୍ନୀତି ଦୂର କରିବା ପାଇଁ ଟେକ୍ନୋଲୋଜି ଓ ଡିଜିଟାଲ ଅସ୍ତ୍ର କାମ କରିବ। ‘ନବ ଭାରତ’ ବିଶ୍ବାସ କରିବାକୁ ଚାହେଁନା ଯେ ଦୁର୍ନୀତି ହେଉଛି ବ୍ୟବସ୍ଥାର ଏକ ଅଂଶ। ଏହା ଚାହେଁ ସ୍ବଚ୍ଛ ବ୍ୟବସ୍ଥା, ଦକ୍ଷ ପ୍ରକ୍ରିୟା ଏବଂ ସ୍ବଚ୍ଛନ୍ଦ ପ୍ରଶାସନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe