NBC news
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କୋଭିଡ୍ ‘ଓମିକ୍ରନ୍’ ପ୍ରଜାତି ଏବେ ୩୦ ରାଷ୍ଟ୍ରକୁ ବ୍ୟାପିଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରସ ଆଦନମ ଗତକାଲି ୨୩ ରାଷ୍ଟ୍ରରେ ଓମିକ୍ରନ୍ ପହଞ୍ଚିଥିବା ସ୍ପଷ୍ଟ କରିଥିବା ବେଳେ ମାତ୍ର ଦିନକ ମଧ୍ୟରେ ଏହା ୩୦କୁ ବୃଦ୍ଧି ପାଇଛି। ସମସ୍ତ ରାଷ୍ଟ୍ର କୋଭିଡ୍ର ଏହି ଅତି ମାରାତ୍ମକ ପ୍ରଜାତିକୁ ନେଇ ଅଧିକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି।
ଆମେରିକା ଏବଂ ଭାରତରେ ପ୍ରଥମ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। କାଲିଫର୍ଣ୍ଣିଆରେ ଜଣେ ବ୍ୟକ୍ତି ଓମିକ୍ରନ୍ରେ ପୀଡ଼ିତ ହୋଇଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ କୋଭିଡ୍ ଟିକା ନେଇଛନ୍ତି। ତେବେ ସେ ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣାପଡ଼ିଛି। ଆମେରିକା ସଂକ୍ରାମକ ରୋଗ ନିୟନ୍ତ୍ରଣ ବିଭାଗର ମୁଖ୍ୟ ଡାକ୍ତର ଆନ୍ଥୋନି ଫୌସି କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଟିକା ନେଇଛନ୍ତି ଏବଂ ତାଙ୍କଠାରେ କରୋନାର ଲକ୍ଷଣ ରହିଛି। ରାଷ୍ଟ୍ରପତି ଜୋ ବାଇଡେନ୍ ଆସନ୍ତା ସପ୍ତାହରୁ ଦେଶବ୍ୟାପୀ କଟକଣା କଡ଼ାକଡ଼ି କରିବା ସଂକ୍ରାନ୍ତ ଘୋଷଣା କରିପାରନ୍ତି।
ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ଆମେରିକାରେ ଟେଷ୍ଟିଂ କଡ଼ାକଡ଼ି କରିବାପାଇଁ ପଦକ୍ଷେପ ଗ୍ରହଣ କରୁଛି। ଭାରତରେ ମଧ୍ୟ କର୍ଣ୍ଣାଟକରେ ୨ଜଣ ଓମିକ୍ରନ୍ ପ୍ରଜାତିରେ ସଂକ୍ରମିତ ଥିବା ଜଣାପଡ଼ିବା ପରେ ସତର୍କତା ପଦକ୍ଷେପ ବଢ଼ାଇ ଦିଆଯାଇଛି। ଓମିକ୍ରନ୍ ଅନ୍ୟ ପ୍ରଜାତିଠାରୁ ଅତ୍ୟନ୍ତ ସଂକ୍ରାମକ। ଏହା ଟିକା ସୁରକ୍ଷାରୁ ଖସିଯାଉଥିବାରୁ ଭୟ ବଢ଼ୁଛି। ସପ୍ତାହକ ମଧ୍ୟରେ ଓମିକ୍ରନ୍ ନେଇ ଅଧିକ ଗବେଷଣାଲବ୍ଧ ତଥ୍ୟ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।
ଓମିକ୍ରନ୍ ଚିହ୍ନଟ ହୋଇଥିବା ରାଷ୍ଟ୍ରଗୁଡ଼ିକ ହେଉଛି ଭାରତ (୨), ଦକ୍ଷିଣ ଆଫ୍ରିକା (୧୮୩), ବୋସ୍ତୱାନା (୧୯), ନେଦରଲାଣ୍ଡ (୧୬), ହଂକଂ (୭), ଇସ୍ରାଏଲ (୨), ବେଲଜିୟମ (୨), ବ୍ରିଟେନ (୩୨), ଜର୍ମାନୀ (୧୦), ଅଷ୍ଟ୍ରେଲିଆ (୮), ଇଟାଲି (୪), ଚେକ୍ ଗଣରାଜ୍ୟ (୧), ଡେନମାର୍କ (୬), ଅଷ୍ଟ୍ରିଆ (୪), କାନାଡ଼ା (୭), ସ୍ବିଡେନ୍ (୪), ସ୍ବିଜରଲାଣ୍ଡ୍ (୩), ସ୍ପେନ୍ (୨), ପର୍ତୁଗାଲ (୧୩), ଜାପାନ (୨), ଫ୍ରାନ୍ସ (୧), ଘାନା (୩୩), ଦକ୍ଷିଣ କୋରିଆ (୩), ନାଇଜେରିଆ (୩), ବ୍ରାଜିଲ (୨), ନରୱେ (୨), ଆମେରିକା (୧), ସାଉଦି ଆରବ (୧), ଆୟରଲାଣ୍ଡ (୧) ଏବଂ ୟୁଏଇ (୧)।
Follow Us