Image Courtesy of India Today
ନୂଆଦିଲ୍ଲୀ: ଅଧିକାଂଶ ସମୟରେ ସରକାରୀ କାର୍ଯ୍ୟାଳୟରେ ଆପଣ ଦେଖିଥିବେ ଯେ ଅଫିସରେ କର୍ମଚାରୀ ନଥିବେ | ବେଳେବେଳେ କିଛି କର୍ମଚାରୀ ଭୋଜନ ବିରତି ବା ଲଞ୍ଚ ବ୍ରେକ କହି ଅଫିସରୁ ୩ରୁ ୪ ଘଣ୍ଟା ଅନୁପସ୍ଥିତ ରହିଥାନ୍ତି | ତେବେ ଏହି ନିୟମକୁ ପରିବର୍ତ୍ତନ କରିଛନ୍ତି ଯୋଗୀ ସରକାର | ଉତ୍ତରପ୍ରଦେଶରେ ଯୋଗୀ ଦ୍ଵିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଅସାଧୁ ସରକାରୀ କର୍ମଚାରୀଙ୍କ ଚିନ୍ତା ବଢିଛି | କାରଣ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଦିନ ରାଜ୍ୟ ସରକାରୀ କର୍ମଚାରୀଙ୍କ ମଧ୍ୟାହ୍ନ ଭୋଜନ ବିରତିକୁ ଅଧ ଘଣ୍ଟାକୁ ହ୍ରାସ କରିଛନ୍ତି।
ତାଙ୍କ ବାସଭବନରେ ଆୟୋଜିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗୀ କହିଛନ୍ତି ଯେ ଦୀର୍ଘ ସମୟର ମଧ୍ୟାହ୍ନ ଭୋଜନ ବିରତି ନେଇ ଅଧିକାରୀ ଏବଂ କର୍ମଚାରୀଙ୍କ ନାମରେ ବହୁ ଅଭିଯୋଗ ଆସୁଛି | ଯେଉଁଥିପାଇଁ କାର୍ଯ୍ୟାଳୟରେ କାର୍ଯ୍ୟ ପ୍ରଭାବିତ ହେଉଛି। ତେଣୁ ମଧ୍ୟାହ୍ନ ଭୋଜନ ବିରତି ଯେଭଳି ୩୦ ମିନିଟରୁ ଅଧିକ ନହୁଏ ସେନେଇ ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଯୋଗୀ କହିଛନ୍ତି ଯେ ସରକାରୀ କର୍ମଚାରୀମାନେ ଅପରାହ୍ନ ୧.୩୦ ରେ ମଧ୍ୟାହ୍ନ ଭୋଜନ ବିରତି ନେବା ଏକ ସାଧାରଣ ଅଭ୍ୟାସ ହୋଇସାରିଛି | କର୍ମଚାରୀମାନେ ପ୍ରାୟତଃ ଦୁଇ ଘଣ୍ଟା ବିଳମ୍ବରେ ପୁଣି କାର୍ଯ୍ୟରେ ଯୋଗ ଦେଉଛନ୍ତି | କିଛି କର୍ମଚାରୀ ତ ଅପରାହ୍ନ ୪ଟା ବେଳେ କାର୍ଯ୍ୟାଳୟକୁ ଫେରୁଥିବାର ଅଭିଯୋଗ ମିଳୁଛି | ତେଣୁ ଯେଭଳି ଭୋଜନ ବିରତି ଅଧଘଣ୍ଟାରୁ ଅଧିକ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି |
Follow Us