Image Courtesy of New The Indian Express
ନୂଆଦିଲ୍ଲୀ: ମହାନଦୀ ଅବବାହିକା ଜଳ ସଂକ୍ରାନ୍ତ ନଥିପତ୍ର ଓ ଦସ୍ତାବିଜ ପାଇବା ପାଇଁ ‘କେନ୍ଦ୍ରୀୟ ଜଳ ଆୟୋଗ’ର (ସିଡବ୍ଲୁସି) ଅଧିକାରୀମାନଙ୍କ ସହ ଉଭୟ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଦଳ ଆଲୋଚନା କରିଛନ୍ତି।
ଭର୍ଚୁଆଲ ମୋଡ୍ରେ ହୋଇଥିବା ଉକ୍ତ ବୈଠକରେ ପାଖାପାଖି ଦୁଇଘଣ୍ଟା ଆଲୋଚନା ଚାଲିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ‘କେନ୍ଦ୍ରୀୟ ଜଳ ଆୟୋଗ’ ଅନ୍ତର୍ଗତ ବିଭିନ୍ନ ଏଜେନ୍ସିମାନଙ୍କ ପାଖରୁ ଯେଉଁ ସବୁ ଦଲିଲ ମିଳି ସାରିଛି ସେ ବିଷୟରେ ଅବଗତ କରାଯିବା ସହ ଶୁଣାଣିରେ ବିଶେଷ ଆବଶ୍ୟକ ଥିବା ବାକି ନଥିପତ୍ର ସବୁ ତୁରନ୍ତ ହସ୍ତାନ୍ତର କରିବା ଉଭୟ ରାଜ୍ୟ ‘କେନ୍ଦ୍ରୀୟ ଜଳ ଆୟୋଗ’ର ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ।
ପ୍ରାପ୍ତ ସୂଚନା ଅନୁସାରେ, ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ମହାନଦୀ ଅବବାହିକାରେ ୧୯୫୦ରୁ ‘କେନ୍ଦ୍ରୀୟ ଜଳ ଆୟୋଗ’ଦ୍ବାରା ଯେଉଁ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ପ୍ରଦାନ କରାଯାଇଛି ତଥା ସେଗୁଡ଼ିକର ପରିବେଶଗତ ମଞ୍ଜୁରି ସମ୍ବନ୍ଧୀୟ ନଥିପତ୍ର ଯୋଗାଇଦେବା ପାଇଁ ‘କେନ୍ଦ୍ରୀୟ ଜଳ ଆୟୋଗ’ର ଦୂଷ୍ଟି ଆକର୍ଷଣ କରାଯାଇଥିଲା। ଦୁଇ ରାଜ୍ୟ ‘କେନ୍ଦ୍ରୀୟ ଜଳ ଆୟୋଗ’ଙ୍କୁ ଲିଖିତ ମତାମତ ଜଣାଇବା ପରେ ଆୟୋଗ ପକ୍ଷରୁ ମତାମତଗୁଡିକୁ ସଂକଳନ କରାଯାଇ ତାହାର ରିପୋର୍ଟ ‘ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍’ଙ୍କ ନିକଟକୁ ପଠାଯିବ ବୋଲି ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଆଜି ଅପରାହ୍ଣ ୨ଟାରେ ‘ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍’ର ୨୩ଶ ଶୁଣାଣିରେ ଉଭୟ ରାଜ୍ୟ ‘କେନ୍ଦ୍ରୀୟ ଜଳ ଆୟୋଗ’ଙ୍କ ସହିତ ହୋଇଥିବାର ବୈଠକ ସଂପର୍କରେ ଅବଗତ କରାଇବେ ବୋଲି ଜଣାପଡ଼ିଛି।
Image Courtesy of Daily Huntଉଲ୍ଲେଖଯୋଗ୍ୟ, ଗତ ମାସ ୧୪ ତାରିଖରେ ‘ଟ୍ରିବ୍ୟୁନାଲ୍’ ମହାନଦୀ ଅବବାହିକା ଜଳ ସମ୍ବନ୍ଧରେ ଆବଶ୍ୟକ ହେଉଥିବା ନଥିପତ୍ର ଓ ଦଲିଲ୍ ପାଇଁ ‘କେନ୍ଦ୍ରୀୟ ଜଳ ଆୟୋଗ’ ସହିତ ବୈଠକ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। କେନ୍ଦ୍ରୀୟ ଏଜେନ୍ସିମାନେ ସମ୍ପୂର୍ଣ୍ଣ ନଥିପତ୍ର ଯୋଗାଇ ଦେଉ ନ ଥିବାରୁ ଉଭୟ ରାଜ୍ୟ ‘ଟ୍ରିବ୍ୟୁନାଲ୍’ଙ୍କ ନିକଟରେ ଅଭିଯୋଗ କରିଥିଲୋ।
ଗୁରୁ୍ତ୍ବପୂର୍ଣ୍ଣ କଥା ହେଉଛି, ଛତିଶଗଡ଼ ପକ୍ଷରୁ ଦୁଇ କେନ୍ଦ୍ରୀୟ ସଂସ୍ଥା ନଥିପତ୍ର ଯୋଗାଇ ଦେଉ ନ ଥିବାରୁ ସେମାନଙ୍କୁ ସମନ୍ ଜାରି କରିବା ପାଇଁ ‘ଟ୍ରିବ୍ୟୁନାଲ୍’ରେ ମଧ୍ୟବର୍ତ୍ତୀକାଳୀନ ଆବେଦନ ପତ୍ର ଦାଖଲ କରାଯାଇଛି। ଆଜିର ଶୁଣାଣିରେ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା ବିଷୟକ ଆଲୋଚନାର ଅଗ୍ରଗତି ସଂପର୍କରେ ‘ଟ୍ରିବ୍ୟୁନାଲ୍’ଙ୍କୁ ଜଣାଇବାର ସମ୍ଭାବନା ରହିଛି।
Follow Us