ସଚିନ୍‌ ଭାଜେ ନୁହନ୍ତି, ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭରା ‘ସ୍କର୍ପିଓ’ ପାର୍କିଙ୍ଗ୍‌ କରିଥିଲେ ତାଙ୍କ ଡ୍ରାଇଭର୍‌

Advertisment
ସଚିନ୍‌ ଭାଜେ ନୁହନ୍ତି, ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭରା ‘ସ୍କର୍ପିଓ’ ପାର୍କିଙ୍ଗ୍‌ କରିଥିଲେ ତାଙ୍କ ଡ୍ରାଇଭର୍‌

Image Courtesy of India Today

ମୁମ୍ବାଇ: ଗିରଫ ହୋଇଥିବା ପୁଲିସ ସଚିନ୍‌ ଭାଜେ ନୁହନ୍ତି, ତାଙ୍କ ବ୍ୟକ୍ତିଗତ ଗାଡ଼ି ଚାଳକ ହିଁ ଫେବ୍ରୁଆରି ୨୫ ତାରିଖ ଦିନ ବିସ୍ଫୋରକ ଭରା ‘ସ୍କର୍ପିଓ’ ଚଳାଇ ନେଇ ମୁକେଶ ଅମ୍ବାନୀଙ୍କ ବାସଭବନ ‘ଆଣ୍ଟାଲିଆ’ ବାହାରେ ପାର୍କିଙ୍ଗ୍‌ କରିଥିଲେ ବୋଲି ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ କହିଛି।

ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଫେବ୍ରୁଆରି ୧୭ ତାରିଖ ଦିନ ମନସୁଖ ହିରେନ୍‌ ‘ମୁଲୁଣ୍ଡ୍‌-ଏୟାରୋଲି ରୋଡ୍‌’ରେ ‘ସ୍କର୍ପିଓ’ଟିକୁ ପାର୍କିଙ୍ଗ୍‌ କରାଇଥିଲେ ବୋଲି କହିଥିଲେ। ‘ଏନ୍‌ଆଇଏ’ ମନେକରୁଛି ଯେ, ସେହି ଦିନ ହିଁ ମନସୁଖ ହିରେନ୍‌ ସହରର ପୁଲିସ ମୁଖ୍ୟାଳୟକୁ ଆସି ଅଫିସ୍‌ରେ ସଚିନ୍‌ ଭାଜେଙ୍କୁ ‘ସ୍କର୍ପିଓ’ ଚାବି ଦେଇ ଯାଇଥିଲେ।

ସଚିନ୍‌ ଭାଜେଙ୍କ ନିର୍ଦେଶକ୍ରମେ ତାଙ୍କର ବ୍ୟକ୍ତିଗତ ଡ୍ରାଇଭର୍‌ ‘ସ୍କର୍ପିଓ’ଟି ପାର୍କିଙ୍ଗ୍‌ ହୋଇଥିବା ସ୍ଥାନକୁ ଯାଇଥିଲେ। ସେ ତାହାକୁ ଚଳାଇ ଆଣି ସାକେତ୍‌ ହାଉସିଙ୍ଗ୍‌ ସୋସାଇଟିରେ ଥିବା ସଚିନ୍‌ଙ୍କ ବାସଭବନରେ ପାର୍କିଙ୍ଗ୍‌ କରିଥିଲେ।

publive-image Image Courtesy of Onmanorama

ଫେବ୍ରୁଆରି ୧୯ ତାରିଖ ଦିନ ସଚିନ୍‌ ଭାଜେଙ୍କ ଡ୍ରାଇଭର୍‌ ‘ସ୍କର୍ପିଓ’ଟିକୁ ପୁଲିସ ମୁଖ୍ୟାଳୟକୁ ନେଇ ସେଠାରେ ପାର୍କିଙ୍ଗ୍‌ କରିଥିଲେ। ତହିଁ ଆର ଦିନ ସେ ଡ୍ରାଇଭର୍‌ ‘ସ୍କର୍ପିଓ’ଟିକୁ ପୁଣି ସାକେତ୍‌ ସୋସାଇଟିକୁ ନେଇ ଯାଇଥିଲେ। ସେଠାରେ ତାହା ଫେବ୍ରୁଆରି ୨୪ ତାରିଖ ରାତି ପର୍ଯ୍ୟନ୍ତ ଥିଲା। ଫେବ୍ରୁଆରି ୨୫ ତାରିଖ ଦିନ ଡ୍ରାଇଭର୍‌ ସେ ‘ସ୍କର୍ପିଓ’କୁ ଦକ୍ଷିଣ ମୁମ୍ବାଇକୁ ଚଳାଇ ନେଇ ‘ଆଣ୍ଟାଲିଆ’ ବାହାରେ ପାର୍କିଙ୍ଗ୍‌ କରିଥିଲା।

ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ‘ସ୍କର୍ପିଓ’ ପଛେ ପଛେ ସଚିନ୍‌ ଭାଜେ ଆସୁଥିବାରୁ ବାଟରେ ପୁଲିସ ତାହାକୁ ଅଟକାଇ ନ ଥିଲେ। ରାତି ୧୦ଟା ବେଳେ ‘ସ୍କର୍ପିଓ’କୁ ପାର୍କିଙ୍ଗ୍‌ କରି ଡ୍ରାଇଭର୍‌ କାର୍‌ରୁ ଓହ୍ଲାଇ ପଡ଼ି ଭାଜେ ଚଳାଉଥିବା ‘ଇନୋଭା’ରେ ବସି ସେଠାରୁ ଚାଲିଯାଇଥିଲେ।

ନମ୍ବର ପ୍ଲେଟ୍‌ ବଦଳା ଯାଇଥିବା ସେ ଇନୋଭା କାର୍‌ଟି ପୁଣି ଅମ୍ବାନୀଙ୍କ ବାସଭବନ ପାଖରେ ପହଞ୍ଚିଥିଲା। କୁର୍ତ୍ତା ପିନ୍ଧି ସଚିନ୍‌ ଭାଜେ ଉକ୍ତ ଇନୋଭା କାର୍‌ରୁ ବାହାରି ‘ସ୍କର୍ପିଓ’ ପାଖକୁ ଯାଇ ଧମକ୍‌-ଚିଠି ରଖିଥିଲେ।

‘ଏନ୍‌ଆଇଏ’ ଅଧିକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରମାଣ ନଷ୍ଟ କରିବା ଲାଗି ପୁଲିସ ମୁଖ୍ୟାଳୟର ଗୋଟିଏ ଏବଂ ସାକେତ୍‌ ସୋସାଇଟିର ଗୋଟିଏ ‘ଡିଜିଟାଲ୍‌ ଭିଡିଓ ରେକର୍ଡର୍‌’ ନଷ୍ଟ କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe