ନିରାପତ୍ତା ଦାୟିତ୍ବ ପାଳନ କରାଯାଇନାହିଁ: ଭାରତୀୟ ମିସନ୍‌ରେ ଖଲିସ୍ତାନୀ ଆକ୍ରମଣ ପ୍ରସଙ୍ଗରେ କହିଲେ ଜୟଶଙ୍କର

ନିରାପତ୍ତା ଦାୟିତ୍ବ ପାଳନ କରାଯାଇନାହିଁ: ଭାରତୀୟ ମିସନ୍‌ରେ ଖଲିସ୍ତାନୀ ଆକ୍ରମଣ ପ୍ରସଙ୍ଗରେ କହିଲେ ଜୟଶଙ୍କର

Image Courtesy of NDTV

ବେଙ୍ଗାଲୁରୁ: ଦୂତାବାସ ସୁରକ୍ଷା ନିମନ୍ତେ ଥିବା ପ୍ରତିବଦ୍ଧତା ବା ଦାୟିତ୍ବ ପାଳନ କରାଯାଇ ନାହିଁ ବୋଲି ଲଣ୍ଡନ୍‌ସ୍ଥିତ ଭାରତୀୟ ହାଇକମିସନ୍‌ ପରିସରରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ପ୍ରସଙ୍ଗରେ ଶୁକ୍ରବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି।

ବେଙ୍ଗାଲୁରୁରେ ଦକ୍ଷିଣ ସାଂସଦ ତେଜସ୍ବୀ ସୂର୍ଯ୍ୟଙ୍କଦ୍ବାରା ଆୟୋଜିତ ‘ଭାରତୀୟ ଜନତା ଯୁବ ମୋର୍ଚ୍ଚା’ର ‘ଯୁବସମ୍ବାଦ’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ଜୟଶଙ୍କର କହିଲେ, ଅନେକ ଦେଶ ଦୂତାବାସ ସୁରକ୍ଷା ବିଷୟରେ ଖାମଖିଆଲି ମନୋଭାବ ପୋଷଣ କରିଥାଆନ୍ତି। ନିଜସ୍ବ ନିରାପତ୍ତା ଏବଂ ଅନ୍ୟ ଦେଶର ଲୋକମାନଙ୍କ ନିରାପତ୍ତା ପ୍ରତି ସେମାନଙ୍କର ଭିନ୍ନ ଦୃଷ୍ଟିଭଙ୍ଗୀ ଥାଏ। କିନ୍ତୁ, ‌ଜଣେ ବୈଦେଶିକ ମନ୍ତ୍ରୀ ଭାବେ ମୁଁ ଆପଣମାନଙ୍କୁ କହୁଛି ଯେ, ଆମେ ଏଭଳି ବିଭେଦଯୁକ୍ତ ସୁରକ୍ଷା ମାନଦଣ୍ଡ ଗ୍ରହଣ କରିବୁ ନାହିଁ।

publive-image Image Courtesy of Google

ରାଷ୍ଟ୍ରଦୂତଙ୍କୁ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ଦେବା ସହିତ ଦୂତାବାସ ଅଥବା ହାଇକମିସନ୍‌ର ପରିସର ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସମ୍ପୃକ୍ତ ଦେଶର ଦାୟିତ୍ବ। ଏହି ଦାୟିତ୍ବ ପାଳନ କରାଯାଇ ନାହିଁ। ଏ ବିଷୟରେ ଆମେ ବ୍ରିଟିସ୍‌ ସରକାରଙ୍କ ସହିତ ଆଲୋଚନା କରିଛୁ ବୋଲି ଜୟଶଙ୍କର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ରବିବାର ଦିନ ଦଳେ ଖଲିସ୍ତାନୀ ସମର୍ଥକ ଇଂଲଣ୍ଡ୍‌ର ରାଜଧାନୀ ଲଣ୍ଡନ୍‌ରେ ଥିବା ଭାରତୀୟ ହାଇକମିସନ୍‌ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ୍‌ ସିଂହଙ୍କ ପୋଷ୍ଟର୍‌ ଧରି ସ୍ଲୋଗାନ୍‌ ଦେଇଥିଲେ। ଏହାପରେ ସେମାନେ ହାଇକମିସନ୍‌ ପାଚେରି ଚଢ଼ି ପରିସର ମଧ୍ୟକୁ ପ୍ରବେଶ କରିବା ପରେ ସେଠାରେ ଥିବା ଭାରତର ଜାତୀୟ ପତାକାକୁ ଖୋଲି ପକାଇ ‘ଖଲିସ୍ତାନ ଜିନ୍ଦାବାଦ୍‌’ ବୋଲି ଚିତ୍କାର କରି କହିଥିଲେ।

ଗତ ରବିବାର ରାତିରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ବ୍ରିଟିସ୍‌ ଡେପୁଟି ହାଇକମିସନର୍‌ କ୍ରିଷ୍ଟିନା ସ୍କଟ୍‌ଙ୍କୁ ଡକାଇ ଘଟଣାର ଦୃଢ଼ ପ୍ରତିବାଦ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe