India Today
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ସ୍ଥିତି ସୁଧୁରିବାରେ ଲାଗିଛି। କଶ୍ମୀରରେ ସ୍ବାଭାବିକ ସ୍ଥିତି ଫେରୁଥିବାରୁ ଅଟକ ରହିଥିବା ନେତାମାନଙ୍କୁ ପର୍ଯ୍ୟାୟ କ୍ରମେ ମୁକ୍ତ କରାଯିବ ବୋଲି ଆଜି କେନ୍ଦ୍ର ଗୃହ ସଚିବ ଏବଂ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଏ ସଂକ୍ରାନ୍ତ ସଂସଦୀୟ କମିଟିକୁ ଅବଗତ କରାଇଛନ୍ତି। ସଂସଦର ଉଭୟ ଗୃହର ସାଂସଦଙ୍କୁ ନେଇ ଗଠିତ ଏକ କମିଟିର ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଅଟକ ନେତାମାନଙ୍କୁ ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ମୁକ୍ତ କରାଯିବ କି ନାହିଁ ତାହା ସରକାର ସ୍ପଷ୍ଟ କରିବାକୁ କୁହାଯାଇଥିଲା। କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିର ବୈଠକରେ ଆଜି ଏ ବାବଦ ଆଲୋଚନା ହୋଇଥିବା ବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ କଶ୍ମୀରର ସାଂପ୍ରତିକ ସ୍ଥିତି ଏବଂ ଅଟକ ନେତାଙ୍କୁ ଖଲାସ ମାମଲାରେ ତଥ୍ୟ ରଖାଯାଇଥିଲା। ତେବେ ଅଟକ ନେତାମାନଙ୍କୁ କେତେ ଦିନ ମଧ୍ୟରେ ମୁକ୍ତ କରାଯିବ ସେ ନେଇ ସମୟସୀମା ଧାର୍ଯ୍ୟ ହୋଇନାହିଁ।
କେନ୍ଦ୍ର ସରକାରଙ୍କ ଦ୍ବାରା ଅଗଷ୍ଟ ୫ ତାରିଖ ଦିନ ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ କରାଯିବା ପରେ ସଂସଦୀୟ କମିଟିର ଏହା ପ୍ରଥମ ବୈଠକ ଥିଲା। କେନ୍ଦ୍ର ସରକାର ଜମ୍ମୁ କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଶେଷ କରିବା ସହ ଏହାକୁ ଦୁଇ ଭାଗ କରି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିଛନ୍ତି। ଜମ୍ମୁ କଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ହୋଇଥିବା ବେଳେ ସେଠାରେ ଉପରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି । ଆଜି କେନ୍ଦ୍ର ଗୃହ ସଚିବ ସାଂସଦମାନଙ୍କୁ କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ଶିକ୍ଷାନୁଷ୍ଠାନ ଖୋଲିବା ସହ ବ୍ୟବସାୟିକ କାର୍ଯ୍ୟ ମଧ୍ୟ ସ୍ବାଭାବିକ ହୋଇଛି। ତେବେ ସୁରକ୍ଷା ଦୃଷ୍ଟିରୁ କେତେକ କଟକଣା ବଳବତ୍ତର ରହିଛି। ପରିସ୍ଥିତି ସଂପୂର୍ଣ୍ଣ ସ୍ବାଭାବିକ ହେବାମାତ୍ରେ ଅଟକ ରହିଥିବା ନେତାଙ୍କୁ ଛାଡ଼ି ଦିଆଯିବ ବୋଲି ସେ କହିଛନ୍ତି। କଶ୍ମୀରରେ ନ୍ୟାସନାଲ କନ୍ଫରେନ୍ସ ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା, ତାଙ୍କ ପୁଅ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ପିଡିପି ସୁପ୍ରିମୋ ମେହବୁବା ମୁଫ୍ତିଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କୁ ଜନ ସୁରକ୍ଷା ଆଇନ ବଳରେ ଅଟକ ରଖାଯାଇଛି । ଜନ ସୁରକ୍ଷା ଆଇନ ବଳରେ କୌଣସି ମକଦ୍ଦମା ନଥାଇ ମଧ୍ୟ ଯେ କୌଣସି ବ୍ୟକ୍ତିଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଗରିଫଦାରି କିମ୍ବା ଅଟକ ରଖାଯାଇପାରିବ। ଧାରା ୩୭୦ ଉଚ୍ଛେଦ ପରେ ବିଚ୍ଛିନ୍ନତାବାଦୀଙ୍କ ଆଡ଼ୁ ବଡ଼ ଧରଣର ହିଂସା ଏବଂ ଆନ୍ଦୋଳନ ଷଡ଼ଯନ୍ତ୍ର ହେଉଥିଲେ ମଧ୍ୟ ସୁରକ୍ଷା ବାହିନୀ ଏହାକୁ ପଣ୍ଡ କରିଦେଇଛନ୍ତି। ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ପାକିସ୍ତାନ ଭାରତ ବିରୋଧରେ ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ବିଷୋଦ୍ଗାର କରୁଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ ଦ୍ବାରା କଶ୍ମୀରରେ ହିଂସା ଘଟାଇବାକୁ ପାକିସ୍ତାନ ସେନା ଏବଂ ଆଇଏସ୍ଆଇ ଅହରହ ଉଦ୍ୟମ କରିଚାଲିଛି।
Follow Us