ହାଇଦ୍ରାବାଦର ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଓଡ଼ିଆ ସାଂସଦଙ୍କ ତୀବ୍ର ପ୍ରତିକ୍ରିୟା

Advertisment
ହାଇଦ୍ରାବାଦର ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଓଡ଼ିଆ ସାଂସଦଙ୍କ ତୀବ୍ର ପ୍ରତିକ୍ରିୟା

wefornews.com

ନୂଆଦିଲ୍ଲୀ: ହାଇଦ୍ରାବାଦର ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ନେଇ ସଂସଦର ଉଭୟ ଗୃହରେ ଓଡ଼ିଆ ସାଂସଦମାନେ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜ୍ୟସଭାରେ ବିଜେଡି ସାଂସଦ ଅମର ପଟ୍ଟନାୟକ ଏହି ଘଟଣା ଦେଶର ବିବେକକୁ ଜୋର୍‌ ଦୋହଲାଇ ଦେଇଛି ବୋଲ କହିଥିଲେ। ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବା ପାଇଁ ସେ ଦାବି କରିଥିଲେ। ଏଭଳି ଘଟଣା ପାଇଁ ଆଇନରେ ଦୃଢ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ଥିବା ବେଳେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉନଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। କଡ଼ା ଆଇନ ସହିତ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ ସେ ମତ ରଖିଥିଲେ। ରାଜ୍ୟସଭାରେ ଓଡ଼ିଶାର ବିଜେପି ସାଂସଦ ଅଶ୍ବିନୀ ବୈଷ୍ଣବ ଏଭଳି ଘଟଣାରେ ଅଙ୍କୁଶ ଲଗାଇବା ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ କହିଥିଲେ। ଦେଶରେ ଫାଷ୍ଟଟ୍ରାକ୍ କୋର୍ଟ ଗଠନ ତଥା ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଭଳି ବ୍ୟବସ୍ଥା ଥିବା ବେଳେ ସିଆରପିସି, ଆଇପିସି, ଏଭିଡେନ୍ସ ଆକ୍ଟ ଆଦି ଶତାବ୍ଦୀର ପୁରୁଣା ଆଇନ ଗୁଡ଼ିକ ଏ ପର୍ଯ୍ୟନ୍ତ ବଦଳା ଯାଇନାହିଁ। ଦଣ୍ଡବିଧାନର ସଂଖ୍ୟା ମଧ୍ୟ ଏଥିରେ କମ୍ ବୋଲି ସେ କହିଥିଲେ। ଲୋକସଭାରେ ଆଜି ଏହି ପ୍ରସଙ୍ଗରେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର। ସେ କହିଥିଲେ ଯେତେବେଳ ପର୍ଯ୍ୟନ୍ତ ଦୁଷ୍କର୍ମକାରୀମାନଙ୍କୁ ଫାଶୀ ଦଣ୍ଡ ଦିଆଯିବ ନାହିଁ ସେତେବେଳ ପର୍ଯ୍ୟନ୍ତ ଆଇନ ଓ ଫାଷ୍ଟଟ୍ରାକ୍ କୋର୍ଟର କୌଣସି ଗୁରୁତ୍ବ ରହିବ ନାହିଁ। ବିତର୍କରେ ପିନାକୀ ମିଶ୍ର ୭ ବର୍ଷ ତଳେ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣବଳାତ୍କର ମାମଲା ଉଲ୍ଲେଖ କରିଥିଲେ। ୭ ବର୍ଷ ପରେ ମଧ୍ୟ ନିର୍ଭୟାର ହତ୍ୟାକୀରମାନେ ଏ ପର୍ଯ୍ୟନ୍ତ ଫାଶୀ ଦଣ୍ଡ ପାଇନଥିବାକୁ ନେଇ ସେ ପ୍ରଶ୍ନ କରିଥିଲେ। ମହିଳାମାନଙ୍କ ବିରୋଧରେ ଅତ୍ୟାଚାରକୁ ନେଇ କଠୋର ଦଣ୍ଡାଦେଶକୁ ନେଇ ଗୃହରେ ଗୋଟିଏ ସ୍ବରରେ ସମସ୍ତେ ସମର୍ଥନ କରିଛନ୍ତି। କଠୋର ଦଣ୍ଡ ଜରିଆରେ ଏଥିରେ ଅଙ୍କୁଶ ଲାଗିପାରିବ। ସରକାରଙ୍କୁ ଏ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe