ଏବେ ଶିଶୁଙ୍କୁ ବି କରୋନା ହେଉଛି: ମୁମ୍ବାଇ ସ୍ଥିତି ଅନିୟନ୍ତ୍ରିତ, ୧୪୪ ଧାରା ଜାରି

Advertisment
ଏବେ ଶିଶୁଙ୍କୁ ବି କରୋନା ହେଉଛି: ମୁମ୍ବାଇ ସ୍ଥିତି ଅନିୟନ୍ତ୍ରିତ, ୧୪୪ ଧାରା ଜାରି

ନୂଆଦିଲ୍ଲୀ: ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ‌ଲହରରେ କରୋନାର ଦ୍ରୁତ ସଂକ୍ରମଣ ହେଉଛି। କରୋନା ରୂପ ବଦଳାଇଥିବାରୁ ଏହା ପୂର୍ବାପେକ୍ଷା ଅଧିକ ସଂକ୍ରାମକ ହୋଇଛି। ବିଶେ‌ଷ କରି ଏହା ଶିଶୁମାନଙ୍କୁ ବେଶୀ ପ୍ରଭାବିତ କରୁଛି ବୋଲି ରିଲାଏନ୍ସ ହସ୍ପିଟାଲ୍‌ ଏବଂ ଫୋର୍ଟିସ୍‌ ହସ୍ପିଟାଲ୍‌ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସୁଭାଷ ରାଓ କହିଛନ୍ତି। କରୋନା କିଭଳି ପିଲାମାନଙ୍କୁ ପ୍ରଭାବିତ କରୁଛି ସେନେଇ ଅଭିଭାବକମାନଙ୍କର ଏକାଧିକ ପ୍ରଶ୍ନର ଉତ୍ତର ରଖି ଡାକ୍ତର ରାଓ କହିଛନ୍ତି, ଦ୍ବିତୀୟ ଲହରରେ ଓଲଟା କଥା ଦେଖିବାକୁ ମିଳିଛି। ଦ୍ବିତୀୟ ଲହରରେ ଅଧିକାଂଶ ଶିଶୁଙ୍କଠାରେ ପ୍ରଥମେ ଲକ୍ଷଣ ଦେଖାଯାଉଛି।

ଏହାପରେ ଯୁବଗୋଷ୍ଠୀ ଏବଂ ପ୍ରାପ୍ତ ବୟସ୍କଙ୍କୁ ବ୍ୟାପୁଛି। କିନ୍ତୁ ପ୍ରଥମ ଲହରରେ ଶିଶୁମାନେ ଲକ୍ଷଣବିହୀନ ଥିଲେ। ଦ୍ବିତୀୟ ଲହରରେ ଶିଶୁମାନଙ୍କଠାରେ ଜ୍ବର, ଥଣ୍ଡା, ଶୁଖିଲା କାଶ, ପତଳା ଝାଡ଼ା, ବାନ୍ତି, ଖାଦ୍ୟରେ ଅନାଗ୍ରହ, କ୍ଳାନ୍ତ ଲାଗିବା ଭଳି ବିଭିନ୍ନ ଲକ୍ଷଣ ଦେଖାଦେଉଛି। କେତେଜଣଙ୍କର ଶ୍ବାସକ୍ରିୟାରେ କଷ୍ଟ ମଧ୍ୟ ହେଉଛି। ତେବେ ଶିଶୁମାନେ ଏବେ ବାହାରେ ବେଶୀ ବୁଲାବୁଲି କରୁଥିବାବେଳେ କରୋନା ନିୟମାବଳୀ ପାଳନ କରୁନାହାନ୍ତି। ମୋଟ୍‌ ଉପରେ ଶିଶୁମାନଙ୍କ କ୍ଷେତ୍ରରେ ବାପା ମା’ ଏବେ ଖାମଖିଆଲ ହୋଇ ଯାଇଛନ୍ତି । ଡାକ୍ତର ରାଓ କହିଛନ୍ତି, ଯଦି ଶିଶୁକୁ ଜ୍ବର ହେଉଛି ତେବେ ତୁରନ୍ତ ଜ୍ବର ହେବାର ଦ୍ବିତୀୟ ଦିନରେ ହିଁ ଆର୍‌ଟିପିସିଆର ଟେଷ୍ଟ୍‌ କରାଇନେବା ଉଚିତ୍‌। ତୁରନ୍ତ ରୋଗ ଚିହ୍ନଟ ହୋଇପାରିଲେ ଚିକିତ୍ସା ମଧ୍ୟ ଶୀଘ୍ର ହୋଇପାରିବ ବୋଲି ସେ କହିଛନ୍ତି।

ମୁମ୍ବାଇ : ମୁମ୍ବାଇରେ ଦୈନିକ କରୋନା ସଂକ୍ରମଣ ବଢ଼ି ଚାଲିଛି। ଆଂଶିକ କଟକଣା କିଛି କାମ ଦେଉନଥିବାରୁ ମୁମ୍ବାଇରେ ସଂକ୍ରମଣ ଉପରମୁହାଁ ହୋଇଛି। ଗତକାଲି ମୁମ୍ବାଇରେ ସର୍ବାଧିକ ୧୧ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରର ମୋଟ୍‌ ଦୈନିକ ସଂକ୍ରମଣ ମାମଲାର କେବଳ ୩୫ ପ୍ରତିଶତ ମୁମ୍ବାଇର ହୋଇଥିବାରୁ ମୁମ୍ବାଇ ପୁଲିସ କଟକଣା କଡ଼ାକଡ଼ି କରିଛି। ଆଜିଠାରୁ ମୁମ୍ବାଇରେ ୧୪୪ ଧାରା ଜାରି ହୋଇଛି।

ଏପ୍ରିଲ ୫ରୁ ୩୦ ପର୍ଯ୍ୟନ୍ତ ମୁମ୍ବାଇରେ ୧୪୪ ଜାରି ରହିବ। କାର୍ଯ୍ୟଦିବସ ମାନଙ୍କରେ ସକାଳ ୭ରୁ ରାତି ୮ଟା ପର୍ଯ୍ୟନ୍ତ ୫ ଜଣରୁ ଅଧିକ ଲୋକଙ୍କୁ କୌଣସି ସାର୍ବଜନୀନ ସ୍ଥାନରେ ଏକତ୍ର ଓ ଯାତାୟାତ ପାଇଁ ମନା କରାଯାଇଛି। ରାତି ୮ଟାରୁ ସକାଳ ୭ଟା ମଧ୍ୟରେ ଲୋକମାନଙ୍କୁ ବିନା କାରଣରେ ବାହାରକୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁମ୍ବାଇର ମୋଟ୍‌ ସଂକ୍ରମଣ ମାମଲା ୪,୫୨,୬୮୧କୁ ବୃଦ୍ଧି ପାଇଥିବାବେଳେ ସକ୍ରିୟ ମାମଲା ୬୬,୮୦୩ ରହିଛି। ସଂକ୍ରମଣ ବଢ଼ିବାରୁ ମହାରାଷ୍ଟ୍ର ଶିରିଡ଼ିରେ ଥିବା ସାଇ ବାବା ମନ୍ଦିର ସୋମବାର ସନ୍ଧ୍ୟା ୮ଟା ପରଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe