ୱାସିଂଟନ: ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ଆୟୋଗର ପୂର୍ବତନ କମିସନର ଜନି ମୁରେ ସୋମବାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଭାରତୀୟ ମୁସଲମାନଙ୍କ ଅଧିକାର ସମ୍ପର୍କିତ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁରେ କହିଛନ୍ତି ଯେ, ଓବାମା ଭାରତକୁ ସମାଲୋଚନା କରିବା ବଦଳରେ ପ୍ରଶଂସା କରିବା ଉଚିତ। ମାନବ ଇତିହାସରେ ଭାରତ ହେଉଛି ସବୁଠାରୁ ଅଧିକ ବିବିଧତାପୂର୍ଣ୍ଣ ଦେଶ। ବିବିଧତା ହେଉଛି ଭାରତର ଶକ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କିଛି ସମୟ କାଟିଲେ ଓବାମା ତାଙ୍କୁ ପ୍ରଶଂସା ନ କରି ରହିପାରିବେ ନାହିଁ ବୋଲି ମୁରେ କହିଛନ୍ତି।
ସୂଚନାଯୋଗ୍ୟ, ମୋଦୀ ଓ ବାଇଡେନଙ୍କ ମିଳିତ ସମ୍ବାଦିକ ସମ୍ମିଳନୀ ପୂର୍ବରୁ ଓବାମା ଏକ ସାକ୍ଷାତ୍କାରରେ କହିଥିଲେ, ଯଦି ମୋଦୀଙ୍କ ସହ ସେ କଥା ହେବାର ସୁଯୋଗ ପାଇଥାନ୍ତେ ତେବେ ତାଙ୍କ ସହ ଭାରତରେ ଧାର୍ମିକ ସଂଖ୍ୟାଲଘୁଙ୍କ ଅଧିକାର ବିଷୟରେ ଆଲୋଚନା କରିଥାନ୍ତେ। ମୁସଲମାନଙ୍କ ଅଧିକାରକୁ ସୁରକ୍ଷା ନ ଦେଲେ ଭାରତ ଭାଗଭାଗ ହୋଇଯିବାର ଆଶଙ୍କା ଅଛି ବୋଲି ସେ ତାଙ୍କୁ ବୁଝାଇଥାନ୍ତେ ବୋଲି ଓବାମା କହିଥିଲେ।
ନିର୍ମଳାଙ୍କ ପରେ ରାଜନାଥ ଓବାମାଙ୍କୁ ସମାଲୋଚନା କଲେ
ନୂଆଦିଲ୍ଲୀ: ଭାରତୀୟ ମୁସଲମାନଙ୍କୁ ସେମାନଙ୍କ ଅଧିକାର ମିଳୁନାହିଁ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ମନ୍ତବ୍ୟ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବାବେଳେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓବାମାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଓବାମାଜୀ ଭୁଲିଯିବା ଉଚିତ ନୁହେଁ ଯେ ଭାରତ ହେଉଛି ଏକମାତ୍ର ଦେଶ ଯିଏ ସମଗ୍ର ବିଶ୍ବବାସୀଙ୍କୁ ଗୋଟିଏ ପରିବାରର ସଦସ୍ୟ ବୋଲି ବିବେଚନା କରେ। ଓବାମା ନିଜ କଥା ଥରେ ଚିନ୍ତା କରନ୍ତୁ, ତାଙ୍କ ଶାସନକାଳରେ ସେ କେତେ ମୁସଲମାନ ଦେଶକୁ ଆକ୍ରମଣ କରିଛନ୍ତି। ଜମ୍ମୁସ୍ଥିତ ଜୋରାୱାର ସିଂହ ଅଡିଟୋରିୟମରେ ଅନୁଷ୍ଠିତ ଜାତୀୟ ସୁରକ୍ଷା କନକ୍ଲେଭ୍ରେ ଉଦ୍ବୋଧନ ଦେବା ଅବସରରେ ରାଜନାଥ ଏହା କହିଛନ୍ତି। ଓବାମାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଓବାମା ରାଷ୍ଟ୍ରପତି ଥିବା ବେଳେ ୬ଟି ମୁସଲମାନ ଦେଶକୁ ଆମେରିକା ଆକ୍ରମଣ କରିଥିଲା। ଏହି ଦେଶଗୁଡ଼ିକ ଉପରେ ଓବାମାଙ୍କ ସେନା ୨୬,୦୦୦ରୁ ଅଧିକ ବୋମାମାଡ଼ କରିଥିଲା। ଏଣୁ ତାଙ୍କ କଥାକୁ ଲୋକେ କିପରି ବିଶ୍ବାସ କରିବେ?
ଓବାମାଙ୍କ ମନ୍ତବ୍ୟକୁ ନେଇ ବିଜେପିରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଭାରତରେ ଅନେକ ହୁସେନ ଓବାମା ଅଛନ୍ତି। ୱାସିଂଟନ ଯିବା ପୂର୍ବରୁ ଆମେ ସେମାନଙ୍କ ଯତ୍ନ ନେବାକୁ ପ୍ରାଥମିକତା ଦେଉଛୁ।
Follow Us