ଓଡ଼ିଶାର ‘ମାଣ୍ଡିଆ ଉଦ୍ୟୋଗୀ’ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି: ‘ମନ୍‌ କୀ ବାତ୍‌’ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଓଡ଼ିଶାର ‘ମାଣ୍ଡିଆ ଉଦ୍ୟୋଗୀ’ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି: ‘ମନ୍‌ କୀ ବାତ୍‌’ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of ABP

ନୂଆଦିଲ୍ଲୀ: ଆପଣମାନେ କେବେ ‘ମାଣ୍ଡିଆ ଉଦ୍ୟୋଗୀ’ (ମିଲେଟ୍‌ଏଣ୍ଟର୍‌ପ୍ରେନ୍ୟୁର୍‌) ଶବ୍ଦ ଶୁଣିଛନ୍ତି କି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚଳିତ ବର୍ଷର ପ୍ରଥମ ‘ମନ୍‌ କୀ ବାତ୍‌’ର ସଂସ୍କରଣରେ ଓଡ଼ିଶାର ମାଣ୍ଡିଆ ଉଦ୍ୟୋଗ ପ୍ରସଙ୍ଗରେ କହିବା ବେଳେ କହିଛନ୍ତି।

କଥା ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଲେ, ଆପଣମାନେ ନିଶ୍ଚୟ ‘ଉଦ୍ୟୋଗୀ’ ଶବ୍ଦ ଶୁଣିଥିବେ। କିନ୍ତୁ, କେବେ ‘ମାଣ୍ଡିଆ ଉଦ୍ୟୋଗୀ’ ଶବ୍ଦ ଶୁଣିଛନ୍ତି କି? ଓଡ଼ିଶାର ‘ମାଣ୍ଡିଆ ଉଦ୍ୟୋଗୀ’  ଖବର ଆଜିକାଲି ଆଲୋଚ୍ୟ ବିଷୟ ହୋଇଛି। ଓଡ଼ିଶାର ଜନଜାତି ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ଼ର ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୧୫୦୦  ମହିଳା ଓଡ଼ିଶାର ‘ଓଡ଼ିଶା ମିଲେଟ୍‌ସ୍‌ ମିସନ୍‌’ ସହିତ ଜଡ଼ିତ ଅଛନ୍ତି। ସେମାନେ ମାଣ୍ଡିଆରେ ସବୁ ଜିନିଷ ତିଆରି କରୁଛନ୍ତି। କୁକିରୁ ଆରମ୍ଭ କରି ରସଗୋଲା, ଗୁଲାବ ଜାମୁନ୍‌, ଆଉ କେକ୍‌ ମଧ୍ୟ ମାଣ୍ଡିଆରେ ତିଆରି କରୁଛନ୍ତି। ବଜାରେ ସେ ସବୁର ଚାହିଦା ବଢୁଥିବାରୁ ମହିଳାମାନଙ୍କର ଆୟ ବି ବଢୁଛି।

ଏହି ମାସିକ ବେତାର କାର୍ଯ୍ୟକ୍ରମ ଆରମ୍ଭରେ ସେ କହିଲେ, ପ୍ରତିବର୍ଷ ଜାନୁଆରି ମାସ ହେଉଛି ଉତ୍ସବବହୁଳ। ଜାନୁଆରି ମାସର ୧୪ ତାରିଖ ବେଳୁ ଦେଶର ଉତ୍ତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ପର୍ବପର୍ବାଣିରେ ଝଲସି ଉଠେ।

ଏହାଛଡ଼ା, ପ୍ରଧାନମନ୍ତ୍ରୀ କହିଲେ ଯେ, ନକ୍ସଲ୍‌ପ୍ରବଣ କୁହାଯାଉଥିବା ଅଞ୍ଚଳଗୁଡ଼ିକରେ ମଧ୍ୟ ଚଳିତ ବର୍ଷ ପଦ୍ମ ସମ୍ମାନ କଥା ଶୁଣାଯାଉଛି। ଆପଣା ଉଦ୍ୟମ ବଳରେ ନକ୍ସଲପ୍ରବଣ ଅଞ୍ଚଳରେ ବିଭ୍ରାନ୍ତ ଯୁବାଙ୍କୁ ସଠିକ ମାର୍ଗ ଦର୍ଶାଇଥିବା ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଉଲ୍ଲେଖଯୋଗ୍ୟସଂଖ୍ୟକ ଜନଜାତି ସମ୍ପ୍ରଦାୟ ଏବଂ ଜନଜାତି ସମ୍ପ୍ରଦାୟ ସହିତ ଜଡ଼ିତ ଥିବା ଲୋକେ ପଦ୍ମ ସମ୍ମାନ ପାଇଛନ୍ତି। ଜନଜାତି ଜୀବନ ସହରୀ ଜୀବନଠାରୁ ଭିନ୍ନ ହୋଇଥିବାରୁ ଏହାର ନିଜସ୍ବ ଚାଲେଞ୍ଜ୍‌ ମଧ୍ୟ ରହିଛି। ଏହା ସତ୍ତ୍ବେ, ଜନଜାତି ସମାଜ ସେମାନଙ୍କର ପ୍ରଥା ସଂରକ୍ଷଣ କରିବାକୁ ସର୍ବଦା ବ୍ୟଗ୍ର ରହିଥାଆନ୍ତି। ‌‘ଟୋଡୋ’, ‌‘ହୋ’, ‘କୁଇ’, ‘କୁଭି’ ଓ ‘ମାଣ୍ଡା’ ଭଳି ଜନଜାତି ଭାଷା ବିଷୟରେ କାମ କରିଥିବା ଅନେକ ମହାନ୍‌ ବ୍ୟକ୍ତିତ୍ବ ପଦ୍ମ ସମ୍ମାନ ପାଇଛନ୍ତି। ଏହା ଆମ୍ଭମାନଙ୍କ ପାଇଁ ଆନନ୍ଦର ବିଷୟ। ଏଥର ସିଦ୍ଦି, ଜର୍‌ୱା ଏବଂ ଓଙ୍ଗେ ଜନଜାତିଙ୍କ ସହିତ କାର୍ଯ୍ୟ କରିଥିବା ଲୋକେ ବି ପଦ୍ମ ସମ୍ମାନ ପାଇଛନ୍ତି।

publive-image Image Courtesy of Smart Food

ସନ୍ତୂର, ବାମ୍‌ହୁମ୍‌, ଦ୍ବିତାରା ଆଦି ଆମର ପାରମ୍ପିରିକ ବାଦ୍ୟ ସଙ୍ଗୀତ ପ୍ରସାର ଦିଗରେ ଦକ୍ଷତା ହାସଲ କରିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଏଥର ପଦ୍ମ ସମ୍ମାନ ଦିଆଯାଇଛି ବୋଲି ମଧ୍ୟ ସେ କହିଛନ୍ତି।

ଗଣତନ୍ତ୍ର ଆମ ଶିରାପ୍ରଶିରା ଓ ଆମ ସଂସ୍କୃତିରେ ରହିଛି। ଶହ ଶହ ବର୍ଷ ହେବ ଏହା ଆମ ଚଳଣିର ଅବିଚ୍ଛେଦ୍ୟ ଅଂଶ ହୋଇ ରହିଛି। ସ୍ବଭାବତଃ ଆମେ ହେଉଛନ୍ତି ଏକ ଗଣତାନ୍ତ୍ରିକ ସମାଜ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମାଣ୍ଡିଆର ଗୁରୁତ୍ବ ପ୍ରସଙ୍ଗରେ କହିବା ବ‌େଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି ଯେ, ବର୍ଷ ୨୦୨୩ ହେବ ‘ଆନ୍ତର୍ଜାତିକ ମାଣ୍ଡିଆ ଦିବସ’। ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ପ୍ରସାର ନିମନ୍ତେ ବୃତ୍ତିଗତ ଜୀବନ ଉତ୍ସର୍ଗ କରିଥିବା ବିଭିନ୍ନ ରାଜ୍ୟର ‌ଜନସାଧାରଣଙ୍କ ନାଁ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ଗୋଆର ‘ପର୍ପଲ୍‌ ଫେଷ୍ଟ୍‌’ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ନିମନ୍ତେ ଗୋଆର ‘ପର୍ପଲ୍‌ ଫେଷ୍ଟ୍‌’ ହେଉଛି ଗୋଟାଏ ଉତ୍ତମ ସୁଯୋଗ। ‘ପର୍ପଲ୍‌ ଫେଷ୍ଟ୍‌’ ଭାଗ ନେଇ ତାହାକୁ ସଫଳ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଉଛି। ଏହାର ଆୟୋଜନରେ ଦିନରାତି ଖଟିଥିବା ସ୍ବେଚ୍ଛାସେବୀଙ୍କୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି।

ବୈଶ୍ବିକ ଉଦ୍‌ଭାବନ ସୂଚକରେ ଭଲ ରାଙ୍କ୍‌ ହାସଲ କରି ଭାରତ ଉନ୍ନତି କରିଛି। ଭାରତରେ ଗତ ୧୧ ବର୍ଷରେ ପ୍ରଥମ ଥର ପାଇଁ ‘‌ଫରେନ୍‌ ପେଟେଣ୍ଟ୍‌ ଫାଇଲିଙ୍ଗ୍‌’ ଅପେକ୍ଷା ‘ଡୋମେଷ୍ଟିକ୍‌ ପେଟେଣ୍ଟ୍‌ ଫାଇଲିଙ୍ଗ୍‌’ ସଂଖ୍ୟା ଅଧିକ ହୋଇଛି। ଏହା ମଧ୍ୟ ଭାରତର ବର୍ଦ୍ଧିଷ୍ଣୁ ବୈଜ୍ଞାନିକ ଉଦ୍ଭାବନ ସମ୍ଭାବନାର ସୂଚନା ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe