Image Courtesy of India Today
ଧାନବାଦ: ବୁଧବାର ଦିନ ଝାଡ଼ଖଣ୍ଡର ଧାନବାଦରେ ସଡ଼କ ଦୁର୍ଘଟଣାରେ ଜଣେ ବିଚାରପତି ମୃତ୍ୟୁବରଣ କରିଛନ୍ତି ବୋଲି ଯାହା ବିଶ୍ବାସ କରାଯାଉଥିଲା ତାହା ସତ୍ୟ ନୁହେଁ। ସକାଳବୁଲାରେ ଯାଉଥିବା ବିଚାରପତିଙ୍କୁ ଚାଳକ ଜାଣିଶୁଣି ଅଟୋ ଚଢ଼ାଇ ହତ୍ୟା କରିଥିବା କଥା ‘ସିସିଟିଭି’ ଫୁଟେଜ୍ରୁ ଜଣାପଡ଼ିଛି।
ତେଣୁ, ଧାନବାନ ଡିଷ୍ଟ୍ରିକ୍ଟ୍ ଆଣ୍ଡ୍ ଆଡିସ୍ନାଲ୍ ଜଜ୍ ଉତ୍ତମ ଆନନ୍ଦଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗରିଡ଼ିହ ପୁଲିସ ସେ ଅଟୋ ଚାଳକଙ୍କୁ ଗିରଫ କରିଛି। ଏହା ବ୍ୟତିରେକେ, ପୁଲିସ ସେ ଅଟୋଟିକୁ ଜବତ କରିବା ସହ ଚାଳକଙ୍କର ଦୁଇଜଣ ସହଯୋଗୀଙ୍କୁ ଧରିଛି। ଏହି ଅଟୋଟି ଚୋରି ହୋଇ ଆସିଥିବା କଥା ମଧ୍ୟ ପୁଲିସ ଜାଣିପାରିଛି।
Image Courtesy of NDTVନୂଆ ‘ସିସିଟିଭି’ ଫୁଟେଜ୍ରେ ଦେଖାଯାଉଛି ଯେ, ରାସ୍ତାକଡ଼ରେ ଝାଡ଼ଖଣ୍ଡ ବିଚାରପତି ଜଗିଙ୍ଗ୍ କରୁଥିବା ବେଳେ ଅଟୋଟି ସମ୍ପୂର୍ଣ୍ଣ ଫାଙ୍କା ଥିବା ରାସ୍ତା ମଝିରୁ ରାସ୍ତା କଡ଼କୁ ଯାଉଛି। ଏହାପରେ ଅଟୋଟି ବିଚାରପତିଙ୍କୁ ଧକ୍କା ଦେଇ ତଳେ ପକାଇ ଦେଇ ଦ୍ରୁତ ଗତିରେ ପଳାଇ ଯାଉଛି। ବିଚାରପତି ରାସ୍ତ କଡ଼ରେ ନିଶ୍ଚଳ ହୋଇ ପଡ଼ିରହିଛନ୍ତି। ଘଟଣାଟି ବୁଧବାର ଭୋର୍ ୫ଟାରେ ଘଟିଥିବା କଥା ‘ସିସିଟିଭି’ ଫୁଟେଜ୍ରୁ ଜଣାପଡ଼ିଛି।
ଆଜି ଦିଂବଗତ ବିଚାରପତି ଉତ୍ତମ ଆନନ୍ଦଙ୍କ ଶବକୁ ହଜାରିବାଗର ଶିବପୁରୀକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଉଛି।
ଧାନବାଦ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କ ହତ୍ୟା ମାମଲାରେ ସୁପ୍ରିମ୍ କୋର୍ଟ ‘ସୁଓ ମୋଟୁ ନୋଟିସ୍’ ଜାରି କରନ୍ତୁ ବୋଲି ‘ସୁପ୍ରିମ୍ କୋର୍ଟ ବାର୍ ଆସୋସିଏସନ୍’ ଶୀର୍ଷ ଅଦାଲତଙ୍କୁ ଅନୁରୋଧ କରିଛି। ସୁପ୍ରିମ୍ କୋର୍ଟ ବାର୍ ଆସୋସିଏସନ୍’ କହିଛି, ଏହା ବିଚାର ବିଭାଗୀୟ ସ୍ବାଧୀନତା ଉପରେ ଆକ୍ରମଣ। ବିଚାରପତିଙ୍କ ଉପରେ ଏହା ଗୋଟାଏ ସୁପରିକଳ୍ପିତ ଆକ୍ରମଣ ବୋଲି ମନେହୁଏ।
Follow Us