ରାଜ୍ୟସଭାରେ ଓଡ଼ିଶା ପ୍ରସଂଗ : କେନ୍ଦ୍ର ଉପରେ ବର୍ଷିଲେ ପ୍ରସନ୍ନ

ବିଜୁଙ୍କୁ ଭାରତରତ୍ନ ଦାବିକଲେ ପ୍ରସନ୍ନ

Odisha Bytes

କୃଷି ଆଇନରେ ଏମ୍‌ଏସ୍‌ପି ସମ୍ପର୍କରେ ଉଲ୍ଲେଖ କରାଯାଉନାହିଁ କାହିଁକି?
ସ୍ବାମୀନାଥନ୍‌ କମିଟି ସୁପାରିସ ତୁରନ୍ତ ଲାଗୁ କରାଯାଉ

ନୂଆଦିଲ୍ଲୀ : କୃଷି ଆଇନ୍‌, ଚାଷୀ ସମସ୍ୟା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଏମ୍‌ଏସ୍‌ପି ସମ୍ପର୍କରେ କେନ୍ଦ୍ର କାହିଁକି ସ୍ପଷ୍ଟ ମତ ରଖୁନାହାନ୍ତି? ନୂତନ କୃଷି ଆଇନରେ ଏମ୍‌ଏସ୍‌ପି ସମ୍ପର୍କରେ ଦୁଇ/ତିନି ଧାଡ଼ି ଯୋଡ଼ିଦେଲେ ଅସୁବିଧା କେଉଁଠି? କାହିଁକି ସ୍ବାମୀନାଥନ୍‌ କମିଟି ସୁପାରିସକୁ ଲାଗୁ କରାଯାଉନାହିଁ? ଏହିଭଳି ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଉତ୍‌ଥାପନ କରିଛନ୍ତି।

ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନିମନ୍ତେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଇଥିଲେ ସାଂସଦ ଶ୍ରୀ ଆଚାର୍ଯ୍ୟ। ସେ କହିଥିଲେ, ସର୍ବନିମ୍ନ ସହାୟକ ମୂଲ୍ୟ ଅପରିବର୍ତ୍ତିତ ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ମୌଖିକ ଭାବେ ଆଶ୍ବାସନା ଦିଆଯାଉଛି। ହେଲେ, ସରକାର ନୂଆ କୃଷି ଆଇନ୍‌ରେ କାହିଁକି ଏ ସମ୍ପର୍କରେ ଦୁଇ/ତିନି ଧାଡ଼ି ଯୋଡ଼ି ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଏ ସମ୍ପର୍କରେ ବିସ୍ତୃତ ଭାବେ ସେ କହିଛନ୍ତି ଯେ, ୨୦୧୪ ମସିହାରେ ସରକାର ଚାଷୀ ମାନଙ୍କର ଆୟକୁ ୨୦୨୦ ସୁଦ୍ଧା ଦ୍ବିଗୁଣିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ୨୦୨୦-୨୧ରେ ଚାଷୀଙ୍କ ଆୟ ଦୁଇଗୁଣା ହୋଇଛି କି? ଯଦି ହୋଇନାହିଁ, ଏହା କେନ୍ଦ୍ର ସରକାରଙ୍କ ବିଫଳତା ନୁହେଁ କି? ଏହିଭଳି ଏକ ପ୍ରସଙ୍ଗରେ ସ୍ବାମୀନାଥନ୍‌ କମିଟିର ସୁପାରିସକୁ ଲାଗୁ କରିବା ପାଇଁ ବିଜେଡି ଦାବି କରିଆସୁଛି। କେନ୍ଦ୍ର ସରକାର ଏହାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଏହି ସୁପାରିସକୁ ଲାଗୁ କରିବା ପାଇଁ ସେ ଦାବି କରିଥିଲେ। ଏଥିସହିତ, ରାଜ୍ୟସଭାରେ ତିନୋଟି କୃଷି ବିଲ୍‌କୁ ସିଲେକ୍ଟ କମିଟିକୁ ଅଧିକ ଅନୁଧ୍ୟାନ ପାଇଁ କାହିଁକି ପଠାଯାଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।

ସାଂସଦ ଶ୍ରୀ ଆଚାର୍ଯ୍ୟ ରାଜ୍ୟ ସହିତ ସମ୍ପର୍କିତ ଏକାଧିକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ, ଗତ ଶହେ ବର୍ଷରେ ରାଜ୍ୟ ୧୨୯ ଥର ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରିଛି ଏବଂ ଏହା ରାଜ୍ୟର ଅର୍ଥନୀତି ଉପରେ ବ୍ୟାପକ ରୂପେ ପ୍ରଭାବ ପକାଇଛି। ଯଦି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟାର ମାନ୍ୟତା ପ୍ରଦାନ କରାଯାଉନାହିଁ ତେବେ ଓଡିଶାକୁ ସ୍ବତନ୍ତ୍ର ପ୍ୟାକେଜ୍ ଦିଆଯାଉ ବୋଲି ସେ ଦାବି କରିଥିଲେ। ଏଥିସହିତ, ଅର୍ଥନୈତିକ ବୈଷମ୍ୟତାକୁ ଦୂର କରିବା ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଉପରେ ସେ ଗୁରୁତ୍ବାରୋପ କରିଥିଲେ। ସାଂସଦ ଶ୍ରୀ ଆଚାର୍ଯ୍ୟ ବିଧାନ ପରିଷଦ ପ୍ରସଙ୍ଗ ଉତ୍‌ଥାପନ କରି କହିଥିଲେ, ଓଡିଶାରେ ବିଧାନ ପରିଷଦ ଗଠନ ସଂପର୍କିତ ସଂକଳ୍ପ ଓଡିଶା ବିଧାନସଭାରେ ଗୃହୀତ ହେବାପରେ ସଂସଦର ଅନୁମୋଦନ ପାଇଁ କେନ୍ଦ୍ର ନିକଟକୁ ପଠାଯାଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ଏଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଏତଦ୍‌ବ୍ୟତୀତ ସମ୍ବିଧାନର ଅଷ୍ଠମ ପରିଚ୍ଛେଦରେ ହୋ, କୋଶଳୀ ଓ ସମ୍ବଲପୁରୀ ଭାଷାକୁ ସାମିଲ କରିବା ନେଇ ସେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe