ନୂଆଦିଲ୍ଲୀ: ଏକ ଅଭିନବ 'ଆନୁବଂଶିକ କଇଞ୍ଚି'ର ବିକାଶ ବା ଗୁଣସୂତ୍ରର ଆନୁବଂଶିକ ସମ୍ପାଦନ ପ୍ରକ୍ରିୟା ଆବିଷ୍କାର ପାଇଁ ଚଳିତ ବର୍ଷ ଦୁଇ ଜଣଙ୍କୁ ରସାୟନଶାସ୍ତ୍ରରେ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ ନିମନ୍ତେ ମନୋନୀତ କରାଯାଇଛି। ସେମାନେ ହେଲେ ଫରାସୀ ବୈଜ୍ଞାନିକ ଇମାନୁଏଲ୍ କାର୍ପେଣ୍ଟିଅର ଓ ଆମେରିକୀୟ ଗବେଷକ ଜେନିଫର ଏ. ଡୌଡ୍ନା। ସେମାନଙ୍କ ନୂତନ ପଦ୍ଧତି ସାହାଯ୍ୟରେ ମନୁଷ୍ୟର ଆନୁବଂଶିକ ଉପାଦାନକୁ ସମ୍ପାଦନ କରାଯାଇ ଭବିଷ୍ୟତରେ ବଂଶଗତ ରୋଗର ନିରାକରଣ କରାଯାଇପାରିବ ବୋଲି ଆଶା କରାଯାଉଛି। ବୁଧବାର ସ୍ବେଡେନ୍ର ଷ୍ଟକ୍ହୋମ୍ ଠାରେ ରୟାଲ୍ ସ୍ବେଦିଶ ଏକାଡେମି ଅଫ୍ ସାଇନ୍ସେସ ଦ୍ବାରା ଏହି ବିଶିଷ୍ଟ ରସାୟନବିତ୍ ଦ୍ବୟଙ୍କ ନାମ ଘୋଷଣା କରିବା ଅବସରରେ ନୋବେଲ୍ କମିଟି(ରସାୟନଶାସ୍ତ୍ର) ମୁଖ୍ୟ କ୍ଲାଇସ୍ ଗୁସ୍ତାଫସନ୍ କହିଛନ୍ତି ଯେ ଏହି ଆନୁବଂଶିକ ସରଞ୍ଜାମରେ ବିପୁଳ ଶକ୍ତି ରହିଛି ଯାହା ଆମ ସମସ୍ତଙ୍କୁ ପ୍ରଭାବିତ କରୁଛି। ଏହି ଆବିଷ୍କାର କେବଳ ମୌଳିକ ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ଆଣିନାହିଁ, ଏହାଦ୍ବାରା ଅଭିନବ ଭେଷଜ ଚିକିତ୍ସା ମଧ୍ୟ ସମ୍ଭବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ଏଣିକି ଯେ କୌଣସି ପ୍ରାଣୀର ଆନୁବଂଶିକ ଗୁଣସୂତ୍ରକୁ ସମ୍ପାଦନ କରାଯାଇ ସେଥିରେ ରହିଥିବା ତ୍ରୁଟିକୁ ସଂଶୋଧନ କରାଯାଇପାରିବ ବୋଲି ଗୁସ୍ତାଫସନ କହିଛନ୍ତି। ତେବେ ଏହି ଜ୍ଞାନକୌଶଳର ବିପୁଳ ଶକ୍ତି ସମାହାର ଯୋଗୁଁ ଆମକୁ ସତର୍କତାର ସହ ଏହାର ଉପଯୋଗ କରିବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।
ଆନୁବଂଶିକ ସମ୍ପାଦନା ପାଇଁ ୨ ଜଣଙ୍କୁ ରସାୟନ ଶାସ୍ତ୍ରରେ ନୋବେଲ
Advertisment
Follow Us