www.india.com
ନୋଇଡ଼ା: ଜଣେ ୧୯ ବର୍ଷିୟ ତରୁଣ ରାତି ଅଧରେ ନୋଇଡ଼ାର ଗୋଟାଏ ରାସ୍ତାରେ ଦୌଡ଼ି ଦୌଡ଼ି ଘରକୁ ଫେରୁଥିବା ଦୃଶ୍ୟ ସମ୍ବଳିତ ଏକ ଭିଡିଓ ନିକଟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ପ୍ରଦୀପ ମେହରା ନାମକ ଏହି ଯୁବକଙ୍କ ଭିଡିଓ ଭାଇରାଲ୍ ହେବା ପରେ କେହି କେହି ତାଙ୍କୁ ଆର୍ଥିକ ସମର୍ଥନର ହାତ ବଢ଼ାଇଥିଲେ ତ ପୁଣି କେହି ତାଙ୍କୁ ପରିଶ୍ରମୀ ବୋଲି କହି ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ।
ଏବେ ପ୍ରଦୀପଙ୍କୁ ତାଙ୍କ ମାଆଙ୍କ ଚିକିତ୍ସା ସକାଶେ ରିଟେଲ୍ କ୍ଷେତ୍ରର ଏକ ଜଣାଶୁଣା ବ୍ରାଣ୍ଡ୍ ପକ୍ଷରୁ ୨.୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ପ୍ରଦୀପଙ୍କ ମାଆ ଜଣେ ଯକ୍ଷ୍ମା ରୋଗୀ ଓ ଗତ ୨ ବର୍ଷ ହେବ ସେ ଦିଲ୍ଲୀର ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି।
ପ୍ରଦୀପ ଦୌଡୁଥିବା ବେଳର ଭିଡିଓ କରି ପ୍ରଥମେ ପୋଷ୍ଟ୍ କରିଥିବା ସିନେ ନିର୍ମାତା ବିନୋଦ କାପ୍ରି ଏନେଇ ଏକ ଟ୍ବିଟ୍ କରିଛନ୍ତି। ସେ ପ୍ରଦୀପଙ୍କୁ ବ୍ୟବସାୟୀ ଚେକ୍ ଦେଇଥିବା ବେଳର ଫଟୋକୁ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ପୋଷ୍ଟ୍ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଜଣେ ୧୯ ବର୍ଷିୟ ତରୁଣ ରାତି ଅଧରେ ନୋଇଡ଼ାର ଗୋଟାଏ ରାସ୍ତାରେ ଦୌଡ଼ି ଦୌଡ଼ି ଘରକୁ ଫେରୁଥିବା ଦୃଶ୍ୟ ସମ୍ବଳିତ ଭିଡିଓ କିଛି ଦିନ ତଳର ଏକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ ହେବାର କେଇ ମୁହୂର୍ତ୍ତ ମଧ୍ୟରେ ଭାଇରାଲ୍ ହୋଇଥିଲା। ଦୌଡ଼ି ଦୌଡ଼ି ନୟାନ୍ତ ହେବା ସହ ଝାଳନାଳ ହୋଇଯାଇଥିବା ଉକ୍ତ ଯୁବକଙ୍କୁ ଗାଡ଼ିରେ ନେଇ ଘରେ ଛାଡ଼ି ଆସିବାକୁ ଚଳଚ୍ଚିତ୍ର ନିର୍ମାତା ତଥା ଲେଖକ ବିନୋଦ କାପ୍ରି ବାରମ୍ବାର ଅନୁରୋଧ କରିଥିବା ସତ୍ତ୍ବେ ପ୍ରଦୀପ ମେହରା ତାଙ୍କ ଅନୁରୋଧକୁ ସବିନୟ ଟାଳି ଦେଇଥିଲେ।
‘ମ୍ୟାକ୍ ଡୋନାଲଡ୍’ରେ କାମ କରୁଥିବା ଉକ୍ତ ତରୁଣ ‘ସିଫ୍ଟ୍’ ଶେଷ କରି ଅଧରାତିରେ ଦୌଡ଼ି ଦୌଡ଼ି ଘରକୁ ଯାଉଥିବା ଦୃଶ୍ୟର ଭିଡିଓ କାର୍ ଭିତରୁ ଥାଇ ସୁଟିଙ୍ଗ୍ କରିଥିଲେ ବିନୋଦ କାପ୍ରି। କାପ୍ରିଙ୍କ ‘ଲିଫ୍ଟ୍ ଅଫର୍’କୁ ଅଗ୍ରାହ୍ୟ କରିବାର କାରଣ ଦର୍ଶାଇ ତରୁଣ ପ୍ରଦୀପ କହିଥିଲେ, ଦୌଡ଼ାଦୌଡ଼ି କରିବାକୁ ସମୟ ପାଉ ନ ଥିବାରୁ ସେ ଦୌଡ଼ି ଦୌଡ଼ି ଘରକୁ ଯିବାକୁ ଉଚିତ ମଣୁଛନ୍ତି।
  
 Follow Us