Image Courtesy of NDTV
ୱାସିଂଟନ୍: ୪୪ ବିଲିୟନ୍ ରାଜିନାମା ଉଲ୍ଲଂଘନ କରିଥିବା କାରଣରୁ ‘ଟୁଇଟର୍’ ମାମଲା ରୁଜୁ କରିଥିବା ଜାଣି ‘ଟେସ୍ଲା୍’ ‘ସିଇଓ’ ଏଲନ୍ ମସ୍କ୍ ତୁରନ୍ତ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି: ଓଃ କି ହାସ୍ୟାସ୍ପଦ ବିଡ଼ମ୍ବନା।
ଉଲ୍ଲେଖଯୋଗ୍ୟ, ପ୍ରଖ୍ୟାତ ସାମାଜିକ ଗଣମାଧ୍ୟମ କମ୍ପାନି ‘ଟୁଇଟର୍’କୁ ୪୪ ବିଲିୟନ୍ ଡଲାର୍ ବିନିମୟରେ ଖରିଦ କରିବେ ବୋଲି ଏଲନ୍ ମସ୍କ୍ ରାଜିନାମା କରିଥିଲେ। କିନ୍ତୁ, ‘ଟୁଇଟର୍’ ପ୍ଲାଟ୍ଫର୍ମରେ ଥିବା ଜାଲ୍ ଆକାଉଣ୍ଟ୍ ସଂକ୍ରାନ୍ତରେ ‘ଟୁଇଟର୍’ କମ୍ପାନି ତଥ୍ୟ ନ ଦେବାରୁ ସେ ଉକ୍ତ ରାଜିନାମାରୁ ଓହରି ଯାଇଥିବା ଘୋଷଣା କରିଥିଲେ। ସେଥିପାଇଁ ତାଙ୍କ ନାମରେ ମାମଲା ରୁଜୁ କରିବ ବୋଲି ‘ଟୁଇଟର୍’ ଧମକ ଦେଇଥିଲା।
ମଙ୍ଗଳବାର ଦିନ ‘ଟୁଇଟର୍’ ଏଲନ୍ ମସ୍କ୍ଙ୍କ ନାଁରେ ମାମଲା ରୁଜୁ କରିଥିବା କଥା ପ୍ରଘଟ ହେବାର ଅଳ୍ପ କ୍ଷଣ ମଧ୍ୟରେ ‘ଟୁଇଟ୍’ କରି ମସ୍କ୍ ଲେଖିଥିଲେ ‘ଓ ଦି ଆଇରନି ଲଲ୍ (ଓଃ କି ହାସ୍ୟାସ୍ପଦ ବିଡ଼ମ୍ବନା)।
Image Courtesy of India Todayକିନ୍ତୁ, ତାଙ୍କ ‘ଟୁଇଟ୍’ରେ ମାମଲା କଥା ଉଲ୍ଲେଖ ନ ଥିଲେ ମଧ୍ୟ ‘ମାମଲା’କୁ ଉଦ୍ଦେଶ୍ୟ କରି ସେ ଏପରି ଲେଖିଛନ୍ତି ବୋଲି ସ୍ପଷ୍ଟ ହୋଇଯାଇଛି। ସେ ଏପରି ଲେଖିବାର କାରଣ ମଧ୍ୟ ଅଛି। ‘ଟୁଇଟର୍’କୁ ଖରିଦ କରିବା ପାଇଁ ଚଳିତ ବର୍ଷ ଏପ୍ରିଲ୍ ମାସରେ ପ୍ରଥମେ ଏଲନ୍ ମସ୍କ୍ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ, ‘ଟୁଇଟର୍’ ରାଜି ହୋଇ ନ ଥିଲା। କିନ୍ତୁ, ‘ଟୁଇଟର୍’ ଖରିଦ କରିବାକୁ ଏବେ ସେ ମନା କରିବାରୁ କମ୍ପାନି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। କମ୍ପାନିର ଏ ଭଳି ନିଷ୍ପତ୍ତିକୁ ମସ୍କ୍ ପରସ୍ପର ବିରୋଧୀ ବା ବିଡ଼ମ୍ବନା (ଆଇରନି) କହିବା ସହ ତାଙ୍କର ‘ଅଟ୍ଟହାସ୍ୟ’ ବା ବଡ଼ ପାଟିରେ ହସିବାକୁ ଇଚ୍ଛା (ଏଲ୍.ଓ.ଏଲ୍ ବା ‘ଲାଫିଙ୍ଗ୍ ଆଉଟ୍ ଲାଉଡ୍) ହେଉଛି ବୋଲି ଲେଖିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ‘ଟୁଇଟର୍’ ଡିଲାୱେର୍ସ୍ଥିତ ଚାନ୍ସେରି ଅଦାଲତରେ ମସ୍କ୍ଙ୍କ ନାଁରେ ମାମଲା ରୁଜୁ କରିଛି।
Follow Us