୨୪ରୁ ଆରମ୍ଭ ହେବ ଓଡ଼ିଶା ପର୍ବ-୨୦୨୩: ପ୍ରଥମ ସନ୍ଧ୍ୟାରେ ‘ଆହେ ନୀଳଶଇଳ’

Advertisment
୨୪ରୁ ଆରମ୍ଭ ହେବ ଓଡ଼ିଶା ପର୍ବ-୨୦୨୩: ପ୍ରଥମ ସନ୍ଧ୍ୟାରେ ‘ଆହେ ନୀଳଶଇଳ’

ନୂଆଦିଲ୍ଲୀ : ଦିଲ୍ଲୀରେ ଚଳିତମାସ ୨୪ରୁ ଆରମ୍ଭ ହେବ ଓଡ଼ିଶା ପର୍ବ-୨୦୨୩। ସ୍ଥାନୀୟ ଜବାହରଲାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ତ୍ରିଦିବସୀୟ ଉତ୍ସବରେ ଓଡ଼ିଶାର କଳା, ସଂସ୍କୃତି, ଗୌରବମୟ ଐତିହ୍ୟ, ଉଜ୍ଜ୍ବଳ ପରମ୍ପରାକୁ ଦିଲ୍ଲୀ ଦରବାରରେ ଉପସ୍ଥାପନ କରାଯିବ। ସମଗ୍ର ରାଜ୍ୟର ପାରମ୍ପରିକ ‌ଲୋକକଳା ଓ ଲୋକନୃତ୍ୟ ପରିବେଷଣ ହେବ। ଏକ ସାମ୍ବାଦିକ ସମ୍ମିଳନୀରେ ପର୍ବର ଆୟୋଜକ ‘ଓଡ଼ିଶା ସମାଜ’, ନୂଆଦିଲ୍ଲୀ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।

୨୪ ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟିତ ହେବ। ଉଦ୍‌ଘାଟନୀ ସନ୍ଧ୍ୟାରେ ସା‌ରା ଓଡ଼ିଶାରେ ଚହଳ ପକାଇଥିବା ନାଟକ ‘ଆହେ ନୀଳଶଇଳ’ ପରିବେଷଣ କରାଯିବ। ପର୍ବର କାର୍ଯ୍ୟସୂଚୀ ଅନୁସାରେ ଦ୍ବିତୀୟ ଦିବସରେ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର ଏବଂ ତାଙ୍କ ଟିମ୍‌ ଦ୍ବାରା ଓଡ଼ିଶୀ, ସନ୍ଧ୍ୟାରେ ଆଦିବାଦ୍ୟଙ୍କ ‌ଲୋକବାଦ୍ୟ, ଆଦିବାସୀ ନୃତ୍ୟ ସ୍ବରମୂର୍ଚ୍ଛନା, ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଗୁରୁ ଶାଶ୍ବତ ଯୋଶୀ ଓ ତାଙ୍କ ଶିଷ୍ୟମାନଙ୍କ ଦ୍ବାରା ଲୋକଧ୍ବନି, ଯୁବ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯିବ।

ଉଦଯାପନୀ ସମାରୋହରେ ଗୁରୁ ଶାଶ୍ବତ ଯୋଶୀ ଓ ଟିମ୍‌ ଦ୍ବାରା ଓଡ଼ିଶୀ ନୃତ୍ୟ ଚିରନମସ୍ୟ ପରଂବ୍ରହ୍ମ ମଞ୍ଚସ୍ଥ ହେବ। ଏଥି ସହିତ ଆଦିଧୁମ୍‌ର ସଂଚାଳକ ରବି ରତନ ସାହୁ ଓ ଟିମ୍‌ ଦ୍ବାରା ମହାନଦୀ-ଓଡ଼ିଶା ଓ ସଂସ୍କୃତି, ଗୁରୁ ଅନିରୁଦ୍ଧଙ୍କ ଦ୍ବାରା ଛଉ ଓ ପାଇକ ନୃତ୍ୟ ସଂଯୋଜନା କରାଯିବ। ଯୁବତାରକା ଅନନ୍ୟା ଶ୍ରୀତମ ନନ୍ଦଙ୍କ ସୁଫିଆନା ସଙ୍ଗୀତ ଓ ସନ୍ଦୀପ ମହାନ୍ତିଙ୍କ ତାଳବାଦ୍ୟ ମଧ୍ୟ ପରିବେଷଣ କରାଯିବ। ଉତ୍ସବରେ ଗଞ୍ଜାମର ଯୋଡ଼ିଶଙ୍ଖ, ପଶୁମୁଖା ନୃତ୍ୟ ଓ ରଣପା, ମ‌ାଲକାନଗିରିର ପ୍ରାଚୀନ ବଣ୍ଡା ଓ ସୁନ୍ଦରଗଡ଼ର ଓରାମ ନୃତ୍ୟ, ପୁରୀର ସାହିଯାତ ଓ ଘୋଡ଼ାନାଚ, ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ, ଖୋର୍ଦ୍ଧା ଜିଲ୍ଲାର ପାଇକ ନାଚ ଆଦି ପ୍ରର୍ଦଶନ କରାଯିବ। ପର୍ବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ସ୍ବାଦିଷ୍ଟ ବ୍ୟଞ୍ଜନ, ମିଷ୍ଟାନ୍ନ, ଷ୍ଟ୍ରିଟ୍‌ଫୁଡ୍‌ ଗୋଟିଏ ସ୍ଥାନରେ ପରଷାଯିବ। ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳର ଖାଦ୍ୟପ୍ରେମୀଙ୍କୁ ଏହା ଖାଣ୍ଟି ଓଡ଼ିଆ ସ୍ବାଦ ପ୍ରଦାନ କରିବ ବୋଲି ଆୟୋଜକମାନେ ଆଶାବ୍ୟକ୍ତ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସମାଜର ଅଧ୍ୟକ୍ଷ ସିଦ୍ଧାର୍ଥ ପ୍ରଧାନ, ଟ୍ରଷ୍ଟି ହିରଣ୍ୟ ମହାନ୍ତି, ସିଏମ୍‌ଡି ଯଦୁମଣି ଜେନା , ନୋଏଡା ସେକ୍ଟର ୨୧ ଜଗନ୍ନାଥ ମନ୍ଦିର ସଭାପତି ପ୍ରମୋଦ ବଳ ଓ ଗ୍ରେଟେର୍‌ ନୋଏଡା ଜଗନ୍ନାଥ ମନ୍ଦିରର ଧୀରେନ ମଲ୍ଲିକଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe