Image Courtesy of iPleaders Blog
ନୂଆଦିଲ୍ଲୀ : ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି। ରାଉରକେଲା ଇସ୍ପାତ କାରଖାନା, ମନ୍ଦିରା ଡ୍ୟାମ, ରେଣୁକା ଡ୍ୟାମ, ରେଲୱେ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଆଦିବାସୀମାନଙ୍କ ପୁନର୍ବାସ ଓ ଥଇଥାନକୁ ନେଇ ସମାଧାନ ହୋଇପାରିନଥିବା ପ୍ରସଙ୍ଗଗୁଡ଼ିକ ଉପରେ ଆୟୋଗ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ କହିଛନ୍ତି। ଚାରି ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଆୟୋଗଙ୍କ ପକ୍ଷରୁ ସମୟସୀମା ଧାର୍ଯ୍ୟ କରାଯାଇଛି।
ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ପିଟିସନ ଆଧାରରେ ଆୟୋଗଙ୍କ ପକ୍ଷରୁ ରିପୋର୍ଟ ମଗାଯାଇଛି। ପିଟିସନ୍ରେ ଅଭିଯୋଗ କରାଯାଇଛି, ଉପରୋକ୍ତ ବିକାଶମୂଳକ ପ୍ରକଳ୍ପ ପାଇଁ ବହୁ ଆଦିବାସୀ ବିସ୍ଥାପିତ ହୋଇଛନ୍ତି। ସେମାନଙ୍କୁ ସରକାରଙ୍କ ଥଇଥାନ ଓ ପୁନର୍ବାସ ନୀତି ଆଧାରରେ କ୍ଷତିପୂରଣ ଦିଆଯାଇ ନାହିଁ। ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସମୟରେ କିଛି ଜମି ମାଲିକଙ୍କୁ କ୍ଷତିପୂରଣ ଦିଆଯାଇଛି ଏବଂ ଅନ୍ୟମାନଙ୍କ କ୍ଷତିପୂରଣ ବାବଦ ଅର୍ଥରାଶି ସରକାରଙ୍କ ଟ୍ରେଜେରିରେ ଜମା ହୋଇରହିଛି। ଜମି ଅଧିଗ୍ରହଣ ବଦଳରେ ହିତାଧିକାରୀଙ୍କୁ ଲିଜ୍ ପଟ୍ଟା ପ୍ରଦାନ କରାଯାଇଥବା ବେଳେ ଆଉ କିଛି ହିତାଧିକାରୀଙ୍କୁ ଜମିର ମାଲିକାନା ମିଳିନାହିଁ। ପୁନର୍ବାସ କଲୋନିଗୁଡ଼ିକରେ ବିସ୍ଥାପିତ ହୋଇନଥିବା ବ୍ୟକ୍ତିମାନଙ୍କ ଦ୍ବାରା ଅତିକ୍ରମଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ରାଜ୍ୟର ଉଚ୍ଚ କ୍ଷମତାପ୍ରାପ୍ତ କମିଟିଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇନାହିଁ ବୋଲି ଆବେଦନକାରୀ ଅଭିଯୋଗ କରିବା ସହିତ ଆୟୋଗଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
Follow Us