Image Courtesy of The Hindu
ନୂଆଦିଲ୍ଲୀ: ତିନି ଥର ବିଧାୟକ ହୋଇ ମଧ୍ୟ ବର୍ଷକୁ ଅନ୍ୟୂନ ଦୁଇ ମାସ ଧାନବିଲରେ ଚାଷକାମ କରୁଥିବା ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ବିଧାୟକ ମନୋହର ରାନ୍ଧାରୀଙ୍କୁ ପ୍ରଶଂସା କରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରେରଣାଦାୟୀ ବୋଲି ଟୁଇଟର୍ରେ ଉଲ୍ଲେଖ କରିଛନ୍ତି।
ଡାବୁଗାଁ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରୁଥିବା ୪୫ ବର୍ଷିୟ ବିଜୁ ଜନତା ଦଳ ବିଧାୟକ ରାନ୍ଧାରୀ କହନ୍ତି, ଯୁବକମାନେ କ୍ଷେତରେ କାମ କରିବାକୁ କୁଣ୍ଠିତ ହେବା ଅନୁଚିତ।
ପ୍ରବଳ ବର୍ଷା ଯୋଗୁଁ ଧାନଗଛ ପାଇଁ ପାଗଯୋଗ ଅନୁକୂଳ ଥିବାରୁ ଗତ ରବିବାର ଦିନ ମଧ୍ୟରେ ସେ ପୂଜାରୀପଡ଼ା ଗାଁରେ ଥିବା ତାଙ୍କ ବିଲରେ ତଳି ରୁଆ କାମ ଶେଷ କରିଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନ ନିମନ୍ତେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଠାରୁ ଡାକରା ଆସିବା ପୂର୍ବରୁ ସେ ଓ ତାଙ୍କ ସହ କାମ କରୁଥିବା ଶ୍ରମିକମାନେ ରୁଆ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ସେ କହନ୍ତି, ଫଟୋ ନିମନ୍ତେ ମୁଁ ଚାଷକାମ କରୁନାହିଁ। ଚାଷ ମୋର ବେଉସା ହୋଇଥିବା ବେଳେ ବିଧାୟକତ୍ବ ମୋ ପାଇଁ ଜନସେବାର ଉପାୟ। ଗୋଟିଏ ବୋଲି ପୁଅ ହୋଇଥିବାରୁ ଛୁଆଟି ଦିନରୁ ମୁଁ ଚାଷକାମରେ ବାପାଙ୍କୁ ସାହାଯ୍ୟ କରି ଆସୁଛି। ସେ ଆମର ବାର୍ଷିକ ଧାନଚାଷ କାମ ତଦାରଖ କରୁଥିଲେ। ଗତବର୍ଷ ତାଙ୍କର ଦେହାନ୍ତ ହୋଇଯିବାରୁ ଚାଷବାସ ଭାର ମୋ କାନ୍ଧରେ ପଡ଼ିଲା।
୨୦୧୯ରେ ଡାବୁଗାଁ ବିଧାୟକ ହେବା ପୂବର୍ରୁ ୨୦୦୯ ଓ ୨୦୧୪ରେ ନବରଙ୍ଗପୁରର ଦୁଇଥର ବିଧାୟକ ହୋଇଥିବା ରାନ୍ଧାରୀଙ୍କର ପୂଜାରୀପଡ଼ା, କେଶରୀଗୁଡ଼ା ଏବଂ ଭାଟିଗାଁ ଅଞ୍ଚଳରେ ୨୫ ଏକର ଧାନ ବିଲ ଅଛି। ସେ କହନ୍ତି, ବିଶେଷତଃ ଟ୍ରାକ୍ଟର୍ ଯୋଗେ ମୁଁ ଜମି ଚଷେ। ଯେଉଁଠାକୁ ଟ୍ରାକ୍ଟର୍ ଯାଇପାରିବ ନାହିଁ, ସେଠାରେ ହଳବଳଦ ନେଇ ଚାଷ କରେ।
ଅଗଷ୍ଟ ମାସରେ ତଳି ରୁଆ ଏବଂ ଶୀତଋତୁରେ ଧାନ କଟାବେଳେ ଗୋଟାଏ ମାସ ସେ ବିଲରେ ଉପସ୍ଥିତ ରହନ୍ତି। ଏଥିଯୋଗୁଁ ତାଙ୍କ ବିଧାୟକ କର୍ତ୍ତବ୍ୟ ସମ୍ପାଦନ କରିବାରେ କୌଣସି ଅସୁବିଧା ନ ହେଉଥିବା କଥା ସେ କହନ୍ତି।
ଧାନଚାଷରୁ ସେ ବର୍ଷକୁ ୭/୮ ଲକ୍ଷ ଟଙ୍କା ଉପାର୍ଜନ କରନ୍ତି। ଏହାଛଡ଼ା ସେହି ଧାନରୁ କୁଟାଇ ୧୦ କ୍ବିଣ୍ଟାଲ୍ ଚାଉଳ ରଖନ୍ତି ତାଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କୁ ରାନ୍ଧି ଖୁଆଇବାକୁ। ସେ କୁହନ୍ତି, ସମ୍ପ୍ରତି ସଙ୍କଟରେ ଥିବା କୃଷିରେ ସମସ୍ତେ ଅଂଶଗ୍ରହଣ କରିବା ଉଚିତ। ନିଜର ଆବଶ୍ୟକ ମୁତାବକ ଉତ୍ପାଦନ ରଖି ଅନ୍ୟମାନଙ୍କ ଖାଦ୍ୟ ନିମନ୍ତେ ବାକିତକ ବଜାରରେ ବିକ୍ରୟ କରିଦେବା ଉଚିତ। ଆଶା କରୁଛି ମୋର କୃଷିକାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଦେବ।
Follow Us