କର୍ତ୍ତବ୍ୟରଥ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ

Advertisment
କର୍ତ୍ତବ୍ୟରଥ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ

ନୂଆଦିଲ୍ଲୀ: କର୍ତ୍ତବ୍ୟପଥରେ ଅନୁଷ୍ଠିତ ୭୫ତମ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ ବିବେଚିତ ହୋଇଛି। ଗୁଜରାଟର ପ୍ରଜ୍ଞାପନ ମେଢ଼ ଦ୍ବିତୀୟ ଓ ତାମିଲନାଡୁର ପ୍ରଜ୍ଞାପନ ମେଢ଼ ତୃତୀୟ ସ୍ଥାନ ହାସଲ କରିଛି। ତିନିବର୍ଷର ବ୍ୟବଧାନ ପରେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାମିଲ ହୋଇ ବିଚାରକମଣ୍ଡଳୀ ଦ୍ବାରା ଶ୍ରେଷ୍ଠ ବିବେଚିତ ହୋଇଥିବାରୁ ବିଭନ୍ନ ମହଲରେ ଆନନ୍ଦର ଲହରି ଖେଲିଯାଇଛି। ଆସନ୍ତାକାଲି ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାକୁ ପୁରସ୍କାର ପ୍ରଦାନ କରାଯିବ।
ସୂଚନାଯୋଗ୍ୟ, ଦିଲ୍ଲୀର ରାଜପଥରେ ୨୦୨୦ରେ ଅନୁଷ୍ଠିତ ୭୧ତମ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ରୁକୁଣା ରଥ-ଲିଙ୍ଗରାଜ ମନ୍ଦିର ଶୀର୍ଷକ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦ୍ବିତୀୟ ସ୍ଥାନ ହାସଲ କରିଥିଲା। ଚଳିତ ବର୍ଷ ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ଭାଗ ନେଇଥିଲା।

ଏଥର ବିକଶିତ ଭାରତ ବିଷୟବସ୍ତୁକୁ ନେଇ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ତିଆରି କରାଯାଇଥିଲା। ୪୫ ଫୁଟ ଦୈର୍ଘ୍ୟ,୧୪ ଫୁଟ ପ୍ରସ୍ଥ ଓ ୧୬ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପ୍ରକଳ୍ପରେ ସମୃଦ୍ଧ ରଘୁରାଜପୁର ପଟ୍ଟଚିତ୍ର ଓ କୁଟୀର ଶିଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାଙ୍କର ଅର୍ଥନୈତିକ ଉନ୍ନତି ଓ ମହିଳା ସଶକ୍ତୀକରଣର ବାର୍ତ୍ତା ରହିଥିଲା। ମେଢ଼ ଉପରେ ଓଡ଼ିଶାର ମହିଳା ହସ୍ତଶିଳ୍ପୀମାନେ ଚାନ୍ଦୁଆ ଓ ପଟ୍ଟଚିତ୍ର ପ୍ରସ୍ତୁତି ପ୍ରର୍ଦଶନ କରିଥିବାବେଳେ ଉଭୟ ପାର୍ଶ୍ବରେ ବାଲେଶ୍ବର ଜିଲ୍ଲା ଗୋପାଳପୁରର ଲକ୍ଷ କଳାବିକାଶ କେନ୍ଦ୍ରର ମହିଳା ନୃତ୍ୟ ଶିଳ୍ପୀମାନେ ସମ୍ବଲପୁରୀ ନୃ୍ତ୍ୟ ପରିବେଷଣ କରିଥିଲେ। ଏଥି ସହିତ ମେଢ଼ର ସମ୍ମୁଖ ଭାଗରେ ଥିବା ହାତୀର ଦୁଇ ପାର୍ଶ୍ବରେ ଲାଗିଥିବା ଚକ୍ର ସହିତ ମଝିରେ ଲାଗିଥିବା ଛତ୍ରୀ ମେଢ଼ର ‌ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥିଲା। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରତ୍ୟକ୍ଷ ମାର୍ଗଦର୍ଶନ, ପ୍ରଖ୍ୟାତ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ତତ୍ତ୍ବାବଧାନ ଏବଂ ଇମାଜେରି ସଂସ୍ଥାର କୀର୍ତ୍ତିକିଶୋର ମହାରଣାଙ୍କ ନେତୃତ୍ବରେ ୨୬ଜଣ କାରିଗର ପ୍ରଜ୍ଞାପନ ମେଢ଼କୁ ନିର୍ମାଣ କରିଥିଲେ। ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ପ୍ରଜ୍ଞାପନ ମେଢ଼କୁ ନିର୍ମାଣ କରାଯାଇଥିଲା। କର୍ତ୍ତବ୍ୟପଥ ପରେଡ୍‌ରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ଦେଖି ଅଭିଭୂତ ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe