Image Courtesy of India Today
ସିଓଲ୍: ବିଶ୍ବର ସବୁଠୁ ଶକ୍ତିଶାଳୀ ପରମାଣୁ ଶକ୍ତି ହାସଲ କରିବା ତାଙ୍କ ଦେଶର ଚରମ ଲକ୍ଷ୍ୟ ବୋଲି ଉତ୍ତର କୋରୀୟ ନେତା କିମ୍ ଜୋଙ୍ଗ୍ ଉନ୍ କହିଥିବା କଥା ରବିବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।
ଏଥିସହ ନିକଟ ଅତୀତରେ ଉତ୍ତର କୋରିଆର ବୃହତ୍ତମ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତ୍କ୍ଷେପଣରେ ସମ୍ପୃକ୍ତ ଥିବା କେତେକ ସେନା ଅଧିକାରୀଙ୍କୁ ମଧ୍ୟ କିମ୍ ପଦୋନ୍ନତି ଦେଇଛନ୍ତି।
ସେନା ଅଧିକାରୀମାନଙ୍କ ନିମନ୍ତେ ଦେଇଥିବା ପଦୋନ୍ନତି ଆଦେଶରେ କିମ୍ କହିଛନ୍ତି, ରାଷ୍ଟ୍ର ଓ ଜନସାଧାରଣଙ୍କ ସାର୍ବଭୌମତ୍ବ ସୁରକ୍ଷିତ ରଖିବା ପାଇଁ ଆଣବିକ ଅସ୍ତ୍ର ନିର୍ମାଣ କରାଯାଉଛି। ଉତ୍ତର କୋରିଆର ଲକ୍ଷ୍ୟ ହେଉଛି ବିଶ୍ବର ସବୁଠୁ ଶକ୍ତିଶାଳୀ ଲଢୁଆ ଶକ୍ତିର ଅଧିକାରୀ ହେବା। ଏଭଳି ଲଢୁଆ ଶକ୍ତି ଚଳିତ ଶତାବ୍ଦୀ ପାଇଁ ହେବ ଅଭୂତପୂର୍ବ।
Image Courtesy of Rapplerନଭେମ୍ବର ୧୮ ତାରିଖ ଦିନ ପରୀକ୍ଷାମୂଳକ ଭାବେ ନିକ୍ଷେପ କରାଯାଇଥିବା ନୂତନ ‘ହ୍ବାସଙ୍ଗ୍-୧୭’ ଅର୍ନ୍ତମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବିଶ୍ବର ସବୁଠୁ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ବୋଲି ସେ କହିଛନ୍ତି। ବିଶ୍ବର ସବୁଠୁ ଶକ୍ତିଶାଳୀ ସେନା ଗଠନ କରିବା ପାଇଁ ଉତ୍ତର କୋରିଆର ଦକ୍ଷତା ଥିବା କଥା ଏହା ପ୍ରମାଣ କରୁଛି।
ସବିଶେଷ ବିବରଣ ନ ଦେଇ କିମ୍ ଆହୁରି ମଧ୍ୟ କହିଛନ୍ତି, ବାଲିଷ୍ଟିକ୍ କ୍ଷେପଣାସ୍ତ୍ରରେ ଆଣବିକ ଅସ୍ତ୍ର ଖଞ୍ଜିବା ବୈଷୟିକ ଜ୍ଞାନ ବିକାଶ କ୍ଷେତ୍ରରେ ଉତ୍ତର କୋରୀୟ ବୈଜ୍ଞାନିକମାନେ ଚମତ୍କାର ଅଗ୍ରଗତି କରିଛନ୍ତି।
ବୈଜ୍ଞାନିକ, ଇଞ୍ଜିନିୟର୍, ସେନା ଅଧିକାରୀ ଏବଂ କ୍ଷେପଣାସ୍ତ୍ର ପରୀକ୍ଷାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କ ପାଖରେ ଠିଆ ହୋଇ ଫଟୋ ଉଠାଇବା ବେଳେ କିମ୍ କହିଛନ୍ତି, ସେମାନେ ଅସାଧାରଣ ବେଗରେ ଦେଶର ଆଣବିକ ଶକ୍ତି ପ୍ରସାରଣ ଓ ସୁଦୃଢ଼ କରିବେ ବୋଲି ମୋର ଆଶା।
Follow Us