ନୂଆଦିଲ୍ଲୀ : ଆସାମର ଜୋରହାଟରୁ ଆଜି ଅପରାହ୍ଣରେ ଉଡାଣଭରିବା ପରେ ନିଶ୍ଚିହ୍ନ ହୋଇଯାଇଥିବା ଭାରତୀୟ ବାୟୁସେନାର ବିମାନ ଏଏନ-୩୨ ର କୌଣସି ଧ୍ୱଂସାବଶେଷ ମିଳିନାହିଁ ବୋଲି ବାୟୁସେନା କହିଛି । ଟ୍ଵିଟ କରି ବାୟୁସେନାପକ୍ଷରୁ କୁହାଯାଇଛି ଯେ ବାୟୁସେନା, ଭାରତୀୟ ସେନା ଓ ସ୍ଥାନୀୟ ପ୍ରଶାସନ ମିଶି ଏହି ନିଖୋଜ ବିମାନର ତଲାସୀରେ ଲାଗିଛନ୍ତି । ଏହି ତଲାସୀ କାର୍ଯ୍ୟରେ ବାୟୁସେନାର ଏକ ସି-୧୩୦ଜେ,ଏମଆଇ-୧୭, ଏଏନ-୩୨ ଓ ଏକ ଏଏଲଏହ ହେଲିକପ୍ଟରକୁ ନିୟୋଜିତ କରାଯାଇଛି ।
ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଅପରାହ୍ଣରେ ନିଖୋଜ ହୋଇଯାଇଥିବା ଏହି ବାୟୁସେନା ବିମାନର ଧ୍ୱଂସାବଶେଷ ଅରୁଣାଚଳପ୍ରଦେଶରେ ମିଳିଛି ।
ଭାରତୀୟ ବାୟୁସେନାର ଏହି ଏଏନ୍-୩୨ ବିମାନ ଆଜି ମଧ୍ୟାହ୍ନରେ ଆସାମର ଜୋରହାଟ ଏୟାର ବେସ୍ରୁ ଉଡ଼ାଣ ଭରିଥିଲା। ବିମାନଟି ଅରୁଣାଚଳ ପ୍ରଦେଶର ମେଚୁକା ଆଡ୍ଭାନ୍ସ ଲାଣ୍ଡିଂ ଗ୍ରାଉଣ୍ଡ ଠାରେ ଅବତରଣ କରିବାର ଥିଲା। ହେଲେ, ବିମାନଟି ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିବା ପୂର୍ବରୁ ଆକାଶ ପଥରେ ନିଖୋଜ ହୋଇଯାଇଥିଲା ।
Follow Us