Image Courtesy of India Today
ନୂଆଦିଲ୍ଲୀ: କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବିରୋଧୀ ନେତାଙ୍କ ବିପକ୍ଷରେ ଲଗାଇ ଆପଣ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କ ମେଣ୍ଟର ନେତୃତ୍ବ ନେଉଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି।
କେତେ ଗୁଡ଼ିଏ ଟୁଇଟ୍ କରି ଖଡ୍ଗେ, କୋଟିପତି ଗୌତମ ଆଦାନିଙ୍କ ‘ସେଲ୍ କମ୍ପାନି’ ଏବଂ ସେଥିରେ ୨୦,୦୦୦ କୋଟି ଟଙ୍କା କିଏ ବିନିଯୋଗ କରିଛି ବୋଲି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କରିଥିବା ଅଭିଯୋଗ କଥା ଉଲ୍ଲେଖ କରିଛନ୍ତି।
ହିନ୍ଦୀରେ ଟୁଇଟ୍ କରି ଖଡ୍ଗେ ଲେଖିଛନ୍ତି, ଆଦାନିଙ୍କ ‘ସେଲ୍ କମ୍ପାନି’ରେ (ନାମକୁ ମାତ୍ର କମ୍ପାନି) ଥିବା ୨୦,୦୦୦ କୋଟି ଟଙ୍କାର ମାଲିକ କିଏ? ଲଳିତ ମୋଦୀ, ନିରବ ମୋଦୀ, ମେହୁଲ୍ କୋକ୍ସି, ବିଜୟ ମାଲ୍ଲ୍ୟା, ଯତୀନ୍ ମେହେଟା ଆଦି କ’ଣ ଆପଣଙ୍କ ‘ଭ୍ରଷ୍ଟାଚାରୀ ଟହାଓ ଅଭିଯାନ’ର ସଦସ୍ୟ? ଆପଣାକୁ ଦୁର୍ନୀତି-ନିରୋଧୀ ସଂଗ୍ରାମୀ କହି ଭାବମୂର୍ତ୍ତି ନିର୍ମଳ କରିବା ବନ୍ଦ କରନ୍ତୁ।
Image Courtesy of Zee Newsସେ ଆହୁରି ମଧ୍ୟ କହିଛନ୍ତି, ପ୍ରଥମେ ଆତ୍ମ-ଅନ୍ବେଷଣ କରନ୍ତୁ। କର୍ଣ୍ଣାଟକରେ ଆପଣଙ୍କ ସରକାର କାହିଁକି ୪୦% କମିସନ୍ ମାମଲାରେ ଅଭିଯୁକ୍ତ ହୋଇଛି? ମେଘାଳୟରେ ୧ ନମ୍ବର ଦୁର୍ନୀତିଗ୍ରସ୍ତ ସରକାରେ ଆପଣ କାହିଁକି ସମ୍ପୃକ୍ତ ଥିଲେ? ରାଜସ୍ଥାନର ‘ସଞ୍ଜିବନୀ ସମବାୟ’ ଦୁର୍ନୀତି, ମଧ୍ୟପ୍ରଦେଶର ‘ପୋଷଣ’ ଦୁର୍ନୀତି ଅଥବା ଛତିଶଗଡ଼ର ‘ନାନ୍’ ଦୁର୍ନୀତିରେ କ’ଣ ‘ବିଜେପି’ ନେତାମାନେ ସମ୍ପୃକ୍ତ ନ ଥିଲେ?
ଆଦାନି ଘଟଣାର ତଦନ୍ତ ଲାଗି ମିଳିତ ସଂସଦୀୟ କମିଟି ଗଠନ କରିବା ଲାଗି ସେ ପ୍ରଧାନମନ୍ତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି।
ସୂଚନଯୋଗ୍ୟ, ମଙ୍ଗଳବାର ଦିନ ‘ବିଜେପି’ ମୁଖ୍ୟାଳୟର ଗୋଟାଏ ସଂଲଗ୍ନ ପରିସର ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ବୋଧନ ଦେବା ବେଳେ ବିରୋଧୀ ଦଳଙ୍କ ଏକତାକୁ ‘ଦୁର୍ନୀତିଗ୍ରସ୍ତମାନେ ଗୋଟିଏ ମଞ୍ଚରେ ସମବେତ’ ହେଉଛନ୍ତି ବୋଲି କହିଥିଲେ।
Follow Us