୨୦୧୮: ସୁପ୍ରିମକୋର୍ଟରେ ଓଡ଼ିଶା ପ୍ରସଙ୍ଗ : ଶ୍ରୀମନ୍ଦିରରୁ ପୋଲାଭରମ୍‌ ପର୍ଯ୍ୟନ୍ତ

Advertisment
୨୦୧୮: ସୁପ୍ରିମକୋର୍ଟରେ ଓଡ଼ିଶା ପ୍ରସଙ୍ଗ : ଶ୍ରୀମନ୍ଦିରରୁ ପୋଲାଭରମ୍‌ ପର୍ଯ୍ୟନ୍ତ

ନୂଆଦିଲ୍ଲୀ (ନାଇମ୍‌ ଆଖ୍‌ତାର): ୨୦୧୮ରେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ସୁପ୍ରିମକୋର୍ଟରେ ଛାଇ ରହିଥିଲା। ଚଳିତବର୍ଷ ଓଡ଼ିଶାର ଶ୍ରୀମନ୍ଦିର ପରିଚାଳନା ଅବ୍ୟବସ୍ଥା ନେଇ ସୁପ୍ରିମକୋର୍ଟଙ୍କ ଆଦେଶ ପ୍ରମୁଖ ବିଷୟ ଥିଲା। ଶ୍ରୀମନ୍ଦିର ପରିଚାଳନା ଅବ୍ୟବସ୍ଥା ନେଇ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଥିଲେ। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଯେଭଳି ହଇରାଣ ଓ ଶୋଷଣର ଶିକାର ନହୁଅନ୍ତି, ସେନେଇ ସୁନିଶ୍ଚିତ କରିବାକୁ କୋର୍ଟ ଏକାଧିକ ନିର୍ଦ୍ଦେଶନାମା ଜାରି କରିଥିଲେ। ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍‌ଙ୍କୁ ଆମିକସ୍‌ କ୍ୟୁରି ନିଯୁକ୍ତ କରାଯାଇଥିଲା ଏବଂ ଶ୍ରୀମନ୍ଦିର ସଂସ୍କାର ତଥା ପରିଚାଳନାଗତ ବ୍ୟବସ୍ଥା ନେଇ କେଉଁସବୁ ଯୋଜନା ଆବଶ୍ୟକ, ସେ ସମ୍ପର୍କରେ ସମସ୍ତ ପକ୍ଷଙ୍କ ସହ ବିଚାରବିମର୍ଶ କରି ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଆମିକସ୍‌ କ୍ୟୁରି ଶ୍ରୀମନ୍ଦିର ପରିଦର୍ଶନ କରିବା ସହ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିଥିଲେ। ହେଲେ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବା ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଆମିକସ୍‌ କ୍ୟୁରି ମାମଲାରୁ ଓହରିଯିବାରୁ ଶ୍ରୀମନ୍ଦିର ସଂସ୍କାରକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଅପରପକ୍ଷେ ସୁପ୍ରିମକୋର୍ଟ ଶ୍ରୀମନ୍ଦିରକୁ ଜୋତା ଓ ଅସ୍ତ୍ରଶସ୍ତ୍ର ସହ ପୁଲିସ ପ୍ରବେଶ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ।

ଚଳିତବର୍ଷ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସହ ନଦୀଜଳ ବିବାଦ ମାମଲାରେ ଓଡ଼ିଶାର ଆବେଦନ ଗୁଡ଼ିକ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ଗଠନ କରିବାରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଆପଣାଉଥିବା ବେଳେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରି କେନ୍ଦ୍ର ସରକାରଙ୍କୁ ମାସକ ଭିତରେ ଟ୍ରିବ୍ୟୁନାଲ୍‌ ଗଠନ ସମ୍ପର୍କିତ ବିଜ୍ଞପ୍ତି ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲାଭରମ ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟ ଚଳିତବର୍ଷ ଏକାଧିକ ଶୁଣାଣି କରିଥିଲେ। ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲା ଓଡ଼ିଶାର ସର୍ବାଧିକ ୮ଟି ପ୍ରସଙ୍ଗକୁ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ରାଜି ହୋଇଥିଲେ।

ସୁପ୍ରିମକୋର୍ଟ ଚଳିତବର୍ଷ କିଛି ଜାମିନ ଆବେଦନ ଉପରେ କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ। ବହୁ ଚର୍ଚ୍ଚିତ ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହିମାନନ୍ଦ ମିଶ୍ରଙ୍କ ଜାମିନ ଆବେଦନ ରଦ୍ଦ କରିବା ସହ ତାଙ୍କ ପୁନର୍ବିଚାର ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ। ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ୧୮ଶହ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ଥିବା ଦୀପକ ଗୁପ୍ତାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଥି‌ଲେ। ‌କୋଣାର୍କ ଓ ଶ୍ରୀମନ୍ଦିର ମାମଲାରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ମିତ୍ର ଆୟାରଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ସହ ‘ଜେଲ୍‌ ହିଁ ଅଭିଜିତଙ୍କ ପାଇଁ ସୁରକ୍ଷିତ ସ୍ଥାନ’ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଟିପ୍ପଣୀ ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା। ‌ସୁପ୍ରିମକୋର୍ଟ ଅନେକ ଅଭିଯୁକ୍ତଙ୍କୁ ମଧ୍ୟ ଚଳିତ ବର୍ଷ ଜାମିନ ପ୍ରଦାନ କରିଥିଲେ। ନବଦିଗନ୍ତ ଚିଟ୍‌ଫଣ୍ଡ୍‌ ମାମଲାରେ ୨୦୧୪ରେ ସିବିଆ‌ଇ ଦ୍ବାରା ଗିରଫ ହୋଇଥିବା ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ୪ ବର୍ଷ ପରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ। ଚିଟ୍‌ଫଣ୍ଡ୍‌ ଦୁର୍ନୀତିରେ ଗିରଫ ହୋଇଥିବା ଅଭିଯୁକ୍ତ ଉମାମଣି ରିଅଲ ଇଷ୍ଟେଟ୍‌ର ଏମ୍‌ଡି ନାରାୟଣ ଚନ୍ଦ୍ରନାୟକ, ସିସୋର୍‌ ଚିଟ୍‌ଫଣ୍ଡ୍‌ ମାମଲାରେ ଜ୍ୟୋତିରାଣୀ ଷଢ଼ଙ୍ଗୀ, ଆସ୍ଥା ଚିଟ୍‌ଫଣ୍ଡ୍‌ ଅଭିଯୁକ୍ତ ଶୁଭ୍ରାଂଶୁ ଲେଙ୍କା, ସମୃଦ୍ଧ ଇଣ୍ଡିଆ ମୁଖ୍ୟ ଏମ୍‌କେ ମୋଟୱାନୀ, ସାଇବର ଅପରାଧ ମାମଲାରେ ଜୟନ୍ତ ଦାସଙ୍କୁ ଚଳିତବର୍ଷ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ। ଆତଙ୍କବାଦୀ ସିମି ସଂଗଠନର ସଦସ୍ୟ ମେହବୁବୁଙ୍କ ମା’ ନଜ୍‌ମା‌ ବିବିଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ।

ସୁପ୍ରମକୋର୍ଟ ଚଳିତବର୍ଷ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବଙ୍କୁ ୨ ଥର ହାଜର ହେବାପାଇଁ ନୋଟିସ୍‌ ଜାରି କରିଥିଲେ। ଏସ୍‌ପିଭି ପରିଚାଳନା ନେଇ କୋର୍ଟଙ୍କୁ ଅବଗତ କରାଇବାପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ହାଜର ହୋଇଥିଲେ। ସହରାଞ୍ଚଳ ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳ ସ୍ଥାପନ କରିବା ଆଦେଶକୁ କାର୍ଯ୍ୟକାରୀ ନକରିବାପାଇଁ ଏବଂ ମଧ୍ୟାହ୍ନ ଭୋଜନ ନିୟମ ଉଲ୍ଲଂଘନ ପାଇଁ ରାଜ୍ୟ ସରକାରଙ୍କୁ ଲକ୍ଷେ ଟଙ୍କାର ଜରିମାନା ଓ ସିଏସଏଫଏଲ୍‌ ବିଭାଗର ପଦବୀ ଗୁଡ଼ିକ ଖାଲି ପଡ଼ିଥିବା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ୨୦ ହଜାର ଟଙ୍କାର ଜରିମାନା ଜାରି କରିଥିଲେ ସୁପ୍ରିମକୋର୍ଟ।

ପୌର ନିର୍ବାଚନ ସଂରକ୍ଷଣ ମାମଲାରେ ହାଇକୋର୍ଟଙ୍କ ରାୟ କାଏମ ରଖିବା ସହ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଆବେଦନ ଖାରଜ କରିଦେଇଥିଲେ। ଡଙ୍ଗାରୀ ପାହାଡ଼ର ଜଙ୍ଗଲ ଜମିରେ ବେଆଇନ ଖଣି ଖନନ ଓ ଉତ୍ତୋଳନ ପ୍ରସଙ୍ଗରେ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ର ନିର୍ଦ୍ଦେଶନାମା ଉପରେ ସୁପ୍ରିମକୋର୍ଟ ରହିତ‌ାଦେଶ ଜାରି କରିଥିଲେ। ସୁପ୍ରିମକୋର୍ଟ ଚଳିତବର୍ଷ ଦୁଇଟି ମାମଲାରେ ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକଙ୍କୁ ଗୁରୁଦାୟିତ୍ବ ଦେଇଥିଲେ। ବେଆଇନ ଖଣି ଖନନ ଜରିମାନା ଟଙ୍କା ଖର୍ଚ୍ଚ ମାମଲା‌ରେ ଏସ୍‌ପିଭି କ‌ାର୍ଯ୍ୟ ତଦାରଖର ଦାୟିତ୍ବ ଏକେ ପଟ୍ଟନାୟକଙ୍କୁ ଦିଆଯାଇଥିଲା। ସିବିଆଇର ଦୁଇ ମୁଖିଆଙ୍କ କଳିର ତଦନ୍ତ ଜଷ୍ଟିସ୍‌ ଏସ୍‌ କେ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe