Image Courtesy of Reuters
ସିଓଲ୍: ଦିନକ ଆଗରୁ ବୁଡ଼ାଜାହାଜରୁ ଉତ୍କ୍ଷେପଣ କରି ହେଉଥିବା ଗୋଟାଏ ନୂତନ ଧରଣର ‘ବାଲିଷ୍ଟିକ୍ କ୍ଷେପଣାସ୍ତ୍ର’ର ସଫଳ ପରୀକ୍ଷା କରିଥିବା କଥା ବୁଧବାର ଦିନ ଉତ୍ତର କୋରିଆ କହିଛି।
‘ୟୋନ୍ହାପ୍ ନିଉଜ୍ ଏଜେନ୍ସି’ ରିପୋର୍ଟ ଅନୁସାରେ, ଏହା ହେଉଛି ଚଳିତ ବର୍ଷ ଉତ୍ତର କୋରିଆର ଅଷ୍ଟମ ପ୍ରମୁଖ କ୍ଷେପଣାସ୍ତ୍ର ପରୀକ୍ଷା। ଗତ ଅଳ୍ପ କେତେ ବର୍ଷ ହେବ ଉତ୍ତର କୋରିଆ ଦକ୍ଷିଣ କୋରିଆର କ୍ଷେପଣାସ୍ତ୍ର ପ୍ରତିହତ ବ୍ୟବସ୍ଥାକୁ ଏଡ଼ାଇବା ଭଳି କ୍ଷମତା ଥିବା ସ୍ୱଳ୍ପ-ଦୂରଗାମୀ ‘ବାଲିଷ୍ଟିକ୍ କ୍ଷେପଣାସ୍ତ୍ର’ ପରୀକ୍ଷା କରି ଆସୁଛି।
ରାଷ୍ଟ୍ରାୟତ ‘କୋରିୟାନ୍ ସେଣ୍ଟ୍ରାଲ୍ ନିଉଜ୍ ଏଜେନ୍ସି’ କହିଛି, ଆମ ଦେଶର ପ୍ରତିରକ୍ଷା ଜ୍ଞାନକୌଶଳ ଏବଂ ଜଳମଧ୍ୟସ୍ଥ ଯୁଦ୍ଧ ଅଭିଯାନ ଅଗ୍ରଗତିରେ ଏହି ନୂତନ ‘ଏସ୍ଏଲ୍ବିଏମ୍’ ବଡ଼ ଅବଦାନ ଦେବ।
Image Courtesy of Reutersଏହି ପରୀକ୍ଷାମୂଳକ ଉତ୍କ୍ଷେପଣକୁ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍-ଉନ୍ ପର୍ଯ୍ୟବେକ୍ଷଣ କରି ନାହାନ୍ତି।
ସିଂପୋ ଅଞ୍ଚଳରୁ ଉତ୍ତର କୋରିଆ ‘ଏସ୍ଏଲ୍ବିଏମ୍’ ଭଳି ମନେହେଉଥିବା ଗୋଟାଏ ସ୍ୱଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା କଥା ମଙ୍ଗଳବାର ଦିନ ଉତ୍ତର କୋରିଆ ସେନା କହିଥିଲା। ସିଂପୋରେ ଉତ୍ତର କୋରିଆର ମୁଖ୍ୟ ବୁଡ଼ାଜାହାଜ ‘ୟାର୍ଡ’ ଅବସ୍ଥିତ।
ବିଭିନ୍ନ ରାଷ୍ଟ୍ରର କୂଟନୀତିଜ୍ଞମାନଙ୍କ କହିଛନ୍ତି ଯେ, ଜାତିସଂଘ ନିରାପତ୍ତା ପରିଷଦ୍ କବାଟକୀଳା ବୈଠକରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ୍ ଉତ୍ତର କୋରିଆର ସଦ୍ୟତମ କ୍ଷେପଣାସ୍ତ୍ର ପରୀକ୍ଷା ପ୍ରସଙ୍ଗ ଉତ୍ଥାପନ କରିବେ ବୋଲି ଯୋଜନା କରିଛନ୍ତି।
Follow Us