କୋଭିଡ୍-୧୯ ସଂକ୍ରମଣ ଆଶଙ୍କା ବଢ଼ାଉଛି ଅଫିସ୍‌ର ବାୟୁ ସଞ୍ଚାଳନ ବ୍ୟବସ୍ଥା: କେମ୍ବ୍ରିଜ୍ ଅଧ୍ୟୟନ

କୋଭିଡ୍-୧୯ ସଂକ୍ରମଣ ଆଶଙ୍କା ବଢ଼ାଉଛି ଅଫିସ୍‌ର ବାୟୁ ସଞ୍ଚାଳନ ବ୍ୟବସ୍ଥା: କେମ୍ବ୍ରିଜ୍ ଅଧ୍ୟୟନ

Image Courtesy of Hindustan Times

ଲଣ୍ଡନ୍: ଆଧୁନିକ ଅଫିସ୍ କୋଠରିରେ ବାୟୁ ସଞ୍ଚାଳନ ବ୍ୟବସ୍ଥା କରୋନାଭାଇରସ୍ ସଂସ୍ପର୍ଶରେ ଆସିବା ଆଶଙ୍କା ବୃଦ୍ଧି କରିପାରେ ବୋଲି ‘ଜର୍ଣ୍ଣାଲ୍ ଅଫ୍ ଫ୍ଲୁଇଡ୍ ମେକାନିକ୍ସ୍‌’ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି।

ବୁଧବାର ଦିନ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ କହିଛି ଯେ, ଭାରତୀୟ ବଂଶୋଦ୍ଭବ ବିଶେଷଜ୍ଞ ରାଜେଶ ଭଗତଙ୍କ ସମେତ ଏକ ଗବେଷକ ଦଳ ଜାଣିବାକୁ ପାଇଛନ୍ତି, କୋଠରିର ସବୁ ଭାଗରେ ସମାନ ବାୟୁ ତାପମାନ ରକ୍ଷା କରିବାକୁ ପ୍ରସ୍ତୁତ ହୋଇଥିବା ‘ମିକ୍ସିଙ୍ଗ୍ ଭେଣ୍ଟିଲେସନ୍’ ସିଷ୍ଟମ୍ ପବନବାହିତ କ୍ଷତିକାରକ କଣିକାଗୁଡ଼ିକୁ ମଧ୍ୟ କୋଠରିର ସବୁଆଡ଼କୁ ସମାନ ଭାବେ ପ୍ରେରଣ କରୁଛି। ଏହି କ୍ଷତିକାରକ କଣିକା ମଧ୍ୟରେ ଭୂତାଣୁ ଥିବା ସୂକ୍ଷ୍ମ ଜଳ ବା ଧୂଳି କଣିକା ମଧ୍ୟ ଥାଇପାରେ।

‘ଡିପାର୍ଟମେଣ୍ଟ୍‌ ଅଫ୍ ଆପ୍ଲାଏଡ୍ ମ୍ୟାଥ୍‌ମେଟିକ୍ସ୍ ଆଣ୍ଡ୍‌ ଥିଓରିଟିକାଲ୍ ଫିଜିକ୍ସ୍‌’ର ପଲ୍ ଲିଣ୍ଡେନ୍‌ଙ୍କ ନେତୃତ୍ବରେ କରାଯାଇଥିବା ଏହି ଅଧ୍ୟୟନରେ ଗବେଷକମାନେ କହିଛନ୍ତି, ବାହାର ସଂକ୍ରମଣ ହାର ଠାରୁ ଘର ଭିତରେ ସଂକ୍ରମଣ ହାର ଅଧିକ ହେଉଥିବା ଜଣାପଡୁଛି। ଲୋକେ କଶିବା, ଛିଙ୍କିବା, ହସିବା, କଥାବାର୍ତ୍ତା କରିବା ଏବଂ ପ୍ରଶ୍ବାସବାୟୁ ଛାଡ଼ିବା ଦ୍ବାରା ନିର୍ଗତ ହେଉଥିବା ବଡ଼ ଏବଂ ସୂକ୍ଷ୍ମ ଜଳକଣିକା ଦ୍ବାରା ଭୂତାଣୁ ବ୍ୟାପିଥାଏ। ସେଥିଲାଗି କୋଠରିରେ ଥିବା ଲୋକମାନଙ୍କ ଠାରୁ ନିର୍ଗତ ଜଳକଣିକା ହାର ହ୍ରାସ ପାଇଲେ ସଂକ୍ରମଣ ହାର ହ୍ରାସ ପାଉଥିବା ଜଣାପଡୁଛି।

publive-image Image Courtesy of University of Cambridge

ଏହି ଅଧ୍ୟୟନ ନିମନ୍ତେ ଗବେଷକମାନେ, ଶ୍ବାସପ୍ରଶ୍ବାସ ଗ୍ରହଣ କରିବା, କଥା କହିବା ଓ ହସିବା ଆଦି ଭିନ୍ନ ଭିନ୍ନ ଉପାୟରେ ନିର୍ଗତ ହେଉଥିବା ଜଳକଣିକାର ହାର ଉପରେ ଅଧ୍ୟୟନ କରିଥିଲେ। ମାସ୍କ୍‌ ପିନ୍ଧିଥିବା ଓ ମାସ୍କ୍‌ ନ ପିନ୍ଧିଥିବା ଲୋକମାନଙ୍କ ଉପରେ ସେମାନେ ଏହି ଗବେଷଣା ଚଳାଇଥିଲେ। ପ୍ରଶ୍ବାସ ବାୟୁରେ ଥିବା ଉତ୍ତାପକୁ ଇମେଜିଙ୍ଗ୍ କରି ସେମାନେ ଏହାର ଗତି ଉପରେ ଦୃଷ୍ଟି ରଖିଥିଲେ। ଏହା କୋଠରିର ଛାତ ପର୍ଯ୍ୟନ୍ତ ପହଞ୍ଚୁଥିବା କଥା ସେମାନେ ଜାଣି ପାରିଛନ୍ତି। ମାସ୍କ୍‌ ପିନ୍ଧିବା ଦ୍ବାରା ପ୍ରଶ୍ବାସ ବାୟୁ ଓ ଜଳକଣିକା ବିସ୍ତାର ଉଲ୍ଲେଖନୀୟ ପରିମାଣରେ କମୁଥିବା କଥା ସେମାନେ ଦାବି କରିଛନ୍ତି।

ତେଣୁ, ସେମାନେ କହିଛନ୍ତି ଯେ, କୌଣସି ସଂକ୍ରମିତ ବ୍ୟକ୍ତି ମାସ୍କ ନ ପିନ୍ଧି ଅଫିସ କୋଠରି ମଧ୍ୟକୁ ଯାଇ ହସିଲେ କିଂବା କଥାବାର୍ତ୍ତା କଲେ ଅଧିକ ସଂକ୍ରମଣ ଆଶଙ୍କା ଦେଖାଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe