ସାମୁଦ୍ରିକ ଅର୍ଥନୀତି ସହ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବ ଓଡ଼ିଶା : ଧର୍ମେନ୍ଦ୍ର ପ୍ରଧାନ

Advertisment

ମାରିଟାଇମ ଇଣ୍ଡିଆ ଶିଖର ସମ୍ମିଳନୀରେ ବକ୍ତବ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ

ମାରିଟାଇମ ଇଣ୍ଡିଆ ଶିଖର ସମ୍ମିଳନୀରେ ବକ୍ତବ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ

ସାମୁଦ୍ରିକ ଅର୍ଥନୀତି ସହ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବ ଓଡ଼ିଶା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଏକବିଂଶ ଶତାବ୍ଦୀରେ ଓଡ଼ିଶା ନିଜର ସର୍ବଶ୍ରେଷ୍ଠ ସାମୁଦ୍ରିକ ଅର୍ଥନୀତି ସହ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବାର ସମ୍ଭାବନା ରଖିଛି । ଏହାଦ୍ୱାରା ରାଜ୍ୟରେ ବ୍ୟାପକ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ । ବୁଧବାର ମାରିଟାଇମ ଇଣ୍ଡିଆ ଶିଖର ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେଇ ନିଜର ବକ୍ତବ୍ୟ ଉପସ୍ଥାପନ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ହଜାର ହଜାର ବର୍ଷ ପୂର୍ବରୁ ଓଡ଼ିଶାର ସାଧବ ପୁଅମାନେ ହିଁ ସମୁଦ୍ର ପଥ ଜରିଆରେ ବିଶ୍ୱର ବିଭିନ୍ନ ଅଂଚଳକୁ ଯାଇ ବାଣିଜ୍ୟ ବ୍ୟବସାୟ କରୁଥିଲେ। ତେବେ ବର୍ତ୍ତମାନ ସମୟରେ ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଆତ୍ମନିର୍ଭର ଭାରତ’ର ଆହ୍ୱାନ ଦେଇଛନ୍ତି । ତେବେ ଆତ୍ମନିର୍ଭର ଭାରତ କେବଳ ଏକ ଚିନ୍ତାଧାରା ନୁହେଁ ବରଂ ଓଡ଼ିଶା ତଥା ଭାରତକୁ ପ୍ରଗତିର ପଥରେ ନେବା ପାଇଁ ସୁଚିନ୍ତିତ ଯୋଜନା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏକବିଂଶ ଶତାବ୍ଦୀରେ ସମୁଦ୍ର ପଥ ବିଶାଳ ନେଟୱାର୍କ ହୋଇଛି । ଓଡ଼ିଶାରେ ବନ୍ଦରଭିତ୍ତିକ ଅର୍ଥନୀତି କରିବା ଦିଗରେ ପାରାଦୀପ, ଧାମରା, ଗୋପାଳପୁର, ଅସ୍ତରଙ୍ଗ, ସୁବର୍ଣ୍ଣରେଖା ବନ୍ଦରକୁ ବିକଶିତ କରାଯାଉଛି । ଏହି ହିସାବରେ ଓଡିଶାରେ ଶିଳ୍ପଭିତ୍ତିକ ବନ୍ଦର ଅର୍ଥନୀତି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ରାଜ୍ୟରେ ଥିବା ୫ଟି ବନ୍ଦରରୁ ୨୫ ପର୍ଯ୍ୟନ୍ତ ବନ୍ଦର ବଢ଼ାଯିବା ପାଇଁ ପ୍ରଚେଷ୍ଟା କରିବା ଦରକାର । ଏଥିସହିତ ମହାନଦୀରେ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ପେଟ୍ରୋଲିୟମ ଭିତିଭୂମିକୁ ସୁଦୃଢ଼ କରାଯିବା ସହ ଗ୍ୟାସ ଗ୍ରିଡରେ ଅଧିକ ପୁଞ୍ଜିନିବେଶ ପାଇଁ ଯୋଜନା କରାଯାଉଛି । ଯାହାଦ୍ୱାରା ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ସହ ରୋଜଗାର ସୃଷ୍ଟି ହେବ ବୋଲି ସେ କହିଛନ୍ତି।

publive-image

ଏଥିସହିତ ଓଡ଼ିଶାରେ ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ସେ ଆର୍ସେଲର ମିତଲର ମୁଖ୍ୟ ଲକ୍ଷ୍ମୀ ନାରାୟଣ ମିତଲଙ୍କ ସହ କଥା ହୋଇଛନ୍ତି । ଗୋଟିଏ ପକ୍ଷରେ ଯାଜପୁର କଳିଙ୍ଗନଗରକୁ ଇସ୍ପାତର ପେଣ୍ଠସ୍ଥଳି କରିବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ସମନ୍ୱୟରେ ଓଡ଼ିଶାରେ ସର୍ବବୃହତ୍ ଇସ୍ପାତ୍ କାରଖାନା ପ୍ରତିଷ୍ଠା ହେବା ପାଇଁ ଯୋଜନା କରାଯାଉଛି । ଅପରପକ୍ଷେ ପ୍ରଧାନମନ୍ତ୍ରୀ ନିଜର ‘ପୂର୍ବୋଦୟ ମିଶନ’ରେ ପୂର୍ବ ଭାରତର ଅଭିବୃଦ୍ଧି ନିମନ୍ତେ ନିରନ୍ତର ପରିଶ୍ରମ କରୁଥିବା ବେଳେ ପାରାଦୀପ ମଧ୍ୟ ଉର୍ଜା କ୍ଷେତ୍ରରେ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବା ପାଇଁ ଯାଉଛି।

ଓଡିଶାର ସୁଦୀର୍ଘ ବେଳାଭୂମି ମଧ୍ୟ କେବଳ ଓଡ଼ିଶା ନୁହଁ ବରଂ ପୂର୍ବ ଭାରତକୁ ପ୍ରଗତିର ପଥରେ ଆଗେଇ ନେବାରେ ପେଣ୍ଠ ହେବ । ଏହାଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ଏବଂ ବ୍ୟବସାୟିକ ପ୍ରକ୍ରିୟା ଅର୍ଥନୀତିକୁ ସଶକ୍ତ କରିବ । ଏତଦବ୍ୟତୀତ ରାଜ୍ୟରେ ପାଇପ ଲାଇନ ଭିତ୍ତିଭୂମିକୁ କାର୍ଯ୍ୟକାରୀ କରାଯିବା ସହ ଏଲଏନଜି ଧାମରା କାର୍ଯ୍ୟକାରୀ ହେବ । ରେଳ, ସଡ଼କପଥ, ଗ୍ୟାସ ଗ୍ରୀଡ, ସିଟି ଗ୍ୟାସ ନେଟୱାର୍କରେ ବହୁତ ପୁଞ୍ଜିନିବେଶ ହେବ । ଓଡ଼ିଶାର ସୁଦୀର୍ଘ ବେଳାଭୂମି ମଧ୍ୟ ରାଜ୍ୟର ବିକାଶରେ ଗେମ-ଚେଞ୍ଜର ହେବ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe