ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା: ପୁଅ ମରିଛି ବୋଲି ବାପାଙ୍କର ବିଶ୍ବାସ ହେଉ ନ ଥିଲା; ପରେ ଲାସ୍‌ଖାନାରୁ ପୁଅକୁ ଜୀବନ୍ତ ପାଇଲେ

Advertisment
ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା: ପୁଅ ମରିଛି ବୋଲି ବାପାଙ୍କର ବିଶ୍ବାସ ହେଉ ନ ଥିଲା; ପରେ ଲାସ୍‌ଖାନାରୁ ପୁଅକୁ ଜୀବନ୍ତ ପାଇଲେ

କୋଲ୍‌କାତା: କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ପୁଅ ମରିଥିବା ଖବରକୁ ଅଗ୍ରାହ୍ୟ କରି ଜଣେ ବାପା ଆମ୍ବୁଲାନ୍‌ସ୍‌ରେ ୨୩୦ କିଲୋମିଟର୍‌ ଦୂର ବାଲେଶ୍ବରକୁ ଆସି ଅସ୍ଥାୟୀ ଲାସ୍‌ଖାନାରେ ପୁଅକୁ ଚିହ୍ନଟ କରି, ଡାକ୍ତରଖାନାରେ ତା’ର ଚିକିତ୍ସା କରାଇ ପୁଣି ଉନ୍ନତ ଚିକିତ୍ସା ପାଇଁ କୋଲ୍‌କାତା ନେଇଯାଇଛନ୍ତି।

ସଂଗୃହୀତ ସୂଚନା ଅନୁସାରେ ମୃତ ବୋଲି ଘୋଷଣା କରାଯାଇଥିବା ପୁଅ ହେଉଛନ୍ତି ୨୪ ବର୍ଷିୟ ବିଶ୍ବଜିତ୍‌ ମଲିକ।  ତା’ର ମୃତ୍ୟୁ ସମ୍ବାଦକୁ ବିଶ୍ବାସ କରିପାରି ନ ଥିବା ବାପା ହେଉଛନ୍ତି ହେଳାରାମ ମଲିକ।

ଶୁକ୍ରବାର ଦିନ ଶାଲିମାର୍‌ ଷ୍ଟେସନ୍‌ରେ ବିଶ୍ବଜିତଙ୍କୁ ଛାଡ଼ି ଆସିବାର କିଛି ସମୟ ପରେ ହାୱାଡ଼ାରେ ଦୋକାନ ଖୋଲିଥିବା ହେଳାରାମ ଟ୍ରେନ୍‌ ଦୁର୍ଘଟଣା ଖବର ପାଇଥିଲେ। ବିଶ୍ବଜିତ୍‌ଙ୍କ ମୋବାଇଲ୍‌ ଫୋନ୍‌କୁ ସେ କଲ୍‌ କଲେ। କ୍ଷୀଣ ସ୍ବରରେ ଜବାବ ମିଳିଲା, ମୁଁ ବଞ୍ଚିଛି, କିନ୍ତୁ ଖୁବ୍‌ କଷ୍ଟ ହେଉଛି।

ଆଉ କିଛି ନ ବିଚାରି ହେଳାରାମ ସ୍ଥାନୀୟ ଆମ୍ବୁଲାନ୍‌ସ୍ ଡ୍ରାଇଭର୍‌ ପଳାଶ ପଣ୍ଡିତଙ୍କୁ ଡକାଇ, ଶଳା ଦୀପକ ଦାସଙ୍କୁ ସାଥିରେ ନେଇ ରାତାରାତି ବାଲେଶ୍ବର ବାହାରିଲେ। କିନ୍ତୁ, ବାଲେଶ୍ବରର କୌଣସି ଡାକ୍ତରଖାନାରେ ସେମାନେ ବିଶ୍ବଜିତର ସନ୍ଧାନ ପାଇଲେ ନାହିଁ।

ଦୀପକ ଦାସ କହନ୍ତି, ଆମେ ନିରାଶ ନ ହୋଇ ସୁରାକ ପାଇବା ଆଶାରେ ଲୋକମାନଙ୍କୁ ପଚାରିଲୁ। ଜଣେ ଆମକୁ କହିଲେ ଯେ, ଯଦି ଡାକ୍ତରଖାନାରେ ପାଉନାହଁ, ବାହାନଗା ହାଇସ୍କୁଲ୍‌କୁ ଯାଅ। ସେଠାରେ ଶବ ସବୁ ରଖାଯାଇଛି। ଆମେ ତାଙ୍କ କଥା ଗ୍ରହଣ ନ କରି ସୁଦ୍ଧା ସେଠାକୁ ଗଲୁ।

publive-image Image Courtesy of Mint

ଆମକୁ ଶବ ଦେଖିବାକୁ ଛଡ଼ା ଗଲାନାହିଁ। ଟିକିଏ ପରେ, ଜଣକର ଡାହାଣ ହାତ ଥରୁଥିବା କଥା କେହି ଜଣେ ଦେଖିବା ପରେ ସେଠାରେ ଚହଳ ପଡ଼ିଗଲା। ଆମେ ସେଠାରୁ ଥିବାରୁ ସେ ହାତଟି ବିଶ୍ବଜିତର ବୋଲି ଚିହ୍ନି ପକାଇଲୁ। ଭୀଷଣ ଆହତ ହୋଇ ସେ ଅଚେତ ହୋଇପଡ଼ିଥିଲା। ଆମେ ତୁରନ୍ତ ତାକୁ ଆମ୍ବୁଲାନ୍‌ସ୍‌ରେ ବାଲେଶ୍ବର ଡାକ୍ତରଖାନାକୁ ନେଇଗଲୁ। ସେଠାରେ ତାକୁ କିଛି ଇଞ୍ଜେକ୍‌ସନ୍‌ ଦିଆଗଲା। ତା’ର ଅବସ୍ଥା ଦେଖି ସେମାନେ ତାକୁ କଟକ ବଡ଼ ମେଡିକାଲ୍‌କୁ ରେଫର୍‌ କରିଥିଲେ। କିନ୍ତୁ, ଆମେ ‘ବଣ୍ଡ୍‌’ରେ ଦସ୍ତଖତ କରି ତାକୁ ବାଲେଶ୍ବର ଡାକ୍ତରଖାନାରୁ ‘ଡିସ୍‌ଚାର୍ଜ’ କରାଇ ଆଣିଲୁ। ଅଚେତ ହୋଇପଡ଼ିଥିବା ବିଶ୍ବଜିତକୁ ଆମ୍ବୁଲାନ୍‌ସ୍‌ରେ ନେଇ କୋଲ୍‌କାତା ଫେରିଲୁ ଓ ସକାଳ ୮.୩୦ରେ ‘ଏସ୍‌‌ଏସ୍‌କେଏମ୍‌ ହସ୍ପିଟାଲ୍‌’ରେ ପହଞ୍ଚିଲୁ ବୋଲି ଦୀପକ ଦାସ କହିଛନ୍ତି।

କୋଲ୍‌କାତାର ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌’ର ‘ଟ୍ରମା କେୟାର୍‌ ୟୁନିଟ୍‌’ରେ ଚିକିତ୍ସାଧୀନ ଥିବା ବିଶ୍ବଜିତଙ୍କର ଚେତା ଫେରିନାହିଁ। ରବିବାର ଦିନ ତାଙ୍କ ପାଦଗଣ୍ଠିରେ ଅସ୍ତ୍ରୋପଚାର କରାଯାଇଛି। ଆଜି ଆଉ ଗୋଟାଏ ଗୋଡ଼ରେ ଅସ୍ତ୍ରୋପଚାର କରାଯିବ। ଲାସ୍‌ଖାନାରେ ଥରୁଥିବା ତା’ର ଡାହାଣ ହାତର ହାଡ଼ ବହୁ ସ୍ଥାନରେ ଭାଙ୍ଗି ଯାଇଛି। ସାଙ୍ଘାତିକ ଆହତ ହୋଇଥିଲେ ବି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe