kiren-rijiju-offered-chadar-ajmer-sharif-on-behalf-pm-modi Photograph: (Sambad.in)
ଅଜମେର: କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ଅଜମେର ସରିଫ ଦରଘାଠାରେ ଏକ ଚାଦର ଚଢ଼ାଇଛନ୍ତି। ରିଜିଜୁ ୧୩ ଶତାବ୍ଦୀର ସୁଫି ସନ୍ଥ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ବାର୍ଷିକ ଉର୍ସ ଉତ୍ସବରେ ଅଂଶଗ୍ରହଣ କରି ଏହାକୁ ଏକତା ଏବଂ ଭାଇଚାରାର ପ୍ରତୀକ ବୋଲି କହିଛନ୍ତି। ୮୧୩ତମ ଉର୍ସ ମୁବାରକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ବିଶ୍ୱରେ ତାଙ୍କ ଅନୁଗାମୀ ତଥା ଉର୍ସ ମୁବାରକ ଅବସରରେ ଅଜମେର ସରିଫକୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ସମାଜରେ ପ୍ରେମ ଏବଂ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇଁ ଉତ୍ସର୍ଗୀକୃତ ସନ୍ଥଙ୍କ ଜୀବନ ଏବଂ ଆଦର୍ଶ ଆମ ପିଢ଼ିକୁ ପ୍ରେରଣା ଯୋଗାଇବ। ତାଙ୍କର ବାର୍ଷିକ ଉର୍ସ ଉତ୍ସବ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ବନ୍ଧନକୁ ମଜବୁତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।
କିରେନ ରିଜିଜୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଚାଦର ଚଢ଼ାଇବା ସମୟର ଫଟୋ ଏବଂ ଭିଡିଓ ସେୟାର କରି ଲେଖିଛନ୍ତି, ଏହା ଭାରତର ସମୃଦ୍ଧ ଆଧ୍ୟାତ୍ମିକ ଐତିହ୍ୟ ପ୍ରତି ଗଭୀର ସମ୍ମାନର ପ୍ରତିଫଳନ ଏବଂ ଏହାର ଚିରନ୍ତନ ସୌହାର୍ଦ୍ଦ୍ୟ ଏବଂ କରୁଣାର ବାର୍ତ୍ତା।
ରିଜିଜୁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଏକ ଚାଦର ଚଢ଼ାଇ କହିଛନ୍ତି, “ଏହି ଚାଦର ପିଏମ ମୋଦୀଙ୍କ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ଏକତାର ବାର୍ତ୍ତାକୁ ଦର୍ଶାଉଛି। ଦରଘା ଏପରି ଏକ ସ୍ଥାନ ଯେଉଁଠାରେ ସମସ୍ତ ଧର୍ମର ଲୋକମାନେ ଏକତ୍ରିତ ହୋଇ ଏକ ମିଳିତ ଭାରତର ଧାରଣାକୁ ଦୃଢ଼ କରିଥାନ୍ତି।
ସେ କହିଛନ୍ତି ଯେ, ଆମେ ଏଠାକୁ ଆସିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛୁ। ଆମେ ପିଏମ ମୋଦୀଙ୍କ ତରଫରୁ ଚାଦର ଆଣିଛୁ। ମୁଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତା ପଢ଼ିଛି ଯେ, ଆମେ ସମସ୍ତେ ଆମ ସମାଜ, ଦେଶ ତଥା ବିଶ୍ୱ ଶାନ୍ତି ପାଇଁ ଭାଇଚାରା ମନୋଭାବରେ କାର୍ଯ୍ୟ କରିବୁ। ଆମେ ଦରଘାରେ ପ୍ରାର୍ଥନା କରିଛୁ।
ରିଜିଜୁ ମଧ୍ୟ ପ୍ରତିବର୍ଷ ଉର୍ସ ସମୟରେ ଦରଘା ପରିଦର୍ଶନ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ତୀର୍ଥଯାତ୍ରା ଅଭିଜ୍ଞତାକୁ ସରଳ ତଥା ଉନ୍ନତ କରିବା ପାଇଁ ଚାଲିଥିବା ପ୍ରୟାସ ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ପର୍ଯ୍ୟଟକମାନେ ସେମାନଙ୍କର ଆଧ୍ୟାତ୍ମିକ ଯାତ୍ରା ସମୟରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେ ନେଇ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ପ୍ରକ୍ରିୟାକୁ ଅଧିକ ସୁବିଧାଜନକ ଏବଂ ସୁଗମ କରିବା ପାଇଁ ପଦକ୍ଷେପ ନିଆଯାଉଛି।
ଅଧିକ ପଢ଼ନ୍ତୁ: ୧୩ ବର୍ଷ ପରେ ବାଂଲାଦେଶ ଯିବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ
Follow Us