କୃଷି ସିଞ୍ଚାଇ ଯୋଜନାରେ ଓଡ଼ିଶାର ୮ ପ୍ରକଳ୍ପ

ଲୋକସଭାରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା

କୃଷି ସିଞ୍ଚାଇ ଯୋଜନାରେ ଓଡ଼ିଶାର ୮ ପ୍ରକଳ୍ପ

ନୂଆଦିଲ୍ଲୀ : ଓଡ଼ିଶାର ବିଭିନ୍ନ ଜଳସେଚନ ପ୍ରକଳ୍ପର ସ୍ଥିତି ଏବଂ ଭାରତ ସରକାରଙ୍କ ବିଭିନ୍ନ ଜଳସେଚନ ଯୋଜନା ଅଧୀନରେ ରାଜ୍ୟକୁ ମିଳୁଥିବା ଲାଭ ସମ୍ପର୍କରେ ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ । ଶ୍ରୀ ଟୁଡୁ କହିଛନ୍ତି, ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସ୍‌ୱାଇ) ଯୋଜନା ଶୁଭାରମ୍ଭ କରାଯାଇଥିଲା । ଏହି ଯୋଜନାର ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ଏଆଇବିପି) ଅଧୀନରେ ଦେଶର ୯୯ଟି ପ୍ରାଥମିକ ବୃହତ/ମଧ୍ୟମ ଜଳସେଚନ ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏଥିରେ ଓଡ଼ିଶାର ୮ଟି ପ୍ରକଳ୍ପ ସାମିଲ ରହିଛି । ଏହିସବୁ ପ୍ରକଳ୍ପ ମଧ୍ୟରୁ ତେଲେଙ୍ଗିରି, ରୁକୁରା, ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର ଏବଂ ରେତ ଜଳସେଚନ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇସାରିଛି । ବର୍ତ୍ତମାନ କାନୁପୁର, ସମନ୍ୱିତ ଆନନ୍ଦପୁର ବ୍ୟାରେଜ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଜାରିରହିଛି। ଓଡ଼ିଶାରେ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ପ୍ରସ୍ତାବ ଏବଂ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା, ବିଶେଷ କରି ବରଗଡ଼ ଜିଲ୍ଲାର ମରୁଡ଼ି ପ୍ରବଣ ପଦ୍ମପୁର ଉପଖଣ୍ଡରେ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ବିଷୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ କେତେକ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଉପରୋକ୍ତ ତଥ୍ୟ ରଖିଥିଲେ।

ଶ୍ରୀ ଟୁଡ଼ୁଙ୍କ ସୂଚନା ହେଲା, ଓଡ଼ିଶା ସରକାରଙ୍କ ପକ୍ଷରୁ ରେଙ୍ଗାଲି ଜଳସେଚନ ପ୍ରକଳ୍ପ (ଦକ୍ଷିଣ ପାର୍ଶ୍ୱ କେନାଲ ପ୍ରଣାଳୀ), ଦେଓ ଜଳସେଚନ ପ୍ରକଳ୍ପ ଏବଂ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ଏଆଇବିପି ଯୋଜନା ଅଧୀନରେ ସାମିଲ କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ତେବେ ଯୋଜନାର ସର୍ତ୍ତାବଳୀ ଅନୁଯାୟୀ ବର୍ତ୍ତମାନ ଏସବୁ ପ୍ରକଳ୍ପ ମଧ୍ୟରୁ କୌଣସି ଗୋଟିଏ ଏଆଇବିପି ଯୋଜନାରେ ସାମିଲ ହେବା ଲାଗି ପ୍ରସ୍ତୁତ ନାହାନ୍ତି। ଏହି ତିନୋଟି ପ୍ରକଳ୍ପ ମଧ୍ୟରୁ କୌଣସିଟି ବରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ନାହିଁ। ଅନ୍ୟପକ୍ଷରେ ପିଏମ୍‌କେଏସ୍‌ୱାଇ – ହର କ୍ଷେତ କୋ ପାନି (ଏଚ୍‌କେକେପି) ଯୋଜନାର ଭୂ ପୃଷ୍ଠ କ୍ଷୁଦ୍ର ଜଳସେଚନ (ଏସ୍‌ଏମ୍‌ଆଇ) ଉପାଦାନ ଅଧୀନରେ ୫୩ଟି ପ୍ରକଳ୍ପ ପାଇଁ ଆନୁମାନିକ ୨୩୬ କୋଟି ଟଙ୍କାର ପାଣ୍ଠି ଯୋଗାଣ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । କେନ୍ଦ୍ର ଜଳ ଆୟୋଗ ଏହି ପ୍ରସ୍ତାବକୁ ଅନୁଧ୍ୟାନ କରିବା ପରେ ଏହାର ଫଳାଫଳ ସମ୍ପର୍କରେ ଓଡ଼ିଶା ସରକାରଙ୍କୁ ଅବଗତ କରାଇ ଦିଆଯାଇଛି । ତେବେ ଏଥିମଧ୍ୟରୁ କୌଣସି ପ୍ରକଳ୍ପର ଲାଭ ବରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ମିଳିବ ନାହିଁ।

ପିଏମ୍‌କେଏସ୍‌ୱାଇ-ଏଚ୍‌କେକେପି ଯୋଜନାର ଜଳାଶୟ ମରାମତି, ପୁନରୁଦ୍ଧାର ଏବଂ ପୁନଃନିର୍ମାଣ (ଆର୍‌ଆର୍‌ଆର୍‌) ଉପାଦାନ ଅଧୀନରେ ୫୪୭ଟି ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଏଥିମଧ୍ୟରୁ ୩୧ଟି ପ୍ରକଳ୍ପ ବରଗଡ଼ ଜିଲ୍ଲା ଏବଂ ୧୧ଟି ପ୍ରକଳ୍ପ ଝାରସୁଗୁଡ଼ା ଜିଲ୍ଲାରେ ରହିଛି। ଆନ୍ତଃରାଜ୍ୟ ନଦୀ ପ୍ରଣାଳୀରେ ହେଉଥିବା ମଧ୍ୟମ/ବୃହତ ଜଳସେଚନ ପ୍ରକଳ୍ପ ପାଇଁ ଜଳଶକ୍ତି ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ଜଳ ଆୟୋଗ ମଧ୍ୟମ/ବୃହତ ଜଳସେଚନ ପ୍ରକଳ୍ପ ନିମନ୍ତେ ବୈଷୟିକ-ଆର୍ଥିକ ମଞ୍ଜୁରି ପ୍ରଦାନ କରିଥାନ୍ତି ବୋଲି ଶ୍ରୀ ଟୁଡ଼ୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe