କଥା କହି ନୁହେଁ, କାମ କରି ଦେଖାଇବି; ଶପଥ ଗ୍ରହଣ ପରେ ଏଭଳି କହିଲେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼

Advertisment
କଥା କହି ନୁହେଁ, କାମ କରି ଦେଖାଇବି; ଶପଥ ଗ୍ରହଣ ପରେ ଏଭଳି କହିଲେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼

newsclick

ଚେନ୍ନାଇ: ସୁପ୍ରିମ୍‌ କୋର୍ଟରେ ୬ ବର୍ଷରୁ ଊର୍ଦ୍ଧ୍ବ ସମୟ ନ୍ୟାୟାଧୀଶ ଭାବେ ଅତିବାହିତ କରି ଥିବା ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ ଆଜି ଭାରତର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କୁ ଭାରତର ପ୍ରଧାନ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି।

ଦାୟିତ୍ବ ଗ୍ରହଣ କରିବା ପରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି , "କଥା କହି ନୁହେଁ, କାମ କରି ଦେଖାଇବି। ସାଧାରଣ ଲୋକଙ୍କ ପାଇଁ କାମ କରିବି। ମୋତେ ବଡ଼ ସୁଯୋଗ ଏବଂ ବଡ଼ ଦାୟିତ୍ବ ମିଳିଛି। ମୋର ପ୍ରାଥମିକତା ହେଉଛି ସାଧାରଣ ଲୋକଙ୍କର ସେବା କରିବା। ଆଗକୁ ଆପଣ ଦେଖିବେ, ବୈଷୟିକ ସଂସ୍କାର, ରେଜିଷ୍ଟ୍ରି ସଂସ୍କାର ହେଉ ବା ନ୍ୟାୟିକ ସଂସ୍କାର, ଆମେ ନାଗରିକଙ୍କୁ ପ୍ରାଥମିକତା ଦେବୁ।’’

ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆଇନମନ୍ତ୍ରୀ କିରେନ୍‌ ରିଜିଜୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ୍‌, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ଭାରତର ପୂର୍ବତନ ପ୍ରଧାନବିଚାରପତି ୟୁ. ୟୁ. ଲଳିତ ଏବଂ ସୁପ୍ରିମ୍‌ କ‌ୋର୍ଟର ଅନ୍ୟ ବିଚାରପତିମାନେ ଉପସ୍ଥିତ ଥିଲେ।

ସୂଚନା ମୁତାବକ, ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼  ଦୁଇ ବର୍ଷ ପାଇଁ ଭାରତର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିବା ପରେ ୨୦୨୪ ନଭେମ୍ବର ୧୦ ତାରିଖରେ ଅବସର ଗ୍ରହଣ କରିବେ।

ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କର ନିଯୁକ୍ତି ହେଉଛି ଭାରତୀୟ ବିଚାର ବିଭାଗରେ ବାପପୁଅ ଯୋଡ଼ିର ପ୍ରଥମ ଦୃଷ୍ଟାନ୍ତ। ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ପିତା ଯଶ୍‌ୱନ୍ତ ବିଷ୍ଣୁ ଚନ୍ଦ୍ରଚୂଡ଼ ୧୯୭୮ ଫେବ୍ରୁଆରି ୨ରୁ ୧୯୮୫ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ଭାରତର ୧୬ଶ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ୨୦୧୬ ମେ ୧୩ ତାରିଖରେ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିବା ତାଙ୍କ ପୁଅ ଡି. ୱାଇ. ଚନ୍ଦ୍ରଚୂଡ଼ ଉଦାର ଏବଂ ପ୍ରଗତିଶୀଳ ବିଚାରଧାରା ପାଇଁ ସୁପରିଚିତ। ଅବିବାହିତ ମହିଳାମାନଙ୍କ ଗର୍ଭପାତ ଅଧିକାର ୨୪ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଇବା ହେଉଛି ତାଙ୍କ ଉପରୋକ୍ତ ବିଚାରଧାରାର ଦୃଷ୍ଟାନ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe