ସରକାର ଏବେ ଜନସାଧାରଣଙ୍କ ଠିକଣାର ଡିଜିଟାଲ୍‌ ମ୍ୟାପିଙ୍ଗ୍‌ କରିବେ

Advertisment
ସରକାର ଏବେ ଜନସାଧାରଣଙ୍କ ଠିକଣାର ଡିଜିଟାଲ୍‌ ମ୍ୟାପିଙ୍ଗ୍‌ କରିବେ

Image Courtesy of TOI

ନୂଆଦିଲ୍ଲୀ: ବ୍ୟକ୍ତି ବିଶେଷଙ୍କ ପରିଚୟ ପାଇଁ ଯେମିତି ଆଧାର କାର୍ଡ କରାଯାଇଛି ପ୍ରାୟ ସେହି ପ୍ରକାରରେ ସେମାନଙ୍କର ଠିକଣା ସବୁର (ଆବାସିକ ଅଥବା ବୃତ୍ତିଗତ ଅବସ୍ଥାନ) ଡିଜିଟାଲ୍‌ ମ୍ୟାପିଙ୍ଗ୍‌ କରିବାକୁ ସରକାର ଇଚ୍ଛା ପ୍ରକାଶ କରିଛନ୍ତି।

ଏଥି ନିମନ୍ତେ ଯୋଗାଯୋଗ ମନ୍ତ୍ରାଳୟ ଅଧୀନରେ ଥିବା ଡାକ ବିଭାଗ ଏକ ପାଇଲଟ୍‌ ପ୍ରୋଜେକ୍ଟ୍‌ ପାଇଁ ଆଦେଶ ଦେଇଛି। ଏଡି ପ୍ରୋଜେକ୍ଟ୍‌ ତିନୋଟି ପୋଷ୍ଟାଲ୍‌ ପିନ୍‌ କୋଡ୍‌ ଅଞ୍ଚଳରେ ଅବସ୍ଥିତ ପ୍ରତ୍ୟେକ ସମ୍ପତ୍ତିବାଡ଼ି ନିମନ୍ତେ ଏକ ଛଅ ଅଙ୍କବିଶିଷ୍ଟ ଆଲ୍ଫା ନ୍ୟୁମେରିକ୍‌ ଡିଜିଟାଲ୍‌ ଆଡ୍ରେସ୍‌ ପ୍ରଦାନ କରିବ।

ଗୁଗଲ୍‌ ମ୍ୟାପ୍‌ ପରି ସେ ସବୁ ଅଞ୍ଚଳରେ ଥିବା ବାସିନ୍ଦାମାନଙ୍କୁ ଏକ ଇ-ଲୋକେସନ୍‌ ଯୋଗାଇ ଦେବା ହେଉଛି ଏହି ପ୍ରକଳ୍ପର ଉଦ୍ଦେଶ୍ୟ। ଫଳତଃ, ସମ୍ପୃକ୍ତ ଅଞ୍ଚଳର ବାସିନ୍ଦାମାନଙ୍କୁ ସମ୍ପତ୍ତିର ଶିରୋନାମା ଏବଂ ମାଲିକାନା, ସମ୍ପତ୍ତି ଟିକସ ରେକର୍ଡସ୍‌, ବିଜୁଳି, ଜଳ ଏବଂ ଗ୍ୟାସ୍‌ ବ୍ୟବହାର ଭଳି ଅନ୍ୟାନ୍ୟ ସୂଚନା ସହ ସେମାନଙ୍କୁ ସଂଯୋଗ କରାଯିବାର ସମ୍ଭାବନା ରହିଛି।

ସମ୍ପ୍ରତି ଦିଲ୍ଲୀ ଏବଂ ନୋଏଡ଼ାର ଦୁଇଟି ପୋଷ୍ଟାଲ୍‌ ପିନ୍‌ କୋଡ୍‌ ନିମନ୍ତେ ଇଲୋକ୍‌ (ଇ-ଲୋକେସନ୍‌) ପାଇଁ ପାଇଲଟ୍‌ ପ୍ରୋଜେକ୍ଟ୍‌ ଅନୁମୋଦନ ଲାଭ କରିଛି। ଏହା ପରେ ଦେଶବ୍ୟାପୀ ଏହି ପ୍ରକଳ୍ପ ଚାଲିବ। ଏହି ଡିଜିଟାଲ୍‌ ପରିଚୟ (ମନେ କରନ୍ତୁ - UV77D7) ହେବ ଏକ ଇଲେକ୍ଟ୍ରୋନିକ୍‌ ସମର୍ଥ ଠିକଣା ଯାହାକୁ ସାମ୍ପ୍ରତିକ ଡାକ ଠିକଣା ସହ ସମ ଭାବରେ ବ୍ୟବହାର କରିହେବ।

ଡାକ ବିଭାଗ ତରଫରୁ ଘରୋଇ ମ୍ୟାପିଙ୍ଗ୍‌ କମ୍ପାନି ‘ମ୍ୟାପ୍‌ମାଇଁଇଣ୍ଡିଆ’ ଏହି ପ୍ରୋଜେକ୍ଟ୍‌ର କାର୍ଯ୍ୟ କରିବ।

‘ମ୍ୟାପ୍‌ମାଇଁଇଣ୍ଡିଆ’ର ଏମ୍‌ଡି ରାକେଶ ବର୍ମା କହିଛନ୍ତି: ଏହି ଇ-ଲିଙ୍କେଜ୍‌ ଜଟିଳ ଠିକଣା ଚିହ୍ନଟ କରିବାକୁ ସରଳ କରିବା ସହ ସେସବୁକୁ ଅନ୍ୟାନ୍ୟ ସୁବିଧା ଏବଂ ସେବା ସହିତ ସଂଯୋଗ କରିବ।

ପର୍ଯ୍ୟଟକ ଏବଂ ଯାତ୍ରୀମାନଙ୍କୁ ଇଲୋକ୍‌ ଅଧିକ ସହଜ ଏବଂ ଶୀଘ୍ର ନିର୍ଦ୍ଦିଷ୍ଟ ଠିକଣା ଖୋଜି ବାହାର କରି ସେଠାରେ ପହଞ୍ଚାଇବାକୁ ସହାୟକ ହେବ। ଏହା ଯୋଗୁଁ ସମୟ, ଅର୍ଥ ଏବଂ ଇନ୍ଧନ କମ୍‌ ଖର୍ଚ୍ଚ ହେବ। ଇ-କମର୍ସ, ପରିବହନ ଆଦି ମଧ୍ୟ ସୁବିଧା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe