ଇସଲାମାବାଦ: ଆମେରିକା ପାକିସ୍ତାନର ଦୂରଗାମୀ ପରମାଣୁ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇବା ପରେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆମେରିକା କହିଛି ଯେ, ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଆମ ପାଇଁ ବିପଦ। ଏହାକୁ ନେଇ ଶାହବାଜ ସରିଫ ମଙ୍ଗଳବାର କହିଛନ୍ତି ଯେ, ପାକିସ୍ତାନର ଆଣବିକ କାର୍ଯ୍ୟକ୍ରମ କେବଳ ପ୍ରତିରକ୍ଷା ପ୍ରକୃତିର ବୋଲି ସେ ସ୍ପଷ୍ଟ କରିଛନ୍ତି।
ପାକିସ୍ତାନର ଆଣବିକ କାର୍ଯ୍ୟକ୍ରମ ଆତ୍ମରକ୍ଷା ପାଇଁ ଏବଂ ଏହା କାହା ବିରୁଦ୍ଧରେ ଆକ୍ରମଣାତ୍ମକ ନୁହେଁ। ଶାହାବାଜ ସରିଫ କହିଛନ୍ତି ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଉପରେ ଆମେରିକାର ନିଷେଧାଦେଶର କୌଣସି ସ୍ପଷ୍ଟୀକରଣ ନାହିଁ ଏବଂ ଆମେ ଆମର ଆଣବିକ କାର୍ଯ୍ୟକ୍ରମରେ କୌଣସି ଆପୋଷ ବୁଝାମଣା କରିବାକୁ ଯାଉ ନାହୁଁ। ଆମେରିକାର ବିବୃତି ପରେ ପାକିସ୍ତାନ ସରକାର କ୍ରମାଗତ ଭାବେ ସ୍ପଷ୍ଟୀକରଣ ଦେଉଥିବାବେଳେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।
ଆମେରିକା ପାକିସ୍ତାନର ସରକାରୀ ପ୍ରତିରକ୍ଷା କମ୍ପାନି ସମେତ ୪ଟି କମ୍ପାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ଶାହାବାଜ ସରିଫ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନରେ କ୍ୟାବିନେଟ ମନ୍ତ୍ରୀଙ୍କ ବୈଠକରେ ଶାହାବାଜ କହିଛନ୍ତି, ଏଭଳି ଆମେରିକୀୟ ପ୍ରତିବନ୍ଧକର କୌଣସି ଆଧାର ନାହିଁ। ଶାହାବାଜ ସରିଫ କହିଛନ୍ତି, ଆଣବିକ ବ୍ୟବସ୍ଥାକୁ ଆକ୍ରମଣାତ୍ମକ କରିବା ପାଇଁ ପାକିସ୍ତାନର କୌଣସି ଉଦ୍ଦେଶ୍ୟ ନାହିଁ।
ପାକିସ୍ତାନର ସୁରକ୍ଷା ପାଇଁ ଏହା ଶତପ୍ରତିଶତ କରାଯାଇଛି। ଏହା କେବଳ ପ୍ରତିରୋଧ ପାଇଁ, ଆଉ କିଛି ନୁହେଁ। ସେ ଦାବି କରିଛନ୍ତି, ପାକିସ୍ତାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ କେବଳ ନିଜର ସୁରକ୍ଷା କରିବା ପାଇଁ ଉଦ୍ଦିଷ୍ଟ।
ଶାହାବାଜ ସରିଫ କହିଛନ୍ତି, ଏହି ନିଷେଧାଦେଶକୁ ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ବ୍ୟାପକ ପ୍ରତିକ୍ରିୟା ଦେଇଛି। ସେ କହିଛନ୍ତି, କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ତାଙ୍କର କିମ୍ବା ତାଙ୍କ କ୍ୟାବିନେଟର କୌଣସି ସଦସ୍ୟଙ୍କର ନୁହେଁ ବରଂ ସମଗ୍ର ଦେଶର।
ପାକିସ୍ତାନୀ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ କୌଣସି ଆପୋଷ ବୁଝାମଣା କରାଯିବ ନାହିଁ। ପୂର୍ବରୁ ଆମେରିକା କହିଥିଲା, ପାକିସ୍ତାନର ଆଣବିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ୱାଶିଂଟନ୍ ପାଇଁ ବିପଦ ପାଲଟିଛି। ତେଣୁ ଅତିରିକ୍ତ କଟକଣା ଲାଗୁ କରାଯାଉଛି। ଏହାର ଜବାବରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଭାରତ ଆଡକୁ ସୂଚାଇ କହିଛି ଯେ, ଆମେରିକାର ପ୍ରତିବନ୍ଧକ ଦଳୀୟ ଏବଂ ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ଶାନ୍ତି ପ୍ରତି ବିପଦ ସୃଷ୍ଟି କରୁଛି।
ଅଧିକ ପଢ଼ନ୍ତୁ: ପିଲଭିତ୍ ଏନକାଉଣ୍ଟରର ପ୍ରତିଶୋଧ ମହାକୁମ୍ଭରେ ନେବୁ: ପନ୍ନୁଙ୍କ ଧମକ
ଏହାପୂର୍ବରୁ ଆମେରିକାର ଡେପୁଟି ଏନଏସଏ ଜନ୍ ଫିନର କହିଥିଲେ, ପାକିସ୍ତାନ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ତିଆରି କରୁଛି ଯାହା ଆମେରିକାକୁ ମଧ୍ୟ ଟାର୍ଗେଟ କରିପାରିବ। ଆମେରିକାର ଟାର୍ଗେଟରେ ପାକିସ୍ତାନର ଶାହିନ୍- ୩ ଏବଂ ଆବାବିଲ କ୍ଷେପଣାସ୍ତ୍ର ରହିଛି। ଆବାବିଲକୁ ନେଇ ପାକିସ୍ତାନ ଦାବି କରିଛି ଯେ ଏହା ଏକାସାଙ୍ଗରେ ଅନେକ ପରମାଣୁ ବୋମା ନେଇପାରିବ।
ଯେତେବେଳେ କି ଶାହିନ୍-୩ର ବର୍ତ୍ତମାନର ଲକ୍ଷ୍ୟଭେଦ ପରିସର ୨୭୫୦ କିଲୋମିଟର ରହିଛି। ଆମେରିକା ପର୍ଯ୍ୟନ୍ତ ପାକିସ୍ତାନ ନିଜକୁ ଆକ୍ରମଣ କରିବାରେ ସକ୍ଷମ କରୁଛି। ସ୍ପେସ୍ ପ୍ରୋଗ୍ରାମ୍ ନାମରେ ପାକିସ୍ତାନ ଏହା କରୁଛି ଏବଂ ବର୍ତ୍ତମାନ ଏହାର ରହସ୍ୟ ଉନ୍ମୋଚିତ ହୋଇଛି। ଏହି କାରଣରୁ ପାକିସ୍ତାନକୁ କ୍ରମାଗତ ଭାବରେ ସ୍ପଷ୍ଟୀକରଣ ଦେବାକୁ ପଡିବ ବୋଲି ଜନ୍ ଫିନର କହିଥିଲେ।
ଅଧିକ ପଢ଼ନ୍ତୁ: ସୁନୀତାଙ୍କ ସ୍ୱାସ୍ଥ୍ୟ ସହିତ ନାସା ଖେଳୁଛି!: ବିଶେଷଜ୍ଞ ଚିନ୍ତା ପ୍ରକଟ କଲେ