Image Source: Zee News
ନୂଆଦିଲ୍ଲୀ : କୋଭିଡ–୧୯ ମହାମାରୀ କାରଣରୁ ଦେଖାଦେଇଥିବା ସାମାଜିକ–ଅର୍ଥନୈତିକ ଚାପର ମୁକାବିଲା କରିବା ନିମନ୍ତେ ଆସନ୍ତା ୩ ମାସ ପାଇଁ ଉଜ୍ଜଳା ଯୋଜନା ଅଧୀନରେ ମାଗଣାରେ ଗ୍ୟାସ ସିଲିଣ୍ତର ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏପ୍ରିଲ ପହିଲାରୁ ଆସନ୍ତା ଜୁନ ୩୦ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଏହି ସୁବିଧା ଯୋଗାଇ ଦିଆଯିବ। ୮ କୋଟି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ହିତାଧିକାରୀମାନେ ମାଗଣାରେ ଘରୋଇ ଏଲପିଜି ସିଲିଣ୍ତର ପାଇବେ। ଏପ୍ରିଲ ମାସର ସିଲିଣ୍ତର ଭରିବା ଲାଗି ସମ୍ପୂର୍ଣ୍ଣ ଖୁଚୁରା ବିକ୍ରୟ ମୂଲ୍ୟ ବାବଦ ଅର୍ଥ ଉଜ୍ଜଳା ଯୋଜନାର ହିତାଧିକାରୀମାନଙ୍କ ଆକାଉଂଟକୁ ଅଗ୍ରୀମ ଜମା ଆକାରରେ ହସ୍ତାନ୍ତର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଓଡ଼ିଶାର ବହୁ ମହିଳା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବାଲେଶ୍ବର ପାତ୍ରପଡ଼ା ଗ୍ରାମର ଉଜ୍ଜ୍ବଳା ହିତାଧିକାରୀ ଅମିତା ଦାସ ଏହି ସୁବିଧା ପାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଉ ଜଣେ ଉଜ୍ଜଳା ଯୋଜନା ହିତାଧିକାରୀ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଂଚଳର ଭାନୁମତି ସାହୁ କହିଛନ୍ତି, ଲକଡାଉନ ସମୟରେ ଆମେ ବାହାରକୁ ଯାଇପାରୁନାହୁଁ। ଏଭଳି ଏକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମକୁ ମାଗଣାରେ ଗ୍ୟାସ ସିଲିଣ୍ତର, ବ୍ୟାଙ୍କ ଖାତାକୁ ଅର୍ଥ ହସ୍ତାନ୍ତର ଓ ଖାଦ୍ୟଶସ୍ୟ ଯୋଗାଇ ଦେଇଛନ୍ତି। ସେହିପରି ବ୍ରହ୍ମପୁରର ହିତାଧିକାରୀ ବନୀତା ପଣ୍ତା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଉଜ୍ଜଳା ଯୋଜନାରେ ଗ୍ୟାସ ସିଲିଣ୍ତର ରିଫିଲ ବୁକିଂ କରିବା ପରେ ବ୍ୟାଙ୍କ ଆକାଉଂଟ ଜରିଆରେ ୭୯୬ ଟଙ୍କା ପାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭୁବନେଶ୍ବରର ଆରତୀ ମଙ୍ଗରାଜ ମଧ୍ୟ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ସିଲିଣ୍ତର ପାଇବା ଲାଗି ୭୭୪ ଟଙ୍କା ପାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଅନ୍ୟପକ୍ଷରେ, ଓଡ଼ିଶାରେ ତୈଳ ବିପଣନ କମ୍ପାନୀଗୁଡ଼ିକ ପ୍ରଥମ ରିଫିଲ ବୁକିଂ ବାବଦକୁ ଉପଭୋକ୍ତାଙ୍କ ଆକାଉଂଟକୁ ୩୪୧ କୋଟି ଟଙ୍କା ଅଗ୍ରୀମ ହସ୍ତାନ୍ତର କରିସାରିଲେଣି। ୧୪ ଏପ୍ରିଲ ସୁଦ୍ଧା ଓଡ଼ିଶାରେ ଥିବା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ହିତାଧିକାରୀଙ୍କୁ ୫.୮୮ ଲକ୍ଷ ଏଲପିଜି ରିଫିଲ ଯୋଗାଇ ଦିଆଯାଇସାରିଛି।
ତୈଳ ବିପଣନ କମ୍ପାନୀଗୁଡ଼ିକର ପଦକ୍ଷେପକୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି। ଏକ ଟ୍ବିଟ ଜରିଆରେ ସେ ଇଣ୍ତିଆନ ଅଏଲ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିଃ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିଃ ପକ୍ଷରୁ ନିଆଯାଇଥିବା ମାନବୀୟ ନିର୍ଣ୍ଣୟକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି, “ଏହି କଠିନ ପରିସ୍ଥିତିରେ ଆମ କର୍ମକର୍ତାମାନେ ଯେଉଁ ନିରନ୍ତର ସେବା ଯୋଗାଇ ଦେଉଛନ୍ତି ତା'କୁ ସମ୍ମାନ ଜଣାଇବା ଲାଗି ଏହି ଶୁଭକାମନା ଉଦ୍ଦିଷ୍ଟ। ଆମ କର୍ମଚାରୀମାନଙ୍କର ସୁରକ୍ଷା ଆମର ସର୍ବାଧିକ ପ୍ରାଥମିକତା; ଏହି ସହାନୁଭୂତିଶୀଳ ପଦକ୍ଷେପ ଦେଶର କରୋନା ମୁକାବିଲାରେ ସହାୟକ ହେଉଥିବା ଆମ ଶ୍ରମଶକ୍ତିର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ।”
Follow Us