ପ୍ରଥମ କୋଭିଡ୍‌ ସଂକ୍ରମଣ ସୁନିଶ୍ଚିତ କରି ଦେଶରେ ‘କଠୋର ଜାତୀୟ ଜରୁରୀ ପରିସ୍ଥିତି’ ଘୋଷଣା କଲା ଉତ୍ତର କୋରିଆ

Advertisment
ପ୍ରଥମ କୋଭିଡ୍‌ ସଂକ୍ରମଣ ସୁନିଶ୍ଚିତ କରି ଦେଶରେ ‘କଠୋର ଜାତୀୟ ଜରୁରୀ ପରିସ୍ଥିତି’ ଘୋଷଣା କଲା ଉତ୍ତର କୋରିଆ

Image Courtesy of NDTV

ସିଓଲ୍‌: ଦେଶରେ ପ୍ରଥମ କରି କୋଭିଡ୍-୧୯ ସଂକ୍ରମଣ ହୋଇଥିବା ସୁନିଶ୍ଚିତ କରି ଉତ୍ତର କୋରିଆ ‘କଠୋର ଜାତୀୟ ଜରୁରୀ ପରିସ୍ଥିତି’ ଘୋଷଣା କରିଛି। ଏବଂ ଉତ୍ତର କୋରିଆରୁ ଏହି ଭୂତାଣୁକୁ ମୂଳପୋଛ କରିବା ଲାଗି ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ପ୍ରତିଜ୍ଞା କରିଛନ୍ତି ବୋଲି ଆଜି ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।

ଉଲ୍ଲେଖଯୋଗ୍ୟ, ୨୦୨୦ରେ ମହାମାରୀ ପ୍ରାରମ୍ଭରୁ ନିଜର ସୀମାନ୍ତ ସବୁ ବନ୍ଦ ରଖିଥିବା ଉତ୍ତର କୋରିଆ ଆଜିଯାଏଁ ଗୋଟିଏ ହେଲେ କୋଭିଡ୍-୧୯ ସଂକ୍ରମଣ ହୋଇଥିବା କଥା ସ୍ବୀକାର କରି ନ ଥିଲା।

ରାଷ୍ଟ୍ରାୟତ ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ (କେସିଏନ୍‌ଏ) ରିପୋର୍ଟ ଅନୁସାରେ,  ଦେଶର ରାଜଧାନୀରେ ଜ୍ବରରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କ ଠାରୁ ନିଆଯାଇଥିବା ନମୁନାରୁ ଜଣାପଡ଼ିଛି ଯେ, ସେ ଦ୍ରୁତ ସଂକ୍ରମଣଶୀଳ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ଦ୍ବାରା ସଂକ୍ରମିତ।

ନେତା କିମ୍ ଜୋଙ୍ଗ୍‌ ଉନ୍‌ଙ୍କ ସମେତ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀମାନେ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏକତ୍ର ହୋଇ ବ୍ୟାପିଥିବା ସଂକ୍ରମଣ ବିଷୟରେ ଆଲୋଚନା କରିବା ସହ ଭୂତାଣୁ ନିୟନ୍ତ୍ରଣ ବ୍ୟବସ୍ଥାସ୍ବରୂପ ‘କଠୋର ଜରୁରୀ ପରିସ୍ଥିତି’ ଘୋଷଣା କରିଛନ୍ତି।

publive-image Image Courtesy of India.com

‘କେସିଏନ୍‌ଏ’ ରିପୋର୍ଟ ଅନୁସାରେ, ବୈଠକରେ କିମ୍‌ କହିଛନ୍ତି ଯେ, ଅତି ସ୍ବଳ୍ପ ସମୟ ମଧ୍ୟରେ ଭୂତାଣୁର ମୂଳୋତ୍ପାଟନ ହେଉଛି ଜରୁରୀ ପରିସ୍ଥିତି ଘୋଷଣାର ଲକ୍ଷ୍ୟ। ସେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଜନସାଧାରଣଙ୍କ ମଧ୍ୟରେ ରାଜନୈତିକ ସଚେତନତା ଅଧିକ ଥିବାରୁ ଜରୁରୀକାଳୀନ ପରିସ୍ଥିତିଜନିତ ଅସୁବିଧା ସହ୍ୟକରି ସେମାନେ ‘ଜରୁରୀକାଳୀନ କ୍ବାରେଣ୍ଟିନ୍‌ ପ୍ରୋଜେକ୍ଟ୍‌’ରେ ବିଜୟୀ ହେବେ।

ଏହା ବ୍ୟତିରେକେ, କିମ୍‌ ସୀମାନ୍ତ ପହରା କଠୋର କରିବା ସହ ଏହି ଦୁଷ୍ଟ ଭୂତାଣୁ ବ୍ୟାପ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦେଶର ସମସ୍ତ ନଗରୀ ଓକାଉଣ୍ଟିମାନଙ୍କରେ ଲକ୍‌ଡାଉନ୍‌ ଜାରି କରିବା ଲାଗି ଜନସାଧାରଣଙ୍କୁ କହିଛନ୍ତି।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’, ଚୀନ୍‌ ଏବଂ ରୁଷ୍‌ର ଟିକାକରଣ ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିବାରୁ ଉତ୍ତର କୋରିଆ ତା’ର ୧୫ ନିୟୁତ ଜନତାଙ୍କୁ କୋଭିଡ୍‌ ନିରୋଧୀ ଟିକା ଦେଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe