ନୂଆଦିଲ୍ଲୀ : କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁଙ୍କ ବିରୋଧରେ ଅଣାଯାଇଛି ସ୍ବାଧିକାର ଭଙ୍ଗ ନୋଟିସ୍। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍) ସାଂସଦମାନେ ଏହି ନୋଟିସ ଦେଇଛନ୍ତି। ଟିଆର୍ଏସ୍ ସାଂସଦମାନଙ୍କ ଅଭିଯୋଗ ହେଲା, ମନ୍ତ୍ରୀ ଶ୍ରୀ ଟୁଡ଼ୁ ଭୁଲ ଉତ୍ତର ଦେଇ ଲୋକସଭାକୁ ବିଭ୍ରାନ୍ତ କରିଛନ୍ତି।
ଚଳିତ ମାସ ୨୧ରେ ଶ୍ରୀ ଟୁଡ଼ୁ ତେଲେଙ୍ଗାନାର ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ବୃଦ୍ଧି ସଂପର୍କିତ ଅଣତାରକା ପ୍ରଶ୍ନ ଉପରେ ଭୁଲ ସୂଚନା ଦେଇଥିବା ଅଭିଯୋଗ ହୋଇଛି। ତେଲେଙ୍ଗାନା ସରକାର ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣର କୋଟା ୬.୮ ପ୍ରତିଶତରୁ ୧୦ ପ୍ରତିଶତକୁ ବଢ଼ାଇବା ପାଇଁ ବିଧାନସଭାରେ ବିଲ୍ ପାରିତ କରିଥିଲେ। ଏହା ପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟକୁ ଏହାକୁ ପଠାଇ ଦିଆଯାଇଥିଲା। ହେଲେ ମନ୍ତ୍ରୀ ଶ୍ରୀ ଟୁଡ଼ୁ ଉତ୍ତରରେ ତେଲେଙ୍ଗାନାରୁ ସଂରକ୍ଷଣ ସଂପର୍କିତ କୌଣସି ପ୍ରସ୍ତାବ ମିଳିନଥିବା କହିଥିଲେ। ଏହାକୁ ନେଇ ଟିଆର୍ଏସ୍ର ନଅ ଜଣ ସାଂସଦ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ସାକ୍ଷାତ କରି ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଦେଇଛନ୍ତି। ବର୍ତ୍ତମାନ ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ସମସ୍ତ ନଜର ରହିଛି। ଶ୍ରୀ ଟୁଡ଼ୁଙ୍କ ପାଇଁ ବିବାଦ କିଛି ନୂଆ ନୁହେଁ। ପୂର୍ବରୁ ଓଡ଼ିଶା ସରକାରଙ୍କ କିଛି ଅଧିକାରୀଙ୍କୁ ମାରପିଟ କରିଥିବା ଅଭିଯୋଗ ତାଙ୍କ ବିରୋଧରେ ରହିଛି।
Follow Us