new indian express
ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ଅଂଶୁଘାତରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଏବେ ୮୭ରେ ପହଞ୍ଚିଛି। ପଶ୍ଚିମ ଓଡ଼ିଶାରେ ୧୯ ଜଣ ଓ ୟୁପିରେ ଗୋଟିଏ ଦିନରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜସ୍ଥାନରେ ୪ ଜଣ ଓ ପଞ୍ଜାବରେ ଜଣେ ପ୍ରାଣ ହରାଇଛନ୍ତି। ବିଶେଷଜ୍ଞମାନେ ଅତ୍ୟଧିକ ତାପମାତ୍ରା ଯୋଗୁଁ ହଠାତ୍ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ବୋଲି କହିଛନ୍ତି। ଝାରସୁଗୁଡ଼ାରେ ମୃତ୍ୟୁବରଣ କରିଥିବା ୯ ଜଣଙ୍କ ମଧ୍ୟରୁ ୭ ଜଣ ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରକ୍ ଚାଳକ ଥିଲେ। ୟୁପିରେ ଶୁକ୍ରବାର ମୃତ୍ୟୁବରଣ କରିଥିବା ୧୬ ଜଣଙ୍କ ମଧ୍ୟରୁ ୧୧ ଜଣ ପୋଲିଂ କର୍ମଚାରୀ ଥିଲେ। ମିର୍ଜାପୁରରେ ୫ ଜଣ ହୋମଗାର୍ଡଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋନଭଦ୍ରରେ ୨ ଜଣ ଓ ରାଏବରେଲିରେ ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମିର୍ଜାପୁର ମେଡିକାଲ କଲେଜ ଅଧ୍ୟକ୍ଷ ଆରବି କମଲ କହିଛନ୍ତି, ଆମେ ଶୁକ୍ରବାର ହିଟ୍ ଷ୍ଟ୍ରୋକ୍ ଯୋଗୁଁ ୮ ଜଣ ପୋଲିଂ କର୍ମଚାରୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ରେକର୍ଡ କରିଛୁ। ସମସ୍ତ ମୃତକଙ୍କର ଉଚ୍ଚ ଜ୍ୱର, ଉଚ୍ଚ ରକ୍ତଚାପ, ମଧୁମେହ ସମେତ ଅନ୍ୟ ସ୍ବାସ୍ଥ୍ୟ ଜଟିଳତା ଥିଲା। ମୃତକମାନେ ୫୦ ବର୍ଷରୁ ଅଧିକ ବୟସର ବୋଲି ଜଣାପଡ଼ିଛି।
ମିର୍ଜାପୁର ଏସପି ଅଭିନନ୍ଦନ କହିଛନ୍ତି, ପ୍ରତ୍ୟେକ ମୃତ ହୋମଗାର୍ଡଙ୍କ ପରିବାରକୁ ନିର୍ବାଚନ କମିସନ ପକ୍ଷରୁ ୧୫ ଲକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ସୋନଭଦ୍ର ଡିଏମ୍ ଚନ୍ଦ୍ର ବିଜୟ ସିଂହ ଦୁଇ ଜଣ ପୋଲିଂ କର୍ମଚାରୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ବିହାରରେ ଶୁକ୍ରବାର ହୋଇଥିବା ୫ ଜଣଙ୍କ ମୃତ୍ୟୁକୁ ମିଶାଇ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ ପୋଲିଂ କର୍ମଚାରୀଙ୍କ ସମେତ ମୃତ୍ୟୁସଂଖ୍ୟା ୧୪ରେ ପହଞ୍ଚିଛି। ଶୁକ୍ରବାର ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜସ୍ଥାନରେ ଚଳିତ ଗ୍ରୀଷ୍ମଋତୁରେ ୯ ଜଣଙ୍କ ମୃତ୍ୟୁ ଘଟିଛି।
Follow Us