ମେରଠ: ଉତ୍ତରପ୍ରଦେଶର ମରେଠରେ ଟ୍ରାଫିକ୍ ପୁଲିସ ଜଣେ ବାଇକ୍ ଚାଳକ ବିନା ହେଲମେଟରେ ଗାଡ଼ି ଚଳାଉଥିବାରୁ ଚାଲାଣ କାଟି ଦେଇଥିଲେ। କିନ୍ତୁ ଏହା ପରେ ଉକ୍ତ ବ୍ୟକ୍ତି ଜଣକ ଯାହା କରିଥିଲେ ସେ ଘଟଣା ଦେଖି ପୁଲିସ କର୍ମଚାରୀ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ବାଇକ୍ ଚାଳକଙ୍କ ଚାଲାଣ କାଟିବା ପରେ ସେ ରାଗି ଯାଇ ନିଜ ବାଇକ୍କୁ ରାସ୍ତାକୁ ଠେଲି ଦେଇଥିଲେ। ଏଥିସହିତ ବାଇକ୍ ପାଖକୁ ଯାଇ ଦୁଇଥର ଉଠାଇ ରାସ୍ତାରେ କଚାଡି ଦେଇଥିଲେ। ଏହି ଘଟଣାର ଏକ ଭଡିଓ ସାମ୍ନାକୁ ଆସିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ରାସ୍ତାରେ ବାଇକ୍କୁ କଚାଡି ସାରିବା ପରେ ବାଇକ୍ ଉପରେ ବସି ଉକ୍ତ ଯୁବକ ଜଣକ ଭୋଭୋ ହୋଇ କାନ୍ଦିବାକୁ ଲାଗିଲେ। ଏହି ସବୁ ଘଟଣାକୁ ସେଠାରେ ଉପସ୍ଥିତ ଥିବା ପୁଲିସକର୍ମଚାରୀ ଚୁପ୍ଚାପ୍ ଦେଖୁଥିଲେ। କିଛିସମୟ ପରେ ପୁଲିସ କର୍ମଚାରୀ ଉକ୍ତ ଯୁବକଙ୍କୁ ବୁଝାସୁଝା କରି ଶାନ୍ତ କରିବାକୁ ଚେଷ୍ଟା କରିଥିଲେ।
ଭାରତରେ ସେପ୍ଟେମ୍ବରରୁ ନୂଆ ମୋଟର ଯାନ ନିୟମ ଲାଗୁ କରାଯାଇଛି। ଏହା ଆଧାରରେ ହେଲମେଟ ନପିନ୍ଧି ଗାଡ଼ି ଚଳାଇଲେ ୧୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଉଛି।
Follow Us