The Indian Express
ନୂଆଦିଲ୍ଲୀ: ନେପାଳରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ପ୍ରତି ଦଳୀୟ ବିଦ୍ରୋହକୁ କେନ୍ଦ୍ର କରି ଦେଖାଦେଇଥିବା ରାଜନୈତିକ ସଂକଟ ଟଳିବାର ନାଁ ଧରୁନାହିଁ। ଭାରତ ପରି ପଡ଼ୋଶୀ ସହ ପ୍ରତିକୂଳ ବୈଦେଶିକ ନୀତି ପାଇଁ ସମାଲୋଚିତ ହୋଇଥିବା ଓଲି ସମ୍ପ୍ରତି ଶାସନ କ୍ଷମତା ହରାଇ ବସିବାର ଆଶଙ୍କା ଜାରି ରହିଛି। ଗତ ସପ୍ତାହରେ ସଂସଦ ଚାଲିଥିବା ବେଳେ ଦଳୀୟ ବିଦ୍ରୋହ ଯୋଗୁଁ ଆସ୍ଥା ଭୋଟରେ ହାରିଯିବା ଭୟରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବାରେ ସକ୍ଷମ ହୋଇଥିବା ଓଲି ଏବେ ନିଜର ଗାଦି ବଞ୍ଚାଇବା ପାଇଁ ଏକ ନୂଆ ଚାଲ୍ ଖେଳିବା ଆରମ୍ଭ କରିଛନ୍ତି। ଦେଶରେ ମହାମାରୀ କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଜାରି କରିବା ଲାଗି ସେ ରାଷ୍ଟ୍ରପତି ବି.ଡି. ଭଣ୍ଡାରିଙ୍କୁ ଭେଟି ଆଲୋଚନା କରିଛନ୍ତି। ତେବେ ଏ ପ୍ରସ୍ତାବରେ ରାଷ୍ଟ୍ରପତି ରାଜି ନଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।
ଅପରପକ୍ଷେ, ବିଭିନ୍ନ ନେତାମାନଙ୍କ ଭିତରେ ଦେଖାଦେଇଥିବା ରାଜନୈତିକ ମତାନ୍ତରକୁ ଆଲୋଚନା ମାଧ୍ୟମରେ ଦୂର କରିବା ଲାଗି ରାଷ୍ଟ୍ରପତି ପରାମର୍ଶ କରିଛନ୍ତି। ସେହିପରି ଶକ୍ତିଶାଳୀ ନେପାଳୀ ସେନାବାହିନୀ ମଧ୍ୟ ଏପରି ସମ୍ଭାବ୍ୟ ସ୍ବାସ୍ଥ୍ୟଗତ ଜରୁରୀକାଳୀନ ସ୍ଥିତିର ମୁକାବିଲା କରିବା ପାଇଁ ଅରାଜି ଥିବା ଜଣାଯାଇଛି। ଅପରପକ୍ଷେ, ଓଲି ରାଜନୈତିକ ମତଭେଦ ଦୂର କରିବା ଲାଗି ଆଜି ନେପାଳୀ କମୁନିଷ୍ଟ୍ ପାର୍ଟି(ଏନ୍ସିପି)ର ଅନ୍ୟତମ ସହଅଧ୍ୟକ୍ଷ ତଥା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ପିକେ ଦହଲ ପ୍ରଚଣ୍ଡଙ୍କ ସହ ଆଲୋଚନା କରିବାର ଅଛି। ତେବେ କୌଣସି ପରିସ୍ଥିତିରେ ଏପରିକି ଦଳ ବିଭାଜିତ ହୋଇଗଲେ ବି ସେ ଇସ୍ତଫା ଦେବେନାହିଁ ବୋଲି ଓଲି ଆଲୋଚନା ପୂର୍ବରୁ ସ୍ପଷ୍ଟ କରିଛନ୍ତି।
Follow Us