ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରବାସୀ ଭାରତୀୟ ସମ୍ମେଳନର ଉଦଯାପନୀ ସମାରୋହରେ ଶୁକ୍ରବାର ଯୋଗଦେଇ କହିଛନ୍ତି, ପ୍ରାଚୀନ କାଳରୁ ଓଡ଼ିଶା ଜଗତୀକରଣର କେନ୍ଦ୍ରବିନ୍ଦୁ ପାଲଟିଛି। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ସେ କହିଛନ୍ତି ଯେ ହଜାର ହଜାର ବର୍ଷ ଧରି ଓଡ଼ିଶାରୁ ପ୍ରବାସୀ ଓଡ଼ିଆମାନେ ଶ୍ରୀଲଙ୍କା ଓ ଦକ୍ଷିଣ-ପୂର୍ବ ଏସିଆରେ ବାଣିଜ୍ୟ ବ୍ୟବସାୟ କରିଥିଲେ। କାର୍ତ୍ତିକ ମାସରେ ଓଡ଼ିଆମାନେ ବେପାର ବାଣିଜ୍ୟ ପାଇଁ ବିଦେଶ ଯାଇଥାନ୍ତି ସେଥିପାଇଁ ତ ଆମେ ପ୍ରବାସୀ ଭାରତୀୟ।
ଓଡ଼ିଶାର ସଭ୍ୟତା, ସଂସ୍କୃତି ଓ ପରମ୍ପରା ଏବେ ବି ବିଶ୍ୱରେ, ବିଶେଷ କରି ସାଉଥ୍– ଇଷ୍ଟ ଏସିଆରେ ଦେଖାଯାଉଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବୋଦୟ ପାଇଁ ଆହ୍ୱାନ ଦେଇଛନ୍ତି। ଭାରତ ସରକାରଙ୍କ 'ଲୁକ୍ ଇଷ୍ଟ- ଆକ୍ଟ ଇଷ୍ଟ' ନୀତିରେ ଓଡ଼ିଶା କେନ୍ଦ୍ରବିନ୍ଦୁ ହୋଇଛି। ଓଡ଼ିଶାରେ ସ୍ୱାଭିମାନ ଓ ଗଣତନ୍ତ୍ରର ମୂଳ ଗଭୀରତା ରହିଛି। ଏହା ହେଉଛି ବୁଦ୍ଧଙ୍କ ଭୂମି, ଶାନ୍ତିର ଭୂମି। ସମଗ୍ର ବିଶ୍ୱରେ ବୌଦ୍ଧ ଧର୍ମର ମାର୍ଗ ଓଡ଼ିଶା ଜରିଆରେ ହିଁ ଉଭା ହୋଇଛି। ଯେତେବେଳେ ଓଡ଼ିଶାରେ କେହି ରାଜା ନଥିଲେ, ସେହି ସମୟରେ ଆମ ଓଡିଶାରେ ଗଣତନ୍ତ୍ର ଥିଲା। ଆମର ସମୂହ ତ୍ୟାଗ ବା ବଳିଦାନ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିବା ପାଇଁ ବାଧ୍ୟ କରିଥିଲା। ଏହି ଭୂମି ପୂର୍ବୋଦୟର ଉତ୍ପତ୍ତିସ୍ଥଳୀ ହେବ।
/sambad/media/media_files/2025/01/10/whatsapp-imaged.jpeg)
ଆଜି ଆମ ସମ୍ମୁଖରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ରହିଛି। ୨୦୩୬ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ୨୦୪୭ରେ ଭାରତ ସ୍ୱାଧୀନତା ପ୍ରାପ୍ତିର ଶତବାର୍ଷିକୀ ପାଳନ କରିବ। ଏହି ସମୟରେ ଆମକୁ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବ। ଓଡ଼ିଶାର ବିକାଶ ହେଲେ ହିଁ ଭାରତର ବିକାଶ ହେବ।
-ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ
ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମିକୁ ଆସିଥିବା ସମସ୍ତ ପ୍ରବାସୀଙ୍କୁ ଶ୍ରୀ ପ୍ରଧାନ ସ୍ୱାଗତ ଜଣାଇଛନ୍ତି। ରାଷ୍ଟ୍ରପତିଙ୍କ ଠାରୁ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପାଇଥିବା ସମସ୍ତ ପ୍ରବାସୀ ଭାରତୀୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ଏକ ନୂଆ ପରିଚୟ ପ୍ରଦାନ କରିଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସରେ ମାର୍ଗଦର୍ଶନ ପାଇଁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟ ଜୟଶଙ୍କରଙ୍କୁ ଧନ୍ୟବାଦ ଦେଇଛନ୍ତି।
Follow Us