Image Source: NDTV
ଭୁବନେଶ୍ବର: ଦେଶରୁ ଲକ୍ଡାଉନ୍ ପ୍ରତ୍ୟାହାର କରି ନିଆଯିବା ପରେ ଓଡ଼ିଶାକୁ ଆସିବାକୁ ଆଗ୍ରହୀ ପ୍ରବାସୀ ଓଡ଼ିଆଙ୍କ ପ୍ରତି ରାଜ୍ୟ ସରକାରଙ୍କ ତରଫରୁ କେତେକ ଗୁରୁତ୍ବପୂର୍ଣ୍ଣ ସୂଚନା ଓ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ବିନା ପଞ୍ଜିକରଣରେ କୌଣସି ପ୍ରବାସୀ ଓଡ଼ିଆ ରାଜ୍ୟ ମଧ୍ୟକୁ ପ୍ରବେଶ ନ କରିବାକୁ ଏଥିରେ କୁହାଯାଇଛି।
ଏ ସଂକ୍ରାନ୍ତରେ ରାଜ୍ୟ ଗୃହ ନିର୍ମାଣ ଏବଂ ନଗରାଞ୍ଚଳ ବିକାଶ ବିଭାଗ ଏକ ପତ୍ର ଜାରି କରିଛି। ଏଥିରେ କୁହାଯାଇଛି ଯେ ଲକ୍ଡାଉନ୍ ପ୍ରତ୍ୟାହାର କରି ନିଆଯିବା ପରେ ହିଁ ପ୍ରବାସୀ ଓଡ଼ିଆମାନେ ଓଡ଼ିଶାକୁ ଫେରି ପାରିବେ। କିନ୍ତୁ, ଓଡ଼ିଶାରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ସରକାରୀ ପୋର୍ଟାଲ୍ ଜରିଆରେ ପଞ୍ଜିକରଣ କରିବାକୁ ପଡ଼ିବ। ତା’ପରେ ଯାଇ ସେମାନେ କୌଣସି ଗ୍ରାମପଞ୍ଚାୟତ କିଂବା ସହରାଞ୍ଚଳକୁ ଆସି ପାରିବେ। ନାମ ପଞ୍ଜିକରଣ କରାଇବା ପରେ କୌଣସି କାରଣରୁ ଓଡ଼ିଶାକୁ ଫେରିବାକୁ ନ ଚାହୁଁଥିବା ବ୍ୟକ୍ତିବିଶେଷ ନିଜ ପରିବାର ଜରିଆରେ କିଂବା ସିଧାସଳଖ ନୋଡାଲ୍ ଅଫିସର୍ଙ୍କୁ ଫୋନ୍ କରି ପଞ୍ଜିକରଣ ବାତିଲ ମଧ୍ୟ କରିପାରିବେ।
Image Source: The Economic Timesକରୋନାଭାଇରସ୍ ମହାମାରୀ ସଂକ୍ରମଣ ପ୍ରତିହତ କରିବାକୁ ସତର୍କତାମୂଳକ ପଦକ୍ଷେପସ୍ବରୂପ ପଞ୍ଜିକରଣ କରି ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ପ୍ରଥମେ ୧୪ ଦିନ ସକାଶେ କ୍ବାରେଣ୍ଟିନ୍ରେ ରଖାଯିବ। ଉଭୟ ଗ୍ରାମପଞ୍ଚାୟତ ଏବଂ ସହରାଞ୍ଚଳରେ ରାଜ୍ୟ ସରକାର କ୍ବାରେଣ୍ଟିନ୍ ସୁବିଧା ଯୋଗାଇ ଦେବେ। ସେଠାରେ ରହିବା, ଖାଇବା, ଶୌଚ ସାମଗ୍ରୀ ଏବଂ ଚିକିତ୍ସା ସେବା ସମ୍ପୂର୍ଣ୍ଣ ମାଗଣାରେ ମିଳିବ। ୧୪ ଦିନ କ୍ବାରେଣ୍ଟିନ୍ ଶେଷ ହେବା ପରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ।
ରାଜ୍ୟ ବାହାରୁ ଆସୁଥିବା ସମସ୍ତ ବ୍ୟକ୍ତିବିଶେଷ (କରୋନାଭାଇରସ୍ ସଂକ୍ରମିତ ହୋଇ ଥାଆନ୍ତୁ ବା ନ ହୋଇ ଥାଆନ୍ତୁ) ୧୪ ଦିନିଆ ସରକାରୀ କ୍ବାରେଣ୍ଟିନ୍ରେ ରହିବାକୁ ବାଧ୍ୟ। କେହି ଯଦି ବିନା ପଞ୍ଜିକରଣରେ ଆସନ୍ତି, ୧୪ ଦିନିଆ କ୍ବାରେଣ୍ଟିନ୍ ନିୟମ ଅମାନ୍ୟ କରନ୍ତି, ତେବେ ବିପର୍ଯ୍ୟୟ ପରିଚାଳନା ନିୟମ – ୨୦୦୫ ଅଧୀନରେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବ।
ରାଜ୍ୟ ବାହାରୁ ପ୍ରବାସୀ ଓଡ଼ିଆମାନଙ୍କୁ ଆଣିବା ନିମନ୍ତେ ସରକାର ସ୍ବତନ୍ତ୍ର ଟ୍ରେନ୍ କିଂବା ବସ୍ ବ୍ୟବସ୍ଥା କରୁଛନ୍ତି। ଏହାଛଡ଼ା ଲୋକେ ଘରୋଇ ଯାନରେ ମଧ୍ୟ ଓଡ଼ିଶାକୁ ଫେରିପାରିବେ। କିନ୍ତୁ, ଏଥିପାଇଁ ଏକ ଅନୁମତି ପତ୍ର ନେବା ବାଧ୍ୟତାମୂଳକ ବୋଲି ସରକାର କହିଛନ୍ତି।
Follow Us