ଶ୍ରୀନଗର: ଶୁକ୍ରବାର ବିଳମ୍ବିତ ରାତିରେ ଜମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ନୌଗାମ ଥାନାରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି। ଏହି ବିସ୍ଫୋରଣରେ ୩୦ରୁ ଅଧିକ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଶନିବାର ଅଧିକାରୀମାନେ କହିଛନ୍ତି ଯେ, ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ୍ ମାମଲାରେ ନିକଟରେ ଜବତ ହୋଇଥିବା ବିପୁଳ ପରିମାଣର ବିସ୍ଫୋରକ ଭଣ୍ଡାରକୁ ଅଧିକାରୀମାନେ ପରିଚାଳନା କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ବିଡ଼ମ୍ବନାର ବିଷୟ ହେଉଛି, ଯେଉଁ ବିସ୍ଫୋରକକୁ କର୍ତ୍ତୃପକ୍ଷ ବହୁ ପରିଶ୍ରମ କରି ଜବତ କରିଥିଲେ ଏବଂ ଏହାଦ୍ବାରା ବଡ଼ ବିପର୍ଯ୍ୟୟକୁ ଏଡ଼ାଇ ଦିଆଯାଇ ପାରିଲା ବୋଲି ଭାବୁଥିଲେ, ତାହା କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା। ଏହି ସପ୍ତାହ ଆରମ୍ଭରେ ଲାଲକିଲ୍ଲା କାର୍ ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ନୌଗାମ ଥାନା ବିସ୍ଫୋରଣରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ଘଟିଛି। ଥାନାଟି ଧ୍ୱଂସ ହୋଇଯିବା ସହ ବାହାରେ ଥିବା ଅନେକ ଗାଡି ମଧ୍ୟ ପୋଡ଼ି ଯାଇଥିଲା।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ନୌଗାମ ଥାନା ବିସ୍ଫୋରଣରେ କୌଣସି ଆତଙ୍କବାଦୀ ଭୂମିକା ନାହିଁ। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଜମ୍ମୁ-କାଶ୍ମୀର ଡିଭିଜନ) ପ୍ରଶାନ୍ତ ଲୋଖଣ୍ଡେ କହିଛନ୍ତି- ସୁରକ୍ଷା କର୍ମୀମାନେ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି ଏବଂ ତଦନ୍ତର ଏକ ଅଂଶ ଭାବରେ ସନ୍ଧାନୀ କୁକୁର ନିୟୋଜିତ କରାଯାଇଛି। ଜମ୍ମୁ-କାଶ୍ମୀର ପୁଲିସ ମୁଖ୍ୟ ନଳିନ ପ୍ରଭାତ ମଧ୍ୟ ନୌଗାମ ଥାନାରେ ହୋଇଥିବା ଭୟଙ୍କର ବିସ୍ଫୋରଣକୁ ଏକ ଦୁର୍ଘଟଣା ବୋଲି କହିଛନ୍ତି। ପ୍ରଭାତ କହିଛନ୍ତି ଯେ, ହ୍ୱାଇଟ୍ କଲାର୍ ଟେରର୍ ମଡ୍ୟୁଲ୍ର ତଦନ୍ତ ସମୟରେ ଏହି ବିସ୍ଫୋରକ ଉଦ୍ଧାର କରାଯାଇଥିଲା। ଏହାକୁ ହରିୟାଣାର ଫରିଦାବାଦରୁ ନୌଗାମ ପୁଲିସ ଷ୍ଟେସନକୁ ନିଆଯାଇଥିଲା। ସେଗୁଡ଼ିକୁ ପରିସର ମଧ୍ୟରେ ଏକ ସୁରକ୍ଷିତ ଖୋଲା ସ୍ଥାନରେ ରଖାଯାଇଥିଲା। ଅଧିକାରୀଙ୍କ କହିବା ଅନୁସାରେ, ଗିରଫ ହୋଇଥିବା ଡାକ୍ତରଙ୍କଠାରୁ ଜବତ ହୋଇଥିବା ପ୍ରାୟ ୨,୯୦୦ କିଲୋଗ୍ରାମ ରାସାୟନିକ ପଦାର୍ଥର ଏକ ଅଂଶ ଥିବା ବିସ୍ଫୋରକ ସାମଗ୍ରୀକୁ ପୁଲିସ ଓ ଫୋରେନସିକ୍ ଟିମ୍ ମିଳିତ ଭାବେ ଯାଞ୍ଚ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ଏକାଧିକ ପରବର୍ତ୍ତୀ ବିସ୍ଫୋରଣ ସୃଷ୍ଟି କରିଥିଲା ଏବଂ କୋଠାକୁ ଗୁରୁତର କ୍ଷତି ପହଞ୍ଚାଇଥିଲା।
ସିସିଟିଭି କ୍ୟାମେରାରେ ଧରାପଡ଼ିଲା ବିସ୍ଫୋରଣର ଭୟଙ୍କର ଦୃଶ୍ୟ
ଶୁକ୍ରବାର ବିଳମ୍ବିତ ରାତିରେ ଜମ୍ମୁ-କାଶ୍ମୀରର ନୌଗାମ ଥାନାରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟଣାର ନୂତନ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି। ରାତି ପ୍ରାୟ ୧୧ଟା ୨୦ ସମୟରେ ରେକର୍ଡ ହୋଇଥିବା ଏହି ଫୁଟେଜରେ ହଠାତ୍ ଆକାଶ ଆଲୋକିତ ହୋଇ ଉଠୁଥିବା ଦେଖାଯାଇଛି। ପରେ ପରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ଥାନା କୋଠା ଉଡ଼ିଯାଇଥିଲା। ଆତଙ୍କବାଦୀ କାର୍ଯ୍ୟକଳାପର ଅନୁସନ୍ଧାନ ସମୟରେ ଉଦ୍ଧାର ହୋଇଥିବା ବିସ୍ଫୋରକ ପଦାର୍ଥର ଏକ ବଡ଼ ଭାଗ ଅଧିକାରୀମାନେ ବିଭିନ୍ନ ଯାଞ୍ଚ ପାଇଁ ବାହାର କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ପୂର୍ବର ଏକ ଭିଡିଓରେ ମଧ୍ୟ ବିସ୍ଫୋରଣର ପ୍ରଭାବ ଦେଖାଯାଇଥିଲା, ଯାହା ନିକଟସ୍ଥ ଘରର ଝରକା ଭାଙ୍ଗି ଦେଇଥିଲା। ନୌଗାମ ପୁଲିସ ଷ୍ଟେସନ ଆଖପାଖରୁ ଅନ୍ୟ କିଛି ଭିଡିଓରେ ବିସ୍ଫୋରଣର ପରବର୍ତ୍ତୀ ଝଲକ ଦେଖିବାକୁ ମିଳିଥିଲା। ଗୋଟିଏ ଭିଡିଓରେ ଦେଖାଯାଇଥିଲା ଯେ ବିସ୍ଫୋରଣର ପ୍ରଭାବ ହେତୁ ଆଖାପାଖର ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ନୌଗାମ ପୁଲିସ ଷ୍ଟେସନ ନିକଟରେ ଥିବା ଏକ ସଂକୀର୍ଣ୍ଣ ଗଳିର ସିସିଟିଭି କ୍ୟାମେରାରେ ଅନ୍ୟ ଏକ ଭିଡିଓ ରେକର୍ଡ ହୋଇଥିଲା। ବିସ୍ଫୋରଣ ଘଟିବା ପରେ ଆବର୍ଜନା ଉଡୁଥିବା ଭିଡିଓରେ ଦେଖାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହାକୁ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ବୋଲି କହିଥିବା ବେଳେ ଆଜି ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ନୌଗାମ ହସ୍ପିଟାଲ ପରିଦର୍ଶନରେ ଯାଇ ଆହତମାନଙ୍କୁ ଭେଟିଛନ୍ତି।
/filters:format(webp)/sambad/media/media_files/2025/11/16/untitled-9-2025-11-16-05-51-42.jpg)
Follow Us